ଭୁବନେଶ୍ୱର, ୧୬/୦୯: ବାଲେଶ୍ୱର ଭୋଗରାଇ ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନରେ ରଖାଯାଇଛି। ଉଦ୍ଧାର ପରେ ସେମାନଙ୍କ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଦିଗ ଉପରେ ନଜର ରଖାଯାଇଛି।
ବୁଧବାର ଏନେଇ ଏକ ବୈଷୟିକ କମିଟି ନନ୍ଦନକାନନରେ ପହଞ୍ଚି ୫ ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛି। PCCF ପ୍ରେମ କୁମାର ଝାଙ୍କ ଦ୍ୱାରା ଗଠିତ ଏହି କମିଟି ଶାବକମାନଙ୍କୁ ନିରୀକ୍ଷଣ କରିବା ସହ ସେମାନଙ୍କ ସମ୍ପର୍କରେ ବିଭିନ୍ନ ତଥ୍ୟ ସଂଗ୍ରହ କରିଛି।
ରକ୍ତ ପରୀକ୍ଷା ପରେ ସ୍ପଷ୍ଟ ହେବ ସ୍ଥିତି
ପ୍ରାଥମିକ ଯାଞ୍ଚରେ ୫ ଓରାଙ୍ଗଉଟାନ ଶାବକ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ରକ୍ତ ପରୀକ୍ଷାର ରିପୋର୍ଟ ଆସିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଅଧିକ ସ୍ପଷ୍ଟ ତଥ୍ୟ ମିଳିବ। ବୁଧବାର ସନ୍ଧ୍ୟା ସୁଦ୍ଧା କମିଟିର ରିପୋର୍ଟ ଆସିବାର ସମ୍ଭାବନା ରହିଛି।
ମୟସୁର ଡାକ୍ତରୀ ଟିମ୍ର ତଦାରଖ
ନନ୍ଦନକାନନ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରେ ଥିବା ହସ୍ତପାଳିତ ଶିଶୁ ପ୍ରାଣୀ କେନ୍ଦ୍ରରେ ଓରାଙ୍ଗଉଟାନମାନଙ୍କୁ ରଖାଯାଇଛି। ଯାଞ୍ଚ ସମୟରେ ନନ୍ଦନକାନନ ନିର୍ଦ୍ଦେଶକ ସନତ କୁମାର ନାରାୟଣ, ଉପନିର୍ଦ୍ଦେଶକ ପ୍ରଦୀପ ମିରାସେ ଦେବିଦାସ, ବରିଷ୍ଠ ପ୍ରାଣୀ ଚିକିତ୍ସକ ଡ. ଶରତ କୁମାର ସାହୁ ଓ ଓୟୁଏଟିର ଆଦିତ୍ୟ ଆଚାର୍ଯ୍ୟଙ୍କ ସମେତ ମୟସୁରରୁ ଆସିଥିବା ଡାକ୍ତରୀ ଦଳ ଉପସ୍ଥିତ ଥିଲେ।
ମୟସୁରରୁ ଆସିଥିବା ଡାକ୍ତରୀ ଦଳର କହିବାନୁସାରେ, ନନ୍ଦନକାନନରେ ଓରାଙ୍ଗଉଟାନ ଶାବକମାନଙ୍କର ଉପଯୁକ୍ତ ଯତ୍ନ ନିଆଯାଉଛି। ଏଠାରେ ଅଭିଜ୍ଞ କେୟାରଟେକର ମଧ୍ୟ ରହିଛନ୍ତି।
ହେବ DNA ପରୀକ୍ଷା
ଓରାଙ୍ଗଉଟାନ ଶାବକମାନଙ୍କର ପରବର୍ତ୍ତୀ ସମୟରେ DNA ପରୀକ୍ଷା କରାଯିବ। ଏହା ସହ ନନ୍ଦନକାନନରେ ସେମାନଙ୍କୁ ରଖାଯିବା ନେଇ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମତି ନିଆଯାଇପାରେ ବୋଲି ବୈଷୟିକ ଟିମ୍ର ସଦସ୍ୟ ସୂଚନା ଦେଇଛନ୍ତି।

