ଚେନ୍ନାଇ ସୁପରକିଙ୍ଗସର କପ୍ତାନ ଏମଏସ ଧୋନୀ ଅ।।ଇପିଏଲ ୨୦୨୩ ପାଇଁ ଏବେ ଜୋରଦାର ପ୍ରସ୍ତୁତିରେ ଲାଗିପଡିଛନ୍ତି । ୩୧ ମାର୍ଚରୁ ଆଇପିଏଲ ଆରମ୍ଭ ହେବ । ଆଇପିଏଲ ୨୦୨୩ର ପ୍ରଥମ ମୁକାବିଲା ଗୁଜୁରାଟ ଟାଇଟନ୍ସ ଓ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଖେଳାଯିବ । ତେବେ ପୂର୍ବରୁ କୁହାଯାଉଥିଲା କି, କପ୍ତାନ ଏମଏସ ଧୋନୀଙ୍କର ଏହା ଶେଷ ଆଇପିଏଲ ହୋଇପାରେ । ହେଲେ ଟିମର ଫାଷ୍ଟ ବୋଲର ଦୀପକ ଚହରଙ୍କ କହିବା କଥା ହେଲା କି, ଆଗକୁ ବି ଧୋନୀ ଖେଳିପାରନ୍ତି । ସେ କହିଛନ୍ତି, ଏହି କଥାର କିଚି ଗ୍ୟାରେଣ୍ଟି ନାହିଁ ଯେ, ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ରେ ଧୋନୀ ଶେଷଥର ପାଇଁ ଦେଖାଯିବେ । ୨୦୨୨ରେ ଯେତେବେଳେ ତାଙ୍କୁ ପଚରାଯାଇଥିଲା ୨୦୨୩ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ସେ ଆସିବେ କି ନାହିଁ, ଧୋନୀ କହିଥିଲେ, ନିଶ୍ଚିତ ଭାବେ ଖେଳିବି । ତେବେ ଦୀପକ କହିବାନୁସାରେ, କିଏ ବି ଏମିତି କହିନାହାନ୍ତି ଯେ, ଏହା ଧୋନୀଙ୍କ ଶେଷ ବର୍ଷ ହେବ । ଆଶା କରାଯାଉଛି କି, ସେ ଆହୁରି ଖେଳିବେ । ଆମେ ସମସ୍ତେ ଚାହୁଁଛୁ, ସେ ଯେତେ ଖେଳିପାରିବେ ଖେଳନ୍ତୁ ।
ଦୀପକ ଆହୁରି ମଧ୍ୟ କହିଛନ୍ତି କି, ୨୦୧୮ରୁ ମୁଁ ସିଏସକେ ସହ ଜଡିତ । ଧୋନୀଙ୍କୁ ଏହା କହିବା ଜରୁରୀ ନୁହଁ ଯେ, ତାଙ୍କୁ କେବେ ରିଟାୟାର ହେବାର ଅଛି । ସେ ନିଜେ ଜାଣିଛନ୍ତି କେବେ ସେ ଅବସର ନେବେ । ମୋତେ ଲାଗୁଛି ସେ ଖେଳ ଜାରି ରଖିବେ । ତାଙ୍କ ନେତୃତ୍ୱରେ ଖେଳିବା ହେଉଛି ସୌଭାଗ୍ୟର କଥା । ତାଙ୍କ ସହ ଖେଳିବା ଏକପ୍ରକାର ସ୍ୱପ୍ନ ବୋଲି କହିଛନ୍ତି ଦୀପକ ।
ତେବେ କ୍ୟାପଟେନ କୁଲ୍ ୨୦୦୮ରେ ଖେଳାଯାଇଥିବା ଆଇପିଏଲର ପ୍ରଥମ ସଂସ୍କରଣରୁ ଚେନ୍ନାଇ ସୁପର କିଙ୍ଗସ ସହ ଜଡିତ ଅଛନ୍ତି । ୨୦୧୬ରେ ଯେତେବେଲେ ସିଏସକେ ଉପରେ ୨ ବର୍ଷ ବ୍ୟାନ ଲାଗିଥିଲା, ସେତେବେଳେ ଧୋନୀ ରାଇଜିଂ ପୁନେ ସୁପରଜିଆଣ୍ଟସ ପାଇଁ ଖେଳିଥିଲେ । ସେହିପରି ଆଇପିଏଲ ୨୦୨୨ ଆରମ୍ଭର ୬ଟି ମ୍ୟାଚକୁ ଛାଡିଦେବା ପରେ ଧୋନୀ ହିଁ ସିଏସକେର କପ୍ତାନ ରହିଆସିଛନ୍ତି । ଗତ ସିଜିନରେ ଚେନ୍ନାଇ ସୁପର କିଙ୍ଗସ ରବୀନ୍ଦ୍ର ଜାଡେଜାଙ୍କୁ ଟିମର ଅଧିନାୟକ କରିଥିଲା । ହେଲେ ଜାଡେଜା ୬ଟି ମ୍ୟାଚରେ କପ୍ତାନୀ କରିବା ପରେ ଇସ୍ତଫା ଦେଇଥିଲେ ।

