31.9 C
Odisha
Thursday, April 16, 2026

ବାଇଶି ପାହାଚରେ ପିଲାଙ୍କୁ କାହିଁକି ଗଡାଯାଏ

ଜଗତର ନାଥ ଜଗନ୍ନାଥ । କୋଟି କୋଟି ଭକ୍ତଙ୍କ ସେ ପ୍ରାଣକେନ୍ଦ୍ର । କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ କାହିଁ କେଉଁଆଡୁ ଛୁଟି ଆସନ୍ତି ଭକ୍ତ । ତେହେ ଦର୍ଶକବନ୍ଧୁ ଆପଣ ପୁରୀ ମନ୍ଦିରକୁ ପ୍ରବେଶ କରିବା ବେଳେ କିଛି ପାହାଚ ଚଢି ଯାଆନ୍ତି । ଯାହାକୁ ଆମେ କହିଥାଉ ବାଇଶି ପାହାଚ । ହେଲେ ଏହି ବାଇଶି ପାହାଚ ପଛରେ ଲୁଚି ରହିଥିବା ସତ୍ୟାସତ୍ୟ ବିଷୟରେ ଜାଣିଛନ୍ତି କି । କଣ ରହିଛି ଏହା ପଛର ରହସ୍ୟ । ଏହି ପାହାଚକୁ ନେଇ କଣ କୁହେ କିମ୍ବଦନ୍ତୀ ।
କିମ୍ବଦନ୍ତୀ ତଥ୍ୟ ଜାଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଦ୍ଵାଦଶ ଶତାବ୍ଦୀରେ ଗଙ୍ଗ ବଂଶର ରାଜା ଅନଙ୍ଗବର୍ମା ଚୋଡ଼ଗଙ୍ଗ ଦେବ ଶ୍ରୀମନ୍ଦିର କାର‌୍ୟ୍ୟ ଆରମ୍ଭ କରିଥିଲେ ଓ ଅନଙ୍ଗ ଭୀମଦେବ ଏହି କାର‌୍ୟ୍ୟକୁ ସମ୍ପୂର୍ଣ୍ଣ କରି ଶ୍ରୀବିଗ୍ରହମାନଙ୍କୁ କରାଇଥିଲେ ଅଧିଷ୍ଠିତ ।
ବେଢ଼ା ମଧ୍ୟରୁ ଭକ୍ତ ଦ୍ୱାର ଦେଇ ପ୍ରବେଶ କରିବାକୁ ହେଲେ ଦ୍ୱାରଦେଶରେ ପହଞ୍ଚିବା ନିମନ୍ତେ ଯେଉଁ ପାହାଚ ଚଢ଼ିବାକୁ ପଡେ, ତାକୁ କୁହାଯାଏ ବାଇଶି ପାହାଚ ।
ବଉଳମାଳା ମାଙ୍କଡ଼ା ପଥରରେ ତିଆରି ବାଇଶି ପାହାଚର ନିର୍ମାଣ ସମ୍ପର୍କରେ ଏକ କିମ୍ବଦନ୍ତି ପ୍ରଚଳିତ । କିମ୍ବଦନ୍ତୀ ମତେ ନିଃସନ୍ତାନ ରାଜା ଭାନୁଦେବ ଜମ୍ବେଶ୍ୱରଙ୍କୁ ଆରାଧନା କରି ପୁତ୍ର ସନ୍ତାନଟିଏ ଲାଭକଲେ । ଜାତକରୁ ରାଜା ଜାଣିଲେ ତାଙ୍କ ପୁତ୍ରର ଆୟୁଷ କେବଳ ୨୨ବର୍ଷ । ଏହା ଜାଣିପାରି ରାଜା ଭାନୁଦେବ ପୁନଶ୍ଚ ଜମ୍ବେଶ୍ୱରଙ୍କୁ ଆରାଧନା କଲେ। ଜମ୍ବେଶ୍ୱର ରାଜାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଶ୍ରୀମନ୍ଦିର ଭିତରେ ବାଇଶି ପାହାଚ ନିର୍ମାଣ କରିବାକୁ ଦେଲେ ଆଜ୍ଞା । ରାଜା ବାଇଶି ପାହାଚ ନିର୍ମାଣ କରି ତାଙ୍କ ସନ୍ତାନର ଆୟୁ ବୃଦ୍ଧି ପାଇଁ ସେହି ବାଇଶି ପାହାଚରେ ଗଡ଼ାଇ ଦେଇଥିଲେ । ଶ୍ରଦ୍ଧାଳୁମାନେ ସେଥିପାଇଁ ନିଜ ନିଜ ପିଲାମାନଙ୍କର ଆୟୁଷ ବୃଦ୍ଧି ନିମନ୍ତେ ବାଇଶି ପାହାଚରେ ଗଡ଼ାଇ ଦେଇଥାନ୍ତି ।
ବାଇଶି ପାହାଚରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ । ଭକ୍ତମାନେ ବର୍ଷତମାମ ବାଇଶି ପାହାଚ ବାଟଦେଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ଶ୍ରୀଜୀଉମାନେ ଶ୍ରୀମନ୍ଦିରର ରତ୍ନସିଂହାସନ ଛାଡ଼ି ବାଇଶି ପାହାଚ ବାଟ ଦେଇ ବଡ଼ଦାଣ୍ଡରେ ଥିବା ରଥକୁ ଆସିଥାନ୍ତି ।

ଜଗନ୍ନାଥଙ୍କ ଦର୍ଶନ କରିବାକୁ ହେଲେ ବାଇଶି ପାହାଚ ଅତିକ୍ରମ କରି ଯିବାକୁ ପଡ଼ିଥାଏ । ତେଣୁ ଏହି ବାଇଶି ପାହାଚ ହେଉଛି ତତ୍ତ୍ୱମୟ ଓ ପବିତ୍ରମୟ । ବିଶ୍ୱାସ ଅଛି ଯେ, ପ୍ରତ୍ୟେକ ମଣିଷ ୨୨ ପ୍ରକାର ପାପରୁ ମୋକ୍ଷ ନିମନ୍ତେ ୨୨ ପାହାଚ ଅତିକ୍ରମ କରିବା ଆବଶ୍ୟକ । ୨୨ ପାହାଚ ଯୋଗ ବିଦ୍ୟା ବର୍ଣ୍ଣିତ ୨୨ଟି ସ୍ତରର ପ୍ରତୀକ । ବାଇଶି ପାହାଚରେ ଦ୍ୱିତୀୟ ସୋପାନରେ ରହିଛି ଯମଶିଳା । ଶ୍ରଦ୍ଧାଳୁମାନେ ଏହି ଶିଳାକୁ ସ୍ପର୍ଶ କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ ଓ ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠଗାମୀ ହୁଏ ବୋଲି ବିଶ୍ୱାସ ରହିଛି ।
ବାଇଶି ପାହାଚ କୁହାଯାଉଥଲେ ମଧ୍ୟ ତାହା ବାସ୍ତବରେ ୨୦ଟି ପାହାଚ ରହିଛି । ପୁରୁଣା ବା ମୂଳ ସିଂହଦ୍ୱାରଠାରୁ ନୂଆ ସିଂହଦ୍ୱାର ପର‌୍ୟ୍ୟନ୍ତ ଲାଗିଥିବା ଏହି ପାହାଚକୁ ବାଇଶି ପାହାଚ ବୋଲି କୁହାଯାଏ । ବାଇଶି ପାହାଚରେ ପ୍ରତି ପାହାଚର ଉଚ୍ଚ ୬ରୁ ୭ଇଞ୍ଚ, ଓସାର ୬ଫୁଟ ଓ ଲମ୍ବ ୭୦ଫୁଟ ରହିଛି । ଏହାର ଅଷ୍ଟାଦଶ ପାହାଚଟିର ପ୍ରସ୍ଥ ୧୫ ଫୁଟ, ଆନନ୍ଦବଜାର ପ୍ରବେଶ ମାର୍ଗରେ ଏହାର ୧୯ ଓ ୨୦ ତମ ପାହାଚ ରହିଛି । ଯାହା ଅର୍ଦ୍ଧଗୋଲାକାର । ଏହାର ପ୍ରବେଶ ମାର୍ଗର ତୃତୀୟ ପାହାଚରେ କାଶୀବିଶ୍ୱନାଥ ମନ୍ଦିର ରହିଛି । ଜନଶ୍ରୁତି ଅନୁଯାୟୀ ରାଜା ଭାନୁଦେବ ବାଇଶି ପାହାଚ ନିର୍ମାଣ କରିଥଲେ । ବାଇଶି ପାହାଚ ନିର୍ମାଣ କରିଥିବାରୁ ତାଙ୍କ ପୁତ୍ର ବିପଦମୁକ୍ତ ହୋଇଥବା କୁହଯାଏ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ