ଭୁବନେଶ୍ୱର : କେଉଁ ଆସନରୁ ଲଢ଼ିବେ ସୁଜାତା ରାଉତ ? କେଉଁ ସିଟ୍ ହେବ ସେଫ୍ ? ୨୦୨୯ ରେ ଭାଗ୍ୟ ପରୀକ୍ଷା କରିବେ ନା ଧରିବେ ପ୍ରଚାର ମଙ୍ଗ । କିଛି ଏମିତି ଚର୍ଚ୍ଚା ଏବେ ବିଜେଡି ଶିବିରରେ । କେହି କେହି ଏମିତି ବି ସେ ନିର୍ବାଚନ ନ ଲଢି ରଣନୀତି ତିଆରି କରିବେ ବୋଲି ମତ ଦେଉଛନ୍ତି ।
କେଉଁ ଆସନ ସେଫ୍ ?
ସୁଜାତା ରାଉତ । ପୂର୍ବତନ ବିଜେଡି ନେତା ତଥା ଏକଦା ବିଜେଡିର ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ପତ୍ନୀ । ବିଜୁ ଜନତା ସରକାରରେ ସେ ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ଥିଲେ । ମିଶନ ଶକ୍ତି ଦାୟିତ୍ଵ ତାଙ୍କୁ ମିଳିଥିଲା । ଏବେ କିନ୍ତୁ ସେ ବିଜେଡିର ଟପ୍ ନେତ୍ରୀ । କେନ୍ଦ୍ରାପଡ଼ା ଝିଅ ସୁଜାତା କେନ୍ଦ୍ରାପଡ଼ା ଜିଲ୍ଲାର କେଉଁ ଏକ ଆସନରୁ ଲଢି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ସେହିପରି ଦୀର୍ଘ ଦିନ ହେବ ଭୁବନେଶ୍ୱରରେ ରହୁଛନ୍ତି ସୁଜାତା । ମଧ୍ୟ ନିର୍ବାଚନ ମଣ୍ଡଳୀରେ ତାଙ୍କୁ କ୍ୱାର୍ଟର ମିଳିଥିଲା। ତେଣୁ ସେ ଭୁବନେଶ୍ୱରରୁ ମଧ୍ୟ ଠିଆ ହେବା ନେଇ କେହି କେହି ଅନୁମାନ କରୁଛନ୍ତି । ଏଠାରେ ବିଜେଡିର ଭଲ ଭୋଟ୍ ବ୍ୟାଙ୍କ୍ ରହିଛି । ସେ ଏଠାରୁ ଲଢ଼ିଲେ ଜିତିବା ସମ୍ଭାବନା ବେଶୀ ।
ଖାଲି ଏତିକି ନୁହେଁ ତାଙ୍କ ପାଇଁ ବିଜେଡି ଗଞ୍ଜାମ କିମ୍ବା ଯାଜପୁର ଜିଲ୍ଲାରୁ ଗୋଟିଏ ଆସନ ଛାଡ଼ିପାରେ । ଗଞ୍ଜାମ ଏବଂ ଯାଜପୁର ବିଜେଡିର ଗଡ଼ ରହି ଆସିଛି । ୨୦୨୪ରେ କେବଳ ଏଥିରେ ବ୍ୟତିକ୍ରମ ଦେଖା ଦେଇଥିଲା । କିନ୍ତୁ ନବୀନଙ୍କ ପ୍ରତି ଏହି ଦୁଇ ଜିଲ୍ଲାର ଲୋକଙ୍କ ଭଲ ପାଇବା ରହିଛି । ଦଳର ଭଲ ସଂଗଠନ ଅଛି । ତେଣୁ ସୁଜାତା ଏହି ଦୁଇ ଜିଲ୍ଲାର କୌଣସି ଆସନରୁ ଫାଇଟ୍ କଲେ ଦଳକୁ ଫାଇଦା ମିଳି ପାରିବ ବୋଲି ରାଜନୈତିକ ସମୀକ୍ଷକ କହୁଛନ୍ତି ।

