ପୁରା ବିଶ୍ବରେ ଭାରତ ତାର ଆଧିପତ୍ୟ ବଜାୟ ରଖିଛି ସତ ମାତ୍ର ଯେତେବେଳେ ସୁଖି ରାଷ୍ଟ୍ରର କଥା ଆସେ ଭାରତ ସେତେବେଳେ ପଛରେ ପଡିଯାଏ । ସୁଖି ରାଷ୍ଟ୍ର ହିସାବରେ 126 ତମ ସ୍ଥାନରେ ରହିଛି ଭାରତ । ଗ୍ଲୋବାଲ ହାପିନେସ ରିପୋର୍ଟ ୨୦୨୩ ଜାରି ହୋଇଛି । ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ତାଲିକାର ଶୀର୍ଷରେ ରହିଛି ଫିନଲାଣ୍ଡ। ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଗତ 6 ବର୍ଷ ଧରି ଏହି ତାଲିକାର ଏକ ନମ୍ବର ସ୍ଥାନରେ ରହି ଆସୁଛି ଫିନଲାଣ୍ଡ । ତେବେ ୟୁଏନ ସସଟେନବୁଲ ଡେଭଲପମେଣ୍ଟ ସଲ୍ୟୁସନ ନେଟୱାର୍କ ପକ୍ଷରୁ ଜାରି ଏହି ରିପୋର୍ଟ ଏସିଆ ପାଇଁ ବେଶ୍ ନୈରାଶଜନକ ।

ତାଲିକାର ଶୀର୍ଷରେ ଫିନଲାଣ୍ଡ ଥିବା ବେଳେ 7.84 ଅଙ୍କ ହାସଲ କରିଛି । ଫିନଲାଣ୍ଡର ଜନସଂଖ୍ୟା ମାତ୍ର 55 ଲକ୍ଷ । ତାଲିକାର ଦ୍ୱିତୀୟରେ ଡେନମାର୍କ, ତୃତୀୟରେ ଆଇସଲାଣ୍ଡ, ଚତୁର୍ଥରେ ଇଜ୍ରାଇଲ ଓ ପଞ୍ଚମ ସ୍ଥାନରେ ରହିଛି ନେଦରଲାଣ୍ଡ । ବିଶ୍ୱର ସୁଖୀ ରାଷ୍ଟ୍ର ତାଲିକାର ଷଷ୍ଠ ସ୍ଥାନରେ ସ୍ୱିଡେନ, ୭ ନମ୍ବର ସ୍ଥାନରେ ନରୱେ, ୮ ନମ୍ବରରେ ସ୍ୱିଜରଲାଣ୍ଡ, ୯ ନମ୍ବର ସ୍ଥାନରେ ଲକଜମବର୍ଗ ଓ ୧୦ ନମ୍ବର ସୁଖୀ ଦେଶ ଭାବେ ତାଲିକାରେ ନ୍ୟୁଜିଲାଣ୍ଡ ସ୍ଥାନ ପାଇଛି । ସେହିପରି 11 ନମ୍ବର ସ୍ଥାନରେ ଅଷ୍ଟ୍ରିଆ, 12 ନମ୍ବର ସ୍ଥାନରେ ଅଷ୍ଟ୍ରେଲିଆ, 13 ନମ୍ବର ସ୍ଥାନରେ କାନାଡା, 14ରେ ଆୟରଲାଣ୍ଡ, 15ରେ ୟୁନାଇଟେଡ ଷ୍ଟେଟ, 16ରେ ଜର୍ମାନୀ, 17ରେ ବେଲଜିଅମ, 18ରେ ଚେକ୍ ରିପବ୍ଲିକ, 19ରେ ୟୁନାଇଟେଡ ଏବଂ 20 ନମ୍ବର ସ୍ଥାନରେ ରହିଛି ଲିଥୁଆନିଆ ।
ଲୋକଙ୍କ ଜୀବନଶୈଳୀ, ଦେଶର ଜିଡିପି, ସୋସିଆଲ ଷ୍ଟାଟସ,ସୋସିଆଲ ସପୋର୍ଟ, କମ ଦୁର୍ନୀତି, ଆୟ, ସ୍ୱାସ୍ଥ୍ୟ, ଶିକ୍ଷା, ପରସ୍ପର ପ୍ରତି ଉଦାରତା ଓ ପରସ୍ପର ପ୍ରତି ଭଲ ପାଇବା ଆଧାରରେ ଓ୍ବାର୍ଲଡ ହାପିନେସ ରିପୋର୍ଟ ତାଲିକା ପ୍ରସ୍ତୁତ କରାଯାଇଥାଏ । ଫିନଲାଣ୍ଡ ଏ ସମସ୍ତ କ୍ଷେତ୍ରରେ ଆଗରେ ରହିଥିବାରୁ ତାହାକୁ ପୁଣି ଥରେ ପ୍ରଥମ ସ୍ଥାନରେ ରଖାଯାଇଛି । ପୂର୍ବ ଅପେକ୍ଷା ଭାରତର ରାକିଂ ରେ ସୁଧାର ଆସିଛି । ପୂର୍ବରୁ ଭାରତ 139ତମ ସ୍ଥାନରେ ଥିଲା, ମାତ୍ର ଚଳିତ ବର୍ଷ ଭାରତ 126 ତମ ସ୍ଥାନରେ ପହଞ୍ଚିବାର ସକ୍ଷମ ହୋଇଛି । ଭାରତ ପରେ ଆଫଗାନିସ୍ତାନକୁ 137ତମ ସ୍ଥାନ ମିଳିଛି । ତେବେ ସୁଖୀ ରାଷ୍ଟ୍ର ତାଲିକାରେ ପଡୋଶୀ ବାଂଲାଦେଶ, ନେପାଳ, ଚୀନ ଓ ଶ୍ରୀଲଙ୍କା ଠାରୁ ଭାରତ ପଛରେ ପଡିଯାଇଛି ।

