କାଠମାଣ୍ଡୁ, ୩୦/୦୮: ନେପାଳରେ ବିନାଶକାରୀ ବନ୍ୟା ପରେ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଲୁଟ୍ ଘଟଣା। ପ୍ରଳୟଙ୍କରୀ ବନ୍ୟାରେ ଏକ ବ୍ୟାଙ୍କର ନଗଦ ଥିବା ସୁରକ୍ଷିତ ଲକର ବହୁ ଦୂର ପର୍ଯ୍ୟନ୍ତ ଭାସିଯାଇଥିଲା। ପରେ ଲକରଟି ନଦୀ କୂଳରେ ମିଳିବା ପରେ କିଛି ଲୋକ ଏହାକୁ ଭାଙ୍ଗି ଭିତରେ ଥିବା ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ନେପାଳ ପୁଲିସ ଏପର୍ଯ୍ୟନ୍ତ ୨୯ ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁସାରେ, ରସୁୱା ଜିଲ୍ଲାର ଭୋଟେକୋଶୀ ଅଞ୍ଚଳରେ ବନ୍ୟା ଆସିବା ପରେ ବ୍ୟାଙ୍କର ଏହି ସେଫ୍ ବନ୍ୟାଜଳରେ ଭାସିଯାଇଥିଲା। ପାଣିର ସ୍ରୋତରେ ଏହା ଅନେକ କିଲୋମିଟର ଦୂରକୁ ଚାଲିଯାଇ ଧାଡ଼ିଙ୍ଗ ଜିଲ୍ଲାର ଗଲଛି ଗ୍ରାମୀଣ ନଗରପାଳିକା-୪ ଅନ୍ତର୍ଗତ ବେଲଖୁଖୋଲା ଅଞ୍ଚଳରେ ତ୍ରିଶୁଳି ନଦୀ କୂଳରେ ପହଞ୍ଚିଥିଲା। ଅଗଷ୍ଟ ୨୬ରେ ସ୍ଥାନୀୟ ଲୋକେ ଏହାକୁ ଦେଖିଥିବା ଜଣାପଡ଼ିଛି।
ପୁଲିସର ସୂଚନା ଅନୁସାରେ, ଲକରଟି ମିଳିବା ପରେ କିଛି ଲୋକ ଏହାକୁ ଭାଙ୍ଗି ଭିତରୁ ନଗଦ ଟଙ୍କା ବାହାର କରି ନେଇଥିଲେ। ଏନେଇ ସୂଚନା ପାଇବା ପରେ ଧାଡ଼ିଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତ ଓ ଖୋଜାଖୋଜି ପରେ ୨୯ ଜଣଙ୍କୁ ଧରାଯାଇଛି। ସେମାନଙ୍କଠାରୁ ୯୨,୬୮,୫୦୫ ନେପାଳୀ ଟଙ୍କା ଜବତ ହୋଇଛି, ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୫୭ ଲକ୍ଷ ଟଙ୍କା।
ଗିରଫ ହୋଇଥିବା ଅଧିକାଂଶ ବ୍ୟକ୍ତି ଗଲଛି-୪ର ମସ୍ତାର ଅଞ୍ଚଳର ବାସିନ୍ଦା। ଏହାବ୍ୟତୀତ ଗଲଛି-୬ର ଆଦମଘାଟ ଓ ସିଦ୍ଧଲେଖ-୭ର ଆଦମତାର ଅଞ୍ଚଳର କିଛି ଲୋକ ମଧ୍ୟ ଏହି ମାମଲାରେ ଧରାପଡ଼ିଛନ୍ତି। ଚିତୱନ ଓ ପର୍ସାର କିଛି ଲୋକ ବର୍ତ୍ତମାନ ଧାଡ଼ିଙ୍ଗରେ ରହୁଥିବା ମଧ୍ୟ ପୁଲିସ କହିଛି। ଗିରଫ ବ୍ୟକ୍ତିମାନଙ୍କ ବୟସ ୧୯ରୁ ୪୯ ବର୍ଷ ମଧ୍ୟରେ ଥିବା ଜଣାପଡ଼ିଛି। ପୁଲିସ ଏବେ ଉଦ୍ଧାର ହୋଇଥିବା ଟଙ୍କା କେଉଁ ବ୍ୟାଙ୍କର ଥିଲା ଏବଂ ଏହି ଲୁଟ୍ରେ ଆଉ କେତେଜଣ ସାମିଲ ଅଛନ୍ତି, ସେନେଇ ତଦନ୍ତ କରୁଛି।
ଏହି ବନ୍ୟା ମଧ୍ୟରେ ନେପାଳରୁ ଆଉ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ନାରାୟଣୀ ନଦୀରେ ଭାସିଆସିଥିବା ଜଣେ ମହିଳାଙ୍କ ମୃତଦେହରୁ ସୁନା କାନଫୁଲ ଚୋରି କରିବା ଅଭିଯୋଗରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି। ୪୧ ସେକେଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ଫୁଟେଜ୍ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା।
ଏପଟେ ବନ୍ୟାର ଭୟାବହତା ମଧ୍ୟ କ୍ରମେ ସ୍ପଷ୍ଟ ହେଉଛି। ସଦ୍ୟ ରିପୋର୍ଟ ଅନୁସାରେ ନେପାଳ ଓ ତିବ୍ବତରେ ଏହି ବିପର୍ଯ୍ୟୟରେ ମୃତ୍ୟୁସଂଖ୍ୟା ୬୦୦ରୁ ଅଧିକ ହୋଇଛି ଏବଂ ହଜାର ହଜାର ଲୋକ ଏବେବି ନିଖୋଜ ଅଛନ୍ତି। ରାସ୍ତା, ସେତୁ ଓ ଜଳବିଦ୍ୟୁତ ପ୍ରକଳ୍ପ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାରକାରୀ ଦଳ ଏବେ ମଧ୍ୟ ନିଖୋଜଙ୍କ ସନ୍ଧାନ ଓ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇବାରେ ନିୟୋଜିତ ଅଛନ୍ତି।

