ବନ୍ୟାର ଦୁଃଖ ଭୁଲାଇଲା ଦୀପାବଳିର ଆଲୋକ, ବିପନ୍ନଙ୍କ ମୁହଁରେ ହସ ଫୁଟାଇଲା ପ୍ରଶାସନ
ଛତ୍ରପୁର, ୦୮।୧୧ : ବନ୍ୟାରେ ଉଜୁଡ଼ି ଯାଇଥିଲା ଘରଦ୍ୱାର, ମଉଳି ଯାଇଥିଲା ପର୍ବର ଖୁସି। ହେଲେ ଦୁଃଖ ଓ ଦୁର୍ଦ୍ଦଶା ଭିତରେ ବି ଫିକା ପଡ଼ିବାକୁ ଦେଲାନି ଦୀପାବଳିର ଆଲୋକ। ବନ୍ୟା ବିପନ୍ନଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କ ସହ ଖୁସି ବାଣ୍ଟିବାକୁ ଆଗେଇ ଆସିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ନିଜେ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବିପନ୍ନଙ୍କ ଘରେ ପହଞ୍ଚି ଦୀପାବଳିର ଉପହାର ବାଣ୍ଟିବା ସହ ପିଲାଙ୍କ ସହ ମିଶି ପର୍ବ ପାଳନ କରିଛନ୍ତି।
ବନ୍ୟାରେ ପ୍ରଭାବିତ ପରିବାରଙ୍କ ପାଇଁ ଏଥର ଦୀପାବଳିକୁ ସ୍ମରଣୀୟ କରିଛି ଗଞ୍ଜାମ ପ୍ରଶାସନର ଏହି ନିଆରା ପଦକ୍ଷେପ। ଛତ୍ରପୁର, ପୁରୁଷୋତ୍ତମପୁର, ଆସିକା ଓ ଧରାକୋଟ ବ୍ଲକର ବନ୍ୟାଞ୍ଚଳରେ ପହଞ୍ଚିଥିଲେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ। ବିପନ୍ନ ପରିବାରଙ୍କୁ ଦୀପାବଳି ପାଳନ ପାଇଁ ଦିଆଯାଇଥିଲା ସ୍ୱତନ୍ତ୍ର ଉପହାର କିଟ୍।
ଏହି କିଟ୍ରେ ରହିଥିଲା ନୂଆ ପୋଷାକ, ମିଠା, ଦୀପ, ବାଣ ସମେତ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ। ବନ୍ୟା ଯୋଗୁଁ ପର୍ବର ଖୁସିଠାରୁ ଦୂରେଇ ରହିଥିବା ପରିବାରଗୁଡ଼ିକ ପ୍ରଶାସନର ଏହି ସହଯୋଗ ପାଇ ଆଶ୍ୱସ୍ତ ହୋଇଥିଲେ।
ଏହି ଅବସରରେ ଜିଲ୍ଲାପାଳ କେବଳ ଉପହାର ବାଣ୍ଟି ନଥିଲେ, ବରଂ ପିଲାମାନଙ୍କ ସହ ମିଶି ଦୀପାବଳିର ଆନନ୍ଦ ଉପଭୋଗ କରିଥିଲେ। କୁନି କୁନି ପିଲାଙ୍କ ସହ ବାଣ ଫୁଟାଇ ଖୁସି ବାଣ୍ଟିଥିଲେ। ଜିଲ୍ଲାପାଳଙ୍କୁ ନିଜ ପାଖରେ ପାଇ ପିଲାମାନଙ୍କ ମଧ୍ୟରେ ମଧ୍ୟ ଦେଖିବାକୁ ମିଳିଥିଲା ଉତ୍ସାହ।
ବିପତ୍ତି ସମୟରେ କେବଳ ସହାୟତା ନୁହେଁ, ବରଂ ବିପନ୍ନଙ୍କ ସହ ଖୁସି ଓ ଦୁଃଖ ବାଣ୍ଟିବାର ଏହି ପ୍ରୟାସ ସମସ୍ତଙ୍କ ମନ ଜିଣିଛି। ବନ୍ୟାର ଦୁର୍ଦ୍ଦିନ ମଧ୍ୟରେ ପ୍ରଶାସନର ଏଭଳି ମାନବିକତାକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଉଛି।

