ଭୁବନେଶ୍ୱର, ୧୯/୦୮: ରାଜଧାନୀରେ ଅନଲାଇନ୍ ଅଟୋ ଓ କ୍ୟାବ୍ ଚାଳକଙ୍କ ଆନ୍ଦୋଳନ ଦିନକୁ ଦିନ ଉଗ୍ର ରୂପ ନେଉଛି। ଓଲା, ଉବେର, ରାପିଡୋ ଓ ଓଡ଼ିଶା ଯାତ୍ରୀ ସମେତ ବିଭିନ୍ନ ସଂଗଠନର ଡ୍ରାଇଭରମାନେ ଦାବି ପୂରଣ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ଆନ୍ଦୋଳନର ତୃତୀୟ ଦିନରେ ଲୋୟର ପିଏମଜି ଓ ମାଷ୍ଟର କ୍ୟାଣ୍ଟିନ୍ ଅଞ୍ଚଳରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି।
୩୦ ଦଫା ଦାବି ନେଇ ଅଲ୍ ଓଡ଼ିଶା ଗିଗ୍ସ ୟୁନିଅନ୍ ପକ୍ଷରୁ ଚାଲିଥିବା ଏହି ଆନ୍ଦୋଳନରେ ପ୍ରାୟ ୨୦ଟି ଅଟୋ ସଂଗଠନ ସାମିଲ ହୋଇଛନ୍ତି। ଡ୍ରାଇଭରମାନେ ଭଡ଼ା ବୃଦ୍ଧି, କମିଶନ୍ ହ୍ରାସ ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ଦାବି କରୁଛନ୍ତି।ଆନ୍ଦୋଳନ ଯୋଗୁଁ ରାଜଧାନୀରେ ଅନଲାଇନ୍ ଅଟୋ ସେବା ପ୍ରାୟ ଠପ୍ ହୋଇଯାଇଛି।
ଏହାର ସିଧାସଳଖ ପ୍ରଭାବ ଯାତ୍ରୀଙ୍କ ଉପରେ ପଡ଼ିଛି। ବିଶେଷକରି ଭୁବନେଶ୍ୱର ରେଳ ଷ୍ଟେସନ୍ ଓ ବିମାନବନ୍ଦରକୁ ଯାତାୟାତ କରୁଥିବା ଲୋକେ ଗାଡ଼ି ନପାଇ ହଇରାଣ ହେଉଛନ୍ତି।ବୁଧବାର ଆନ୍ଦୋଳନ ସମୟରେ ସ୍ଥିତି ଆହୁରି ତୀବ୍ର ହୋଇଥିଲା। ଲୋୟର ପିଏମଜି ଓ ମାଷ୍ଟର କ୍ୟାଣ୍ଟିନ୍ ଛକରେ ଆନ୍ଦୋଳନକାରୀ ଏବଂ ପୋଲିସ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ପୋଲିସ ଉପରକୁ ଢେଲାପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ପୋଲିସ ପକ୍ଷରୁ ଲାଠିଚାଳନା କରାଯାଇଥିଲା। କିଛି ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇ ନେଇଥିବା ମଧ୍ୟ ଜଣାପଡ଼ିଛି।
ଏପଟେ ଆନ୍ଦୋଳନ ଯୋଗୁଁ ରାଜଧାନୀର ପ୍ରମୁଖ ରାସ୍ତାରେ ଟ୍ରାଫିକ୍ ବ୍ୟବସ୍ଥା ପ୍ରଭାବିତ ହୋଇଛି। ରେଳ ଷ୍ଟେସନ୍ରୁ ବିମାନବନ୍ଦର ଦିଗକୁ ଯାଉଥିବା ରାସ୍ତାରେ ଜାମ୍ ସ୍ଥିତି ସୃଷ୍ଟି ହୋଇଥିବାରୁ ଯାତ୍ରୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଡ୍ରାଇଭରଙ୍କ ୩୦ ଦଫା ଦାବି ଉପରେ ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ କି ନାହିଁ, ଏବେ ତାହା ଉପରେ ନଜର ରହିଛି। ତେବେ ଆନ୍ଦୋଳନ ଲମ୍ବିଲେ ରାଜଧାନୀର ଯାତାୟାତ ବ୍ୟବସ୍ଥା ଉପରେ ଚାପ ଆହୁରି ବଢ଼ିବା ଆଶଙ୍କା ରହିଛି।

