ଆଇପିଏଲ ୨୦୨୩ ଆରମ୍ଭ ହେବା ପାଇଁ ଆଉ ରହିଲା ମାତ୍ର କେଇଟା ଦିନ । ହେଲେ ଏହା ପୂର୍ବରୁ ରୟାଲ ଚାଲେଂଜର୍ସ ବ୍ୟାଙ୍ଗାଲୋର ନିଜ ଟିମରେ କରିଚି ବଡ ପରିବର୍ତନ । ଆହତ କାରଣରୁ ବିଲ୍ ଜ୍ୟାକ୍ସ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ବାହାରି ଥିବା ବେଳେ ତାଙ୍କ ରିପ୍ଲେସମେଣ୍ଟରେ ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ମାଇକଲ ବ୍ରେସେଓଲଙ୍କୁ ସ୍ଥାନ ମିଳିଛି । ଅବଶ୍ୟ ନିକଟରେ ଭାରତ ବିପକ୍ଷରେ ହୋଇଥିବା ଦିନିକିଆ ସିରିଜରେ ଦମଦାର ଖେଳ ପ୍ରଦର୍ଶନ କରିଥିଲେ ବ୍ରେସେଓଲ ।
ବାଙ୍ଗଲାଦେଶ ଗସ୍ତ ବେଳେ ଆହତ ହୋଇଥିଲେ ଇଂଲଣ୍ଡର ବିଲ୍ ଜ୍ୟାକ୍ସ । ନିଲାମୀ ବେଲେ ଆରସିବି ତାଙ୍କୁ ୩ କୋଟି ୨ଲକ୍ଷ ଦେଇ ନିଜ ଦଳରେ ସାମିଲ କରିଥିଲା । ଜ୍ୟାକ୍ସ ବାହାରିବା ପରେ ଏବେ ଆରସିବି ମାଇକଲଙ୍କୁ ୧ କୋଟି ବେସପ୍ରାଇସରେ ନିଜ ଟିମରେ ସାମିଲ କରିଛି । ବ୍ରେସେଓଲ ଭାରତ ଗସ୍ତ ବେଳେ ୧୪୦ ରନର ଧୂଆନ୍ଧର ପାରି ଖେଳି ସମସ୍ତ ଫ୍ରାଂଚାଇଜିଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଥିଲେ । ଦେଖିବାକୁ ଗଲେ, ଏବେ ଯାଏଁ ଖେଳିଥିବା ୧୧୭ଟି ଟି୨୦ ମୁକାବିଲାରେ ସେ କରିଛନ୍ତି ୨୨୮୪ ରନ୍ । ଯେଉଁଥିରେ ଗୋଟିଏ ଶତକ ଓ ୧୩ଟି ଅର୍ଦ୍ଧଶତକ ସାମିଲ ରହିଛି । ବ୍ରେସେଓଲ ଏହା ମଧ୍ୟରେ ୪୦ଟି ଓିକେଟ ମଧ୍ୟ ନେଇସାରିଛନ୍ତି । ତେବେ ସେ ବର୍ତମାନ ଶ୍ରୀଲଙ୍କା ବିପକ୍ଷ ଜାରୀ ୨ୟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଟିମ ର ଅଂଶ ରହିଛନ୍ତି । ଦିନିକିଆ ସିରିଜରେ ବି ତାଙ୍କର ଚୟନ ହୋଇଥିଲା । ହେଲେ ଆଇପିଏଲରେ ତାଙ୍କ ଚୟନ ହେବା ପରେ ସେ ଏହି ସିରିଜ ଖେଳିପାରିବେ ନାହିିଁ ଓ ନ୍ୟୁଜିଲାଣ୍ଡ କ୍ରିକେଟ ତାଙ୍କୁ ଟେଷ୍ଟ ସିରିଜ ପରେ ରିଲିଜ କରିଦେବ । ଏବେ ରଚିନ ରବୀନ୍ଦ୍ରଙ୍କୁ ଦିନିକିଆ ଟିମରେ ତାଙ୍କ ରିପ୍ଲେସମେଣ୍ଟ ଭାବରେ ଚୟନ କରାଯାଇଛି । ସେପଟେ ଆରସିବି ନିଜର ପ୍ରଥମ ମୁକାବିଲା ୨ ଏପ୍ରିଲରେ ୫ ଥର ଚାମ୍ପିୟନ ବନିଥିବା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବ ବୋଲି ଜଣାପଡିଛି ।

