ଭୁବନେଶ୍ୱର: ବିଶ୍ଵ କ୍ରିକେଟରେ ସବୁଠୁ ଦମଦାର ବ୍ୟାଟ୍ସମ୍ୟାନ୍ ହେଲେ ସଚିନ ତେନ୍ଦୁଲକର । ସେ କ୍ରିକେଟର ଏକ ଜଣାଶୁଣା ନାଁ । ତାଙ୍କୁ କିଏ କୁହନ୍ତି ମାଷ୍ଟର ବ୍ଲାଷ୍ଟର୍ ଏବଂ ଆଉ କିଏ ଲିଟିଲ୍ ମାଷ୍ଟର୍ କୁହନ୍ତି । ଏବେ ସେ କ୍ରିକେଟ ଖେଳୁନାହାନ୍ତି । ଅବସର ନେଇ ସାରିଛନ୍ତି । କିନ୍ତୁ ନିଜ କ୍ୟାରିୟରରେ ସେ ଅନେକ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଶହ ଶହ ରେକର୍ଡ ଭାଙ୍ଗିଛନ୍ତି । ତେଣୁ ତାଙ୍କୁ କୁହାଯାଏ କ୍ରିକେଟର ଭଗବାନ । ନିଜର ଶାନ୍ତ ସରଳ ସ୍ବଭାବ ପାଇଁ ଖୁବ୍ ଲୋକପ୍ରିୟ ସଚିନ । ହେଲେ ଦିନେ ତାଙ୍କ କ୍ୟାରିଅରରେ ବଲ୍ ଟ୍ୟାମ୍ପରିଂର କଳାଦାଗ୍ ଲାଗିଥିଲା । ଏମିତିକି ଷ୍ଟାଡିୟମରେ ବେଇମାନ କହିବାକୁ ତାଙ୍କୁ ବିପକ୍ଷ ଟିମ୍ ଫ୍ୟାନ ପଛାଇ ନଥିଲେ । ଖାଲି ଏତିକି ନୁହେଁ ମ୍ୟାଚରୁ ରେଫରୀ ବ୍ୟାନ କରି ଦେଇଥିଲେ ।
ଏହା ହେଉଛି ୨୦୦୧ ମସିହାର ଘଟଣା ।ଦକ୍ଷିଣ ଆଫ୍ରିକା ଗସ୍ତରେ ଥାଏ ଟିମ ଇଣ୍ଡିଆ । ଭଲ ବ୍ୟାଟିଂ କରୁଥିଲା ଆଫ୍ରିକା ଟିମ । ତେବେ ବୋଲିଂ କରିବାକୁ ଆସିଥିଲେ ସଚିନ । ଆଉ ଅନ୍ୟ ବୋଲରଙ୍କଠୁ ତାଙ୍କ ବଲ ହୋଇଥିଲା ବେସି ସ୍ୱିଙ୍ଗ । ଏହା ଦେଖିବା ପରେ ସନ୍ଦେହ ବଢିଥିଲା । ତେଣୁ କ୍ୟାମେରାମ୍ୟାନକୁ ଟିଭି ପ୍ରଦ୍ୟୁସର ନିର୍ଦ୍ଦେଶ ଦେଇଥିଲେ । ସଚିନଙ୍କ ଆଙ୍ଗୁଠି ଉପରେ କ୍ୟାମେରା ଫୋକସ କରିଥିଲା । ଯେଉଁଥିରେ ସଚିନ ନିଜ ଆଙ୍ଗୁଠି ଆଉ ବାମ ହାତରେ ବଲର ସୀମ୍ ସଫା କରୁଥିବା ନଜର ଆସିଥିଲା। ଏ ଘଟଣା ଟିଭିରେ ଟେଲିକାଷ୍ଟ୍ ହୋଇଥିଲା। ଟିଭିରେ ଟେଲିକାଷ୍ଟ ପରେ ସଚିନ ବଲକୁ ଟ୍ୟାମ୍ପରିଂ କରିଥିବା ସ୍ପଷ୍ଟ ବୋଲି ରେଫରି କହିଥିଲେ। ଆଉ କ୍ରିକେଟରଙ୍କ ଭଗବାନଙ୍କ ବିରୋଧରେ ଆସିଲା ବଡ଼ ଅଭିଯୋଗ ।
ସଚିନ ଏମିତି କରୁଥିବାରୁ ରାଗି ଯାଇଥିଲେ ମ୍ୟାଚ ରେଫରି ମାଇକ ଦେନିସ । ଏହାସହ ନେଇଥିଲେ କଡା ଆକ୍ସନ୍ । ସେ ଗୋଟିଏ ମ୍ୟାଚ ଉପରେ ବ୍ୟାନ ଲଗାଇଥିଲେ । ଏହାସହ କାଟିଥିଲେ ମ୍ୟାଚ ଫିର ୭୫ ପ୍ରତିଶତ । ହେଲେ ଫିଲଡ଼ ଅମ୍ପାୟାର କିନ୍ତୁ ସବୁ ଦେଖି ଚୁପ୍ ରହୁଥିଲେ। କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ । ଘଟଣାର ତଦନ୍ତ ଆରମ୍ଭ ହେଲା । ସଚିନଙ୍କୁ ମାମଲାର ଶୁଣାଣି ପାଇଁ ଦେନିସ ଡାକିଥିଲେ ।ହେଲେ ଭୁଲ କରିନଥିବା କାହିଁଥିଲେ ସଚିନ । କିନ୍ତୁ ଦେନିସ ଥିଲେ ଅଧିକ କଡା । ଅଯଥା ମାମଲାରେ କାର୍ଯ୍ୟାନୁଷ୍ଠାନ ନେବା ତାଙ୍କର ବଦଭ୍ୟାସ ରହିଥିଲା। କିତ୍ନୁ ସଚିନଙ୍କ ସମର୍ଥନରେ ବିସିସିଆଇ ଆଗକୁ ଆସିଥିଲା । ଆଇସିସିକୁ ଲେଖିଥିଲା ଚିଠି । ରେଫରିଙ୍କୁ ହଟାଇବାକୁ କରିଥିଲା ଅପିଲ । ହେଲେ କିଛି ଶୁଣିନଥିଲା ଆଇସିସି । ଏପଟେ ସଚିନଙ୍କ ସପକ୍ଷରେ ବାହାରିଥିଲା ଦେଶ ଓ ତାଙ୍କର କୋଟି କୋଟି ଫ୍ୟାନ୍ । ସେପଟେ ମ୍ୟାଚ ଖେଳିବନି ବୋଲି ଧମକ ମଧ୍ୟ ଦେଇଥିଲା ବିସିସିଆଇ । ଦକ୍ଷିଣ ଆଫ୍ରିକା ଟିମ ବି ଏହାକୁ କରିଥିଲା ସମର୍ଥନ। ଫଳରେ ବାଧ୍ୟ ହୋଇ ମୁଣ୍ଡ ନୂଆଁଇଥିଲା ଆଇସିସି । ସଚିନଙ୍କ ଉପରୁ ବ୍ୟାନ ହଟିଥିଲା ।
ଖାଲି ଏତିକି ନୁହେଁ ଶେଷରେ ମ୍ୟାଚ ରେଫରି ଦେନିସ ମଧ୍ୟ ହଟିଥିଲେ । ଆଉ ଏମିତି ଭାବେ ବଲ୍ ଟ୍ୟାମ୍ପରିଂ ବିବାଦରୁ ବାହାରିଥିଲେ କ୍ରିକେଟର ଦି ଗଡ୍ । ଏହାସହ ସଚିନ ଯେ ଜଣେ ସଚ୍ଚୋଟ ଖେଳାଳି ତାହା ପ୍ରମାଣିତ ହୋଇଥିଲା । ହେଲେ ସେଦିନର କଥା ସଚିନଙ୍କ କ୍ୟାରିଅରରେ ନିଶ୍ଚୟ ସବୁଦିନ ଲେଖା ହୋଇ ରହିବ ।

