ନୂଆଦିଲ୍ଲୀ: ଯୁବାବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ଗୁପ୍ତଚର ମିଶନ୍ ସମୟରେ ନିଜ କ୍ୟାରିୟର ଶେଷ ହୋଇଯାଇଥିବା ଭାବିଥିଲେ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲ। ଆଇଆଇଟି ରୁରକୀର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ନିଜ ଯୁବବସ୍ଥାର ଏକ ଘଟଣା ସମ୍ପର୍କରେ ଏହି ସ୍ମୃତି ବାଣ୍ଟିଛନ୍ତି।
ସିକ୍କିମ୍ ଭାରତ ସହ ମିଶିବା ପ୍ରକ୍ରିୟା ଚାଲିଥିବା ସମୟରେ ଡୋଭାଲ ଜଣେ ଯୁବ IPS ଅଧିକାରୀ ଭାବେ ଗୁପ୍ତଚର ସେବାରେ କାର୍ଯ୍ୟ କରୁଥିଲେ। ସେତେବେଳେ ସୀମାନ୍ତ ଅଞ୍ଚଳରେ ଚୀନ୍ ସେନାର ଗତିବିଧି ଉପରେ ନଜର ରଖିବା ତାଙ୍କ ଦାୟିତ୍ୱର ଏକ ଅଂଶ ଥିଲା।
ଡୋଭାଲଙ୍କ କହିବା ଅନୁଯାୟୀ, ଏକ ଗୁରୁତ୍ୱପୂର୍ଣ୍ଣ ସୀମା ମିଶନ୍ରେ ଯାଇଥିବା ଏକ ଭାରତୀୟ ଗୁପ୍ତଚର ଦଳ ନିର୍ଦ୍ଧାରିତ ସମୟରେ ଫେରିନଥିଲା। ସେମାନଙ୍କ ସହ କୌଣସି ଯୋଗାଯୋଗ ମଧ୍ୟ ହୋଇପାରିନଥିଲା। ପ୍ରାକୃତିକ ବିପର୍ଯ୍ୟୟର କୌଣସି ସୂଚନା ନଥିବାରୁ ଘଟଣାକୁ ନେଇ ଚିନ୍ତା ବଢ଼ିଥିଲା।
କିଛି ଦିନ ପରେ ମୁଖ୍ୟାଳୟରୁ ତାଙ୍କ ପାଖକୁ ଖବର ଆସିଥିଲା ଯେ, ମିଶନ୍ରେ ଯାଇଥିବା ଟିମ୍କୁ ଚୀନ୍ ସେନା ଅଟକ ରଖିଛି। ଏହି ଖବର ତାଙ୍କୁ ଗଭୀର ଚିନ୍ତାରେ ପକାଇଦେଇଥିଲା।
ଡୋଭାଲ କହିଥିଲେ ଯେ, ସେତେବେଳେ ତାଙ୍କ ବୟସ ୨୦ ବର୍ଷରୁ ସାମାନ୍ୟ ଅଧିକ ଥିଲା। ଘଟଣା ପରେ ନିଜ କ୍ୟାରିୟର ଏଠାରେ ଶେଷ ହୋଇଯିବ ବୋଲି ସେ ଭାବିଥିଲେ। ତାଙ୍କ ଅଧୀନରେ କାମ କରୁଥିବା ଲୋକମାନେ ସୁରକ୍ଷିତ ଅଛନ୍ତି କି ନାହିଁ, ସେ ନେଇ ମଧ୍ୟ ସେ ଚିନ୍ତିତ ଥିଲେ।
ତେବେ ପରେ ସେହି ଗୁପ୍ତଚର ଦଳ ଭାରତ ଫେରିଥିଲା। ଏହା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରେ ଡୋଭାଲଙ୍କ କୌଣସି ଭୁଲ ନଥିବା ଜଣାପଡ଼ିଥିଲା। ମୁଖ୍ୟାଳୟରୁ ଦିଆଯାଇଥିବା ମାନଚିତ୍ରରେ ତ୍ରୁଟି ଥିବା ତଦନ୍ତ ସମୟରେ ସାମ୍ନାକୁ ଆସିଥିଲା।
ଏହି ଘଟଣାରୁ ମିଳିଥିବା ଶିକ୍ଷା ସମ୍ପର୍କରେ ମଧ୍ୟ ଡୋଭାଲ ଉଲ୍ଲେଖ କରିଥିଲେ। ତାଙ୍କ ସହ କାମ କରୁଥିବା ଜଣେ ବୟସ୍କ ତିବ୍ବତୀୟ ଶେରପା ତାଙ୍କୁ କହିଥିଲେ ଯେ, ଏହା ମ୍ୟାପ୍ ରିଡିଂର ଏକ ମାମଲା। କେହି ମାନଚିତ୍ରକୁ ଠିକ୍ ଭାବେ ପଢ଼ନ୍ତି, ଆଉ କେହି ସେଥିରେ ଭୁଲ କରିଥାନ୍ତି।
ଡୋଭାଲଙ୍କ ଏହି ଅନୁଭୂତି ତାଙ୍କ ଯୁବବସ୍ଥାରେ ଗୁପ୍ତଚର ସେବା ସମୟରେ ସାମ୍ନା କରିଥିବା ଚାପ ଓ ଦାୟିତ୍ୱର ଏକ ଝଲକ ଦେଇଛି।

