ରାସ୍ତାରେ ଜଳିଗଲା ଦାମୀ କାର୍: ବିଖ୍ୟାତ ନ୍ୟୁରୋ ସର୍ଜନ ଜିଅନ୍ତା ପୋଡ଼ିଗଲେ

ହାଇଦ୍ରାବାଦ: ତେଲେଙ୍ଗାନାର ସୂର୍ଯ୍ୟାପେଟ ଜିଲ୍ଲାରେ ରବିବାର ସକାଳେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଦ୍ରୁତଗାମୀ ଭୋଲଭୋ କାର ରାସ୍ତା ଡିଭାଇଡରରେ ପିଟି ହୋଇ ନିଆଁ ଲାଗିଯିବାରୁ ଏଥିରେ ଯାତ୍ରା କରୁଥିବା ହାଇଦ୍ରାବାଦର ଜଣେ ନ୍ୟୁରୋ ସର୍ଜନଙ୍କ ମୃତ୍ୟୁ ଘଟିଛି। ମୃତ ଡାକ୍ତର ହେଉଛନ୍ତି କାସକୁର୍ତ୍ତି ଜଗଦୀଶ।

ସୂଚନା ଅନୁସାରେ, ରବିବାର ସକାଳ ପ୍ରାୟ ୭ଟା ୧୫ ମିନିଟ୍‌ ସମୟରେ ଖମ୍ମମ-ହାଇଦ୍ରାବାଦ ଜାତୀୟ ରାଜପଥର ସୂର୍ଯ୍ୟାପେଟ ପିଲ୍ଲାମରୀ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଡାକ୍ତର ଜଗଦୀଶ ନିଜ ଭୋଲଭୋ କାରରେ ଯାଉଥିବା ବେଳେ ହଠାତ୍‌ ଗାଡ଼ିଟି ନିୟନ୍ତ୍ରଣ ହରାଇ ଡିଭାଇଡରରେ ଧକ୍କା ଦେଇଥିବା ପ୍ରାଥମିକ ସୂଚନା ମିଳିଛି।

ଧକ୍କା ପରେ କାରରେ ତୁରନ୍ତ ନିଆଁ ଲାଗିଯାଇଥିଲା। ଗାଡ଼ିଟି ଦେଖୁ ଦେଖୁ ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଭିତରେ ଥିବା ଡାକ୍ତରଙ୍କୁ ସମୟ ମଧ୍ୟରେ ଉଦ୍ଧାର କରାଯାଇପାରିନଥିଲା। ରାସ୍ତାରେ ଯାଉଥିବା ଲୋକେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ସେତେବେଳକୁ କାରଟି ପ୍ରାୟ ସମ୍ପୂର୍ଣ୍ଣ ଜଳିଯାଇଥିଲା। କାରର ରେଜିଷ୍ଟ୍ରେସନ ନମ୍ବର ଯାଞ୍ଚ ପରେ ଏହା ଡାକ୍ତର ଜଗଦୀଶଙ୍କ ଗାଡ଼ି ବୋଲି ଜଣାପଡ଼ିଥିଲା।

ପ୍ରାଥମିକ ତଦନ୍ତରେ ଡାକ୍ତର ଜଗଦୀଶ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ହୁଏତ ଆଖି ଲାଗିଯିବା କାରଣରୁ ନିୟନ୍ତ୍ରଣ ହରାଇଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।

ଘଟଣାର ତଦନ୍ତ ପାଇଁ ଫରେନସିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ଜଳିଯାଇଥିବା କାରର ଅବଶେଷ ଯାଞ୍ଚ କରାଯିବା ସହ ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବାକୁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ