ରାଜ୍ୟରେ ଏବେ ବର୍ଷାରୁ ନିସ୍ତାର ମିଳିବାର ସମ୍ଭାବନା କମ୍। ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଥିବାବେଳେ ଆଗକୁ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପ୍ରାୟ ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ଲାଗି ରହିପାରେ। ଦକ୍ଷିଣରୁ ଉତ୍ତର, ଉପକୂଳରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ବର୍ଷା ହେବାର ଆଶଙ୍କା ରହିଛି।
ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବଢ଼ିପାରେ। କେତେକ ସ୍ଥାନରେ ନଦୀ ଫୁଲିବା ସହ ତଳିଆ ଅଞ୍ଚଳରେ ପୁଣି ବନ୍ୟା ସ୍ଥିତି ଉପୁଜିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ।
ଜୁଲାଇ ଶେଷ ସପ୍ତାହର ଲଗାଣ ବର୍ଷା ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା। ୨୨ଟି ଜିଲ୍ଲାର ଲୋକେ ଲଗାଣ ବର୍ଷା ଓ ବନ୍ୟାରେ ପ୍ରଭାବିତ ହୋଇଥିଲେ। ଏଭଳି ସ୍ଥିତିରେ ପୁଣି ବର୍ଷାର ପରିମାଣ ବଢ଼ିବା ଚିନ୍ତା ବଢ଼ାଇଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା-ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ସେହିପରି ଗାଙ୍ଗେୟ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ମଧ୍ୟ ଆଉ ଏକ ଘୂର୍ଣ୍ଣିବଳୟ ରହିଛି।
ଏହାର ପ୍ରଭାବରେ ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ। ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ଗଜପତି ଓ ଗଞ୍ଜାମରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ। ଏହା ସହ ଅନେକ ସ୍ଥାନରେ ଘଡ଼ଘଡ଼ି, ବଜ୍ରପାତ ଓ ପବନ ସହ ବର୍ଷାର ଆଶଙ୍କା ରହିଛି।
୮ରୁ ୧୨ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ। ବିଶେଷକରି ଉତ୍ତର ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିପାରେ। ୧୨ ତାରିଖ ପରେ ମଧ୍ୟ ପାଗରେ ବିଶେଷ ପରିବର୍ତ୍ତନର ସମ୍ଭାବନା କମ୍।
ଆଗାମୀ ଦୁଇ ସପ୍ତାହର ସମ୍ଭାବ୍ୟ ପାଣିପାଗ ଚିତ୍ର ଅନୁସାରେ, ଓଡ଼ିଶାରେ ବର୍ଷାର ପ୍ରଭାବ ଜାରି ରହିପାରେ। ୧୨ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ଅଧିକ ସଂଗଠିତ ହୋଇ ୧୪ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପର ରୂପ ନେଇପାରେ।
ଏହାର ପ୍ରଭାବରେ ୧୪ରୁ ୨୦ ତାରିଖ ମଧ୍ୟରେ ଓଡ଼ିଶାରେ ଅନେକ ଦିନ ବର୍ଷା ଜାରି ରହିପାରେ। କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।

