ଘରେ ନ ଲଗାଇ ମନକୁ ଉଠିଥିବା ତୁଳସୀ ଗଛ ଦେଇଥାଏ ଶୁଭ ସଙ୍କେତ ! ଘରକୁ ଆସେ ସୁଖ-ସମୃଦ୍ଧି, ଜାଣନ୍ତୁ ଧାର୍ମିକ ମାନ୍ୟତା
ଭୁବନେଶ୍ୱର: ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଅତ୍ୟନ୍ତ ପବିତ୍ର ଏବଂ ପୂଜନୀୟ ବୋଲି ମନାଯାଏ। ଏହାକୁ ମା’ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ବିଶ୍ୱାସ କରାଯାଏ। ଅନେକ ଘରେ ପ୍ରତିଦିନ ତୁଳସୀ ପୂଜା କରାଯାଏ। ଯଦି କୌଣସି ଘରେ ଲଗାଇ ନଥିବା ସତ୍ତ୍ୱେ ନିଜେ ନିଜେ ତୁଳସୀ ଗଛ ଉଠିଯାଏ, ତେବେ ଧାର୍ମିକ ମାନ୍ୟତା ଅନୁସାରେ ଏହାକୁ ଏକ ଶୁଭ ସଙ୍କେତ ବୋଲି ମନାଯାଏ। ତେବେ ଏହି ବିଶ୍ୱାସର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ।
ଧାର୍ମିକ ବିଶ୍ୱାସ ଅନୁଯାୟୀ, ଘରେ ନିଜେ ନିଜେ ତୁଳସୀ ଗଛ ଉଠିବା ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦର ପ୍ରତୀକ ବୋଲି ଧରାଯାଏ। ଏହା ଘରକୁ ସୁଖ, ସମୃଦ୍ଧି ଏବଂ ଆର୍ଥିକ ଉନ୍ନତି ଆସିବାର ସଙ୍କେତ ବୋଲି ଅନେକେ ବିଶ୍ୱାସ କରନ୍ତି। ଧାର୍ମିକ ମାନ୍ୟତାରେ ତୁଳସୀ ଗଛକୁ ସକାରାତ୍ମକ ଶକ୍ତିର ଉତ୍ସ ବୋଲି କୁହାଯାଏ। ବିଶ୍ୱାସ ରହିଛି ଯେ, ଯେଉଁ ଘରେ ତୁଳସୀ ରହେ, ସେଠାରେ ନକାରାତ୍ମକ ଶକ୍ତିର ପ୍ରଭାବ କମ୍ ହୁଏ ଏବଂ ପରିବାରରେ ଶାନ୍ତି ଓ ସୁଖ ବଜାୟ ରହେ। ଲୋକବିଶ୍ୱାସ ଅନୁସାରେ, ଏପରି ତୁଳସୀ ଗଛ ପରିବାର ସଦସ୍ୟଙ୍କ ମଧ୍ୟରେ ଭଲପାଇବା, ଏକତା ଓ ସଦ୍ଭାବ ବୃଦ୍ଧିର ସଙ୍କେତ ହୋଇପାରେ। ଏହା ଘରର ଧାର୍ମିକ ପରିବେଶକୁ ମଧ୍ୟ ମଜବୁତ କରେ ବୋଲି ମନାଯାଏ।
ତୁଳସୀ ଗଛ ନିଜେ ନିଜେ ଉଠିଲେ କ’ଣ କରିବେ?
ତୁଳସୀ ଗଛ ମନକୁ ଉଠିଥିଲେ ଗଛକୁ ଅଯଥା ଉପାଡ଼ନ୍ତୁ ନାହିଁ। ଏହାର ଯତ୍ନ ନିଅନ୍ତୁ ଏବଂ ନିୟମିତ ପାଣି ଦିଅନ୍ତୁ। ସମ୍ଭବ ହେଲେ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର କରନ୍ତୁ। ଶ୍ରଦ୍ଧା ଅନୁସାରେ ମାଆ ତୁଳସୀଙ୍କୁ ପୂଜା କରିପାରିବେ। ଏହାଦ୍ୱାରା ଘରକୁ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ।

