ଭୁଵନେଶ୍ୱର : ପ୍ରଥମ ଶ୍ରେ ଣୀ ସାହିତ୍ୟ ପାଠ୍ୟପୁସ୍ତକରେ ଗୁରୁତର ତ୍ରୁଟି ନେଇ ଅଭିଭାବକ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି। ‘ଝୁଲଣା–୧’ ପାଠ୍ୟପୁସ୍ତକରେ ଓଡ଼ିଆ ବର୍ଣ୍ଣମାଳା ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଥିବା ବେଳେ, ପରବର୍ତ୍ତୀ କ୍ରମରେ ‘ଟ’, ‘ମ’, ‘ଗ’ ଓ ‘ର’ ରହିଛି। ଏହା ପରେ ‘ଆ’ ଏବଂ ତା’ ପରେ ‘ଝ’ ଓ ‘କ’ ସ୍ଥାନ ପାଇଥିବା ଦେଖାଯାଇଛି। ଏଭଳି ଅସ୍ୱାଭାବିକ ବର୍ଣ୍ଣକ୍ରମକୁ ନେଇ ପ୍ରଶ୍ନ ଉଠିଛି।
କେବଳ ବର୍ଣ୍ଣମାଳା ନୁହେଁ, ପାଠ୍ୟପୁସ୍ତକର ଆରମ୍ଭରେ ସ୍ଥାନ ପାଇଥିବା ‘ବନ୍ଦେ ଉତ୍କଳ ଜନନୀ’ ଓ ଜାତୀୟ ସଙ୍ଗୀତରେ ମଧ୍ୟ ତ୍ରୁଟି ଥିବା ଅଭିଯୋଗ ହୋଇଛି। ‘ବନ୍ଦେ ଉତ୍କଳ ଜନନୀ’ରେ ‘ଘନ ଘନ ବନଭୂମି’ ପରିବର୍ତ୍ତେ ‘ଘନ ବନଭୂମି’ ଲେଖାଯାଇଥିବା ବେଳେ, ଜାତୀୟ ସଙ୍ଗୀତରେ ‘ଉତ୍କଳ’ ଶବ୍ଦରେ ମଧ୍ୟ ତ୍ରୁଟି ଥିବା ଦେଖିବାକୁ ମିଳିଛି।
ଏଭଳି ଗୁରୁତର ତ୍ରୁଟିକୁ ନେଇ ଅଭିଭାବକ ଓ ବୁଦ୍ଧିଜୀବୀ ମହଳରେ ଉଦ୍ବେଗ ପ୍ରକାଶ ପାଇଛି। ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ତୁରନ୍ତ ସଂଶୋଧନ କରି ନୂତନ ପୁସ୍ତକ ବଣ୍ଟନ କରିବା ସହ ଏହି ତ୍ରୁଟି ପାଇଁ ଦାୟୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ଦାବି ଉଠିଛି।

