ଭୁବନେଶ୍ୱର: ଏବେ ଓଡ଼ିଶାରେ ବଡ଼ ବର୍ଷାର ସମ୍ଭାବନା ନାହିଁ। ଆସନ୍ତା ୪ ଦିନ ପାଇଁ ରାଜ୍ୟର କୌଣସି ଅଞ୍ଚଳକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇନାହିଁ। ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ। ତେବେ ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହିତ ସ୍ଥାନୀୟ ବର୍ଷା ହୋଇପାରେ।
ଆସନ୍ତା ୮ ତାରିଖରେ ରାଜ୍ୟର ଅଳ୍ପ କେତେକ ଅଞ୍ଚଳରେ ବର୍ଷା ହେବାର ଆଶଙ୍କା ରହିଛି। ୯ ତାରିଖରୁ ବର୍ଷା ପରିମାଣରେ ସାମାନ୍ୟ ବୃଦ୍ଧି ଘଟିପାରେ। ବିଶେଷକରି ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ନୂଆ ଲଘୁଚାପ ସୃଷ୍ଟି ନହେବା ପର୍ଯ୍ୟନ୍ତ ରାଜ୍ୟରେ ବଡ଼ଧରଣର ବର୍ଷା ହେବାର ସମ୍ଭାବନା କମ୍। ତେବେ ୧୦ କିମ୍ବା ୧୧ ତାରିଖ ବେଳକୁ ସମୁଦ୍ରରେ ଏକ ଘୃଷ୍ଣିବଳୟ ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଧୀରେଧୀରେ ଘନୀଭୂତ ହୋଇ ୧୩ ତାରିଖ ବେଳକୁ ଲଘୁଚାପର ରୂପ ନେଇପାରେ।
ସ୍ଥିତି ଅନୁକୂଳ ରହିଲେ ଏହି ପ୍ରଣାଳୀ ଆହୁରି ଘନୀଭୂତ ହୋଇ ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହେବାର ମଧ୍ୟ ସମ୍ଭାବନା ରହିଛି। ଏଭଳି ସ୍ଥିତି ହେଲେ ୧୦/୧୧ ତାରିଖ ପରେ ଓଡ଼ିଶାରେ ପୁଣିଥରେ ବର୍ଷାର ପ୍ରକୋପ ବଢ଼ିପାରେ।
ଅନ୍ୟପକ୍ଷରେ, ଚଳିତ ବର୍ଷ ରାଜ୍ୟରେ ମୌସୁମୀ ଭଲ ବର୍ଷା ଦେଇଛି। ଜୁନ୍ ମାସରେ ବର୍ଷା ନିଅଣ୍ଟିଆ ଥିଲେ ମଧ୍ୟ ଜୁଲାଇ ଓ ଅଗଷ୍ଟରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ୪ ମାସରେ ହେବାକୁ ଥିବା ସ୍ୱାଭାବିକ ବର୍ଷା ପରିମାଣକୁ ମାତ୍ର ୩ ମାସରେ ଅତିକ୍ରମ କରିଛି ଓଡ଼ିଶା।
ଜୁନ୍ ୧ ତାରିଖରୁ ଏଯାଏ ରାଜ୍ୟରେ ହାରାହାରି ୯୫୨.୨ ମିଲିମିଟର ବର୍ଷା ହେବା କଥା। କିନ୍ତୁ ଏହି ସମୟ ମଧ୍ୟରେ ୧୧୭୩.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଅର୍ଥାତ୍ ସ୍ୱାଭାବିକଠାରୁ ରାଜ୍ୟରେ ୨୩ ପ୍ରତିଶତ ଅଧିକ ବର୍ଷା ହୋଇଛି। ଗଜପତି ଜିଲ୍ଲାକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ କୌଣସି ଜିଲ୍ଲାରେ ବର୍ଷାର ନିଅଣ୍ଟିଆ ସ୍ଥିତି ନାହିଁ।

