35.7 C
Odisha
Friday, March 6, 2026

ତିନି ବର୍ଷ ପରେ ବ୍ୟାଟରୁ ବାହାରିଲା ଟେଷ୍ଟ୍ ସେଞ୍ଚୁରୀ, ଗୁଜୁରାଟ ଟେଷ୍ଟରେ ଗର୍ଜିଲେ କିଙ୍ଗ୍ ବିରାଟ

ଚାଲୁ ନଥିଲା ବ୍ୟାଟ୍ । ସଅଳ ଫେରୁଥିଲେ ପ୍ୟାଭିଲିୟନ । କଟ୍ ବିହାଇଣ୍ଡ୍ ପାଲଟିଥିଲା ଅଭ୍ୟାସ । ଯେଉଁ ବଲରେ ମାରୁଥିଲେ ଛକା ଆଉ ଚଉକା, ସେହି ବଲ୍ ନେଉଥିଲା ଓ୍ୱିକେଟ୍ । ତେବେ ତିନି ବର୍ଷର ନିରବତା ପରେ ଏବେ ଗର୍ଜିଛି ବିରାଟଙ୍କ ବ୍ୟାଟ୍ । ଶତକ ପାଇଁ ଭୋକିଲା ଥିବା କିଙ୍ଗ୍ କୋହଲି ଏବେ ମେଣ୍ଟାଇଛନ୍ତି ଭୋକ । ପ୍ରାୟ 40 ମାସ ପରେ ଟେଷ୍ଟ୍ କ୍ରିକେଟରେ ସେ ମାରିଛନ୍ତି ସେଞ୍ଚୁରୀ ।

ଗୁଜୁରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଚାଲିଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟକ୍କର । ସିରିଜର ଚତୁର୍ଥ ଟେଷ୍ଟ ଖେଳୁଛନ୍ତି ଦୁଇ ଶକ୍ତିଶାଳୀ ଟିମ୍ । ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା କଙ୍ଗାରୁ ଟିମ୍ । କଙ୍ଗାରୁ ପାଇଁ ଶତକୀୟ ଇନିଂସ ଖେଳିଥିଲେ ଉସଂମାନ୍ ଖ୍ୱାଜା ଆଉ ପିଟର୍ ହାଣ୍ଡସକମ୍ବ । 480ରେ ପହଁଚିଥିଲା ଅଷ୍ଟ୍ରେଲିଆର ସ୍କୋର୍ । ଯାହାର ଦମଦାର୍ ଚେଜ୍ କରୁଛି ଭାରତ । ଆଉ ସବୁଠୁ ବଡ କଥା ହେଲା କିଙ୍ଗ୍ କୋହଲୀ ପ୍ରଥମ ଇନିଂସରେ ମାରିଛନ୍ତି ସେଞ୍ଚୁରୀ ।

ଗତ ତିନି ବର୍ଷରୁ ଅଧିକ ସମୟ ଧରି ବିରାଟ ଆଉଟ୍ ଅଫ୍ ଫର୍ମରେ ଥିଲେ । ବ୍ୟାଟରୁ ବାହାରୁନଥିଲା ଶତକ । ତାଙ୍କୁ ଖୁବ୍ ସମାଲୋଚନା କରିଥିଲେ ସମସ୍ତେ । କେହି କେହି ଅବସର ନେବାକୁ ବି ପରାମର୍ଶ ଦେଇଥିଲେ । କିନ୍ତୁ ସବୁ ଚୁପ୍ ଚାପ୍ ସହିଥିୱେ କୋହଲି । ସମୟରୁ ଅପେକ୍ଷା କରିଥିଲେ । ଆଉ ଶେଷରେ ତାଙ୍କ ବ୍ୟାଟ୍ ସବୁ ପ୍ରଶ୍ନର ଜବାବ ଦେଇଥିଲା । ପ୍ରଥମେ ଟି20ରେ ଶତକ ଲଗାଇଥିଲେ । ପୂରଣ କରିଥିଲେ 71ତମ ସେଞ୍ଚୁରୀ । ଏହାପରେ ସେ ଦିନିକିଆରେ ବି ସମାଲୋଚକଙ୍କୁ ଦେଇଥିଲେ ଶତକୀୟ ଜବାବ ।

ଏବେ ସେ ଟେଷ୍ଟ୍ କ୍ରିକେଟରେ ବି ଶତକ ଅର୍ଜନ କରିଛନ୍ତି । ଯାହା ତାଙ୍କର 28ତମ ଟେଷ୍ଟ ଶତକ । ଏଥିପାଇଁ ସେ ନେଇଥିଲେ 241 ବଲର ସାହାଯ୍ୟ । ଶେଷଥର ପାଇଁ ନଭେମ୍ବର 2019ରେ ତାଙ୍କ ବ୍ୟାଟରୁ ସେଞ୍ଚୁରୀ ବାହାରିଥିଲା । ତା ପରେ ଏକଦମ ନିରବ ହୋଇଯାଇଥିଲା ବ୍ୟାଟ୍ । ସତେ କି ବ୍ୟାଟକୁ ଲାଗିଯାଇଥିଲା ଗ୍ରହଣ ।

28 ତମ ସେଞ୍ଚୁରୀ ସହ ଅନେକ ରେକର୍ଡ ଭାଙ୍ଗିଛନ୍ତି କୋହଲି । ସର୍ବାଧିକ ଟେଷ୍ଟ ଶତକ ମାରିବାରେ ସେ ଏବେ ଚତୁର୍ଥ ଭାରତୀୟ । ସେହିପରି ଅନ୍ତର୍ଜାତୀୟ ଫର୍ମାଟରେ ସର୍ବାଧିକ ସେଞ୍ଚୁରୀ ମାରିବାରେ ସେ ଏବେ ଦ୍ୱିତୀୟ ସ୍ଥାନରେ । ତାଙ୍କଠୁ ଆଗରେ ଅଛନ୍ତି ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁୱକର । ସେହିପରି 75ତମ ଶତକ ହେଉଛି କୋହଲିଙ୍କ ଦ୍ୱିତୀୟ ସର୍ବାଧିକ ଧିମା ଶତକ । ବ୍ୟୁରୋ ରିପୋର୍ଟ କଳିଙ୍ଗ ଟୁଡେ ଲାଇଭ୍ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ