ନୀଳଗିରି : ସରଳ ଜୀବନଯାପନ ପାଇଁ ଦିନେ ଦେଶବ୍ୟାପୀ ଚର୍ଚ୍ଚାରେ ଥିବା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବେ ନିଜ ଘରକୁ ନେଇ ଦେଇଛନ୍ତି ନୂଆ ସୂଚନା। ତାଙ୍କ ଚାଳ ଛପର ଘରର ସ୍ଥାନରେ ଚଳିତ ବର୍ଷ ଏକ କୋଠାଘର ନିର୍ମାଣ କରାଯିବ। ନିଜେ ଏକ ସାକ୍ଷାତକାରରେ ଏନେଇ ସୂଚନା ଦେଇଛନ୍ତି ସାଂସଦ ଶ୍ରୀ ଷଡ଼ଙ୍ଗୀ।
ନୀଳଗିରି ବ୍ଲକର ଗୋପୀନାଥପୁର ଅଞ୍ଚଳରେ ଥିବା ତାଙ୍କ ଚାଳ ଘର ଏକଦା ରାଜ୍ୟଠାରୁ ଆରମ୍ଭ କରି ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା। ଚାଳଘରେ ରହିବା, ନିମ୍ବ ଦାନ୍ତକାଠିରେ ଦାନ୍ତ ଘଷିବା, ନଳକୂପ କିମ୍ବା ପୋଖରୀରେ ଗାଧୋଇବା ଭଳି ତାଙ୍କ ସରଳ ଜୀବନଶୈଳୀର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହୋଇଥିଲା। ଏହାପରେ ସେ ଦେଶରେ ଏକ ପରିଚିତ ଚେହେରା ପାଲଟିଥିଲେ। ପରବର୍ତ୍ତୀ ସମୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମଧ୍ୟ ସାମିଲ ହୋଇଥିଲେ।
ସାକ୍ଷାତକାର ସମୟରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ମଧ୍ୟ ସାଂସଦ ନିଜ ମତ ରଖିଥିଲେ। ସୁବର୍ଣ୍ଣରେଖା ବନ୍ଦର ନିର୍ମାଣରେ ବନ ବିଭାଗର ଅସହଯୋଗ, ବନ୍ୟା ସମୟରେ ଜଳ ନିଷ୍କାସନରେ ଚିଙ୍ଗୁଡ଼ି ଘେରିର ସମସ୍ୟା, କୁରୁଡ଼ା ଅଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ନଜଳିବା ଏବଂ ପଞ୍ଚାୟତ ସ୍ତରରେ ବିଲ୍ ପେମେଣ୍ଟ ସମ୍ପର୍କିତ ସମସ୍ୟା ନେଇ ସେ ଉତ୍ତର ଦେଇଥିଲେ।
ତେବେ ତାଙ୍କ ଚାଳ ଘର ଆଗକୁ ମଧ୍ୟ ରହିବ କି ନାହିଁ, ଏନେଇ ପଚରାଯିବାରୁ ପ୍ରତାପ ଷଡ଼ଙ୍ଗୀ କହିଥିଲେ ଯେ ଚାଳଘରେ ରହିବାକୁ ତାଙ୍କର ଇଚ୍ଛା ରହିଛି। କିନ୍ତୁ ଘରର ନଡ଼ା ଏବେ ପୂର୍ବଭଳି ମଜଭୁତ ନଥିବାରୁ କୋଠାଘର ନିର୍ମାଣ କରିବାକୁ ପଡ଼ିବ। ଚଳିତ ବର୍ଷ ଏହି ନୂଆ ଘର ନିର୍ମାଣ କରିବା ନେଇ ସେ ସ୍ପଷ୍ଟ କରିଛନ୍ତି।
ସରଳ ଜୀବନଶୈଳୀ ପାଇଁ ଯିଏ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି, ସେହି ସାଂସଦଙ୍କ ଚାଳଘର ବଦଳି କୋଠାଘର ହେବା ଖବର ଏବେ ପୁଣିଥରେ ଚର୍ଚ୍ଚାକୁ ଆସିଛି।

