ନୂଆଦିଲ୍ଲୀ, ୦୨/୦୯: ବିଶ୍ୱତାପନ ଯୋଗୁ ବଢ଼ୁଥିବା ସମୁଦ୍ର ଜଳସ୍ତର ଆଗାମୀ ଦିନରେ ବିଶ୍ୱର ବଡ଼ ବଡ଼ ସହର ପାଇଁ ବିପଦର କାରଣ ହୋଇପାରେ। ଭାରତର ମୁମ୍ବାଇ ଓ କୋଲକାତା ମଧ୍ୟ ଏହି ବିପଦରୁ ବାଦ ପଡ଼ିବେ ନାହିଁ। ଜାତିସଂଘର ଏକ ନୂଆ ରିପୋର୍ଟରେ ସମୁଦ୍ର ଜଳସ୍ତର ବୃଦ୍ଧିକୁ ନେଇ ଏଭଳି ଚିନ୍ତାଜନକ ଚେତାବନୀ ଦିଆଯାଇଛି।
ରିପୋର୍ଟ ଅନୁଯାୟୀ, ମୁମ୍ବାଇ ଓ କୋଲକାତାର ପ୍ରାୟ ୧ କୋଟି ୪୦ ଲକ୍ଷ ଲୋକ ଭବିଷ୍ୟତରେ ସମୁଦ୍ର ଜଳସ୍ତର ବୃଦ୍ଧିର ଗୁରୁତର ପ୍ରଭାବ ଭୋଗିପାରନ୍ତି। ତଳିଆ ଅଞ୍ଚଳରେ ଥିବା ଏହି ସହରଗୁଡ଼ିକରେ ବନ୍ୟା ଓ ଜଳବନ୍ଦୀ ସମସ୍ୟା ଆହୁରି ଗମ୍ଭୀର ହେବାର ଆଶଙ୍କା ରହିଛି।
ଜାତିସଂଘର ରିପୋର୍ଟରେ କୁହାଯାଇଛି, ୨୦୧୪ରୁ ୨୦୨୩ ମଧ୍ୟରେ ବିଶ୍ୱର ସମୁଦ୍ର ଜଳସ୍ତର ପ୍ରତିବର୍ଷ ହାରାହାରି ୪.୭ ମିଲିମିଟର ବଢ଼ୁଥିଲା। କିନ୍ତୁ ୨୦୨୪ରେ ଏହା ୫.୯ ମିଲିମିଟର ବଢ଼ିଥିଲା, ଯାହା ଏକ ରେକର୍ଡ। ହିମବାହ ଓ ବରଫ ଦ୍ରୁତ ତରଳିବା ଏବଂ ସମୁଦ୍ରର ତାପମାତ୍ରା ବଢ଼ିବା ଏହାର ପ୍ରମୁଖ କାରଣ।
ଏହି ସଙ୍କଟର ପ୍ରଭାବ କେବଳ ମଣିଷଙ୍କ ଘରଦ୍ୱାରରେ ସୀମିତ ରହିବ ନାହିଁ। ଉପକୂଳ ଭିତ୍ତିଭୂମି, ଯାତାୟାତ, ଜଳଯୋଗାଣ, ବିଦ୍ୟୁତ୍ ବ୍ୟବସ୍ଥା, କୃଷି ଓ ଭୂତଳ ଜଳ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡ଼ିବ। ମିଆମି, ନ୍ୟୁୟର୍କ ଓ ଗୁଆଙ୍ଗଝୀ ଭଳି ସହରଗୁଡ଼ିକ ମଧ୍ୟ ବିପୁଳ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି।
ସେହିପରି ହିମବାହ ତରଳିବା ଯୋଗୁ ଦକ୍ଷିଣ ଏସିଆରେ ପ୍ରଥମେ ବଡ଼ ବନ୍ୟା ଏବଂ ପରେ ମରୁଡ଼ି, ଫସଲହାନି ଓ ଖାଦ୍ୟ ସୁରକ୍ଷା ସଙ୍କଟ ଦେଖାଦେଇପାରେ। ପ୍ରାୟ ୭୭ କୋଟି ଲୋକ ଏହି ଜଳବାୟୁ ବିପଦର ପ୍ରଭାବରେ ଆସିପାରନ୍ତି ବୋଲି ରିପୋର୍ଟରେ ଆଶଙ୍କା ପ୍ରକାଶ କରାଯାଇଛି।

