ମଝି ଆକାଶରେ ହନୁମାନ ଚାଳିଶା ଗାଇଲି : ହନୁମାନ ହିଁ ଆତଙ୍କବାଦୀ ସହ ଲଢ଼ିବାକୁ ଶକ୍ତି ଦେଲେ

ନୂଆଦିଲ୍ଲୀ, ୦୨/୧୦: ବିମାନ ଭିତରେ ହଠାତ୍ ଆକ୍ରମଣ। ଜୀବନ ଓ ମୃତ୍ୟୁ ମଧ୍ୟରେ ଚାଲିଥିଲା ସଂଘର୍ଷ। ଏଭଳି ଏକ ଭୟଙ୍କର ପରିସ୍ଥିତିରେ ନିଜ ମନୋବଳ ବଜାୟ ରଖିବା ପାଇଁ ହନୁମାନ ଚାଳିସା ପାଠ କରୁଥିଲେ ଫ୍ଲାଏଦୁବାଇର ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମାଛର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭିଡିଓ କଲ୍‌ରେ କଥା ହେବା ସମୟରେ ସ୍ମିତ ନିଜେ ଏହି କଥା କହିଛନ୍ତି।

ବିମାନ ଭିତରେ ହୋଇଥିଲା ଆକ୍ରମଣ

ରିପୋର୍ଟ ଅନୁସାରେ, ଦୁବାଇରୁ ଇସ୍ରାଏଲ୍ ଯାଉଥିବା ଫ୍ଲାଏଦୁବାଇର FZ1073 ବିମାନରେ ସେପ୍ଟେମ୍ବର ୩୦ ତାରିଖରେ ଏହି ଘଟଣା ଘଟିଥିଲା। ଉଡ଼ାଣ ସମୟରେ କୋ-ପାଇଲଟ୍ କ୍ୟାପ୍ଟେନ୍ ସ୍ମିତଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ସ୍ମିତ ଗୁରୁତର ଆହତ ହୋଇଥିଲେ। ଏହି ସମୟରେ ବିମାନ ମଧ୍ୟ ଦ୍ରୁତ ଭାବେ ଉଚ୍ଚତା ହରାଇଥିଲା।

ପରିସ୍ଥିତି ଜଟିଳ ହେବା ପରେ ସ୍ମିତ ଆହତ ଅବସ୍ଥାରେ କକପିଟ୍ ଦ୍ୱାର ଖୋଲିଥିଲେ। ଏହାପରେ ଯାତ୍ରୀ ଓ କ୍ରୁ ସଦସ୍ୟମାନେ କକପିଟ୍ ଭିତରକୁ ପହଞ୍ଚି ଆକ୍ରମଣକାରୀ କୋ-ପାଇଲଟ୍‌ଙ୍କୁ ନିୟନ୍ତ୍ରଣକୁ ନେବାରେ ସହାୟତା କରିଥିଲେ। ପରେ ବିମାନଟି ସାଉଦି ଆରବର ତବୁକ୍‌ରେ ଜରୁରୀ ଅବତରଣ କରିଥିଲା।

‘ମୁଁ ହନୁମାନ ଚାଳିସା ପଢ଼ୁଥିଲି’

ଏହି ଘଟଣା ପରେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା କ୍ୟାପ୍ଟେନ୍ ସ୍ମିତଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କଲ୍‌ରେ କଥା ହୋଇଥିଲେ। ଘଟଣା ସମ୍ପର୍କରେ କହିବା ବେଳେ ସ୍ମିତ କହିଥିଲେ ଯେ, ଯେତେବେଳେ ସେ ଯନ୍ତ୍ରଣାରେ ଥାଆନ୍ତି, ସେ ହନୁମାନ ଚାଳିସା ପାଠ କରନ୍ତି। ଆକ୍ରମଣ ସମୟରେ ମଧ୍ୟ ସେ ହନୁମାନ ଚାଳିସା ପଢ଼ୁଥିବା କହିଛନ୍ତି।

ସ୍ମିତଙ୍କ କହିବା ଅନୁସାରେ, ସେ ତଳେ ପଡ଼ିଯାଇଥିଲେ ମଧ୍ୟ ନିଜକୁ ପୁଣି ଉଠାଇବାକୁ ଚେଷ୍ଟା କରିଥିଲେ। ବିମାନ ତଳକୁ ଖସୁଥିବା ଦେଖି ସେ ଯାତ୍ରୀମାନଙ୍କ ଜୀବନ ବଞ୍ଚାଇବା ପାଇଁ କିଛି କରିବା ଆବଶ୍ୟକ ବୋଲି ଅନୁଭବ କରିଥିବା କହିଛନ୍ତି।

ଆହତ ହୋଇ ମଧ୍ୟ ଖୋଲିଥିଲେ କକପିଟ୍ ଦ୍ୱାର

ସାମ୍ନାକୁ ଆସିଥିବା ନୂଆ ଭିଡିଓରେ ସ୍ମିତ ଆହତ ଓ ରକ୍ତାକ୍ତ ଅବସ୍ଥାରେ ବିମାନରେ ଥିବା ଦେଖାଯାଇଛି। ସେ କୋ-ପାଇଲଟ୍ ତାଙ୍କୁ ଏକାଧିକ ଥର ଆକ୍ରମଣ କରିଥିବା କହୁଥିବା ଶୁଣିବାକୁ ମିଳିଛି। ଆହତ ହାତକୁ ହଲାଇ ପାରୁଥିଲେ ମଧ୍ୟ ହାତକୁ ଜୋରରେ ବନ୍ଦ କରିପାରୁନଥିବା ସେ କହିଥିଲେ।

ଅନ୍ୟପକ୍ଷରେ, ବିମାନରେ ଥିବା ଯାତ୍ରୀ ଓ କ୍ରୁ ସଦସ୍ୟମାନେ ପରିସ୍ଥିତିକୁ ସମ୍ଭାଳିବାରେ ସହଯୋଗ କରିଥିଲେ। ପରେ ଅନ୍ୟ ପାଇଲଟ୍‌ମାନେ ବିମାନର ନିୟନ୍ତ୍ରଣ ନେଇ ଏହାକୁ ସୁରକ୍ଷିତ ଭାବେ ତବୁକ୍‌ରେ ଅବତରଣ କରାଇଥିଲେ।

ସ୍ମିତଙ୍କୁ ମୋଦୀଙ୍କ ସହ କଥାବାର୍ତ୍ତା

ଭିଡିଓ କଲ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ମିତଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରିବା ସହ ଘଟଣା ସମୟରେ ତାଙ୍କ ସାହସ ଓ ଉପସ୍ଥିତ ବୁଦ୍ଧିର ପ୍ରଶଂସା କରିଥିଲେ। ସ୍ମିତ ମଧ୍ୟ ଏହି ଆଲୋଚନା ସମୟରେ ଭାବବିହ୍ୱଳ ହୋଇପଡ଼ିଥିଲେ।

ବର୍ତ୍ତମାନ ସ୍ମିତ ଚିକିତ୍ସାଧୀନ ଥିବା ଏବଂ ତାଙ୍କ ଅବସ୍ଥା ସ୍ଥିର ରହିଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ ପକ୍ଷରୁ କୁହାଯାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ