ଆଗକୁ ଆହୁରି ବର୍ଷା, ଉତ୍ତର ଓ ଦକ୍ଷିଣରେ ପ୍ରବଳ ଛେଚିବା ଆଶଙ୍କା

ରାଜ୍ୟରେ ପୁଣି ଥରେ ବଢ଼ିବାକୁ ଯାଉଛି ବର୍ଷାର ପ୍ରକୋପ। ଆସନ୍ତା କିଛିଦିନ ଧରି ଓଡ଼ିଶାରେ ବର୍ଷାର ଲଗାତାର ପ୍ରଭାବ ଜାରି ରହିବା ସହ ଆଗାମୀ ଦୁଇ ଦିନ ମଧ୍ୟରେ କେତେକ ଅଞ୍ଚଳରେ ପ୍ରବଳରୁ ପ୍ରବଳତର ବର୍ଷା ହେବାର ଆଶଙ୍କା ରହିଛି। ବିଶେଷ କରି ଉତ୍ତର ଓଡ଼ିଶାର କେତେକ ଜିଲ୍ଲା ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅତି ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଓ ବିଜୁଳିର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ସତର୍କ କରିଛି।
ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତତ୍‌ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ବୁଧବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ଏବଂ ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସହ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ବିଶେଷକରି ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ। ଏହାବ୍ୟତୀତ ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଏବଂ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କେତେକ ଅଞ୍ଚଳରେ ଘଡ଼ଘଡ଼ି, ବିଜୁଳି ଚମକ ଓ ଦମକା ପବନ ସହ ବର୍ଷା ମଧ୍ୟ ହୋଇପାରେ।
୬ ଅଗଷ୍ଟ (ଗୁରୁବାର)ରେ ମଧ୍ୟ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଜାରି ରହିବ। ଉତ୍ତର, ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହେବାର ସମ୍ଭାବନା ଥିବାରୁ ସ୍ଥାନୀୟ ପ୍ରଶାସନକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୧୦ ଅଗଷ୍ଟ ପର୍ଯ୍ୟନ୍ତ ଏଭଳି ବର୍ଷା ପରିସ୍ଥିତି ଜାରି ରହିପାରେ। ଏହା ପରେ ମଧ୍ୟ ପାଗରେ କୌଣସି ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନଥିବାରୁ ଆଗାମୀ କିଛିଦିନ ଯାଏଁ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପାଣିପାଗ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ନଦୀ ଓ ନାଳର ଜଳସ୍ତର ବୃଦ୍ଧି, ଜଳବନ୍ଦୀ ପରିସ୍ଥିତି ଏବଂ ସହରାଞ୍ଚଳରେ ଜଳ ଜମିବା ଭଳି ସମସ୍ୟା ଦେଖାଦେଇପାରେ ବୋଲି ମଧ୍ୟ ଆକଳନ କରାଯାଉଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ