ଜଳୁଛି ଆଫଗାନିସ୍ତାନ । ଆଗକୁ ଆହୁରି ଜଳିବ । ଟିକିଏ ଶାନ୍ତି ବି ରହିବନି । ଆଇଏସ ଆଉ ତାଲିବାନର ଆତଙ୍କରେ ଆହୁରି ଥରହର ହେବେ ଆଫଗାନବାସୀ । ଧୀରେ ଧୀରେ ଧ୍ବଂସ ହୋଇଯିବ ଏହି ଦେଶ । ତେବେ ଆଫଗାନିସ୍ତାନର ଧ୍ବଂସ ଲୀଳା ସହ ରହିଛି ମହାଭାରତର କାହାଣୀ । କୁଆଡେ ଗାନ୍ଧାରୀଙ୍କ ଅଭିଶାପରେ ଏମିତି ଦଶା ଭୋଗୁଛି ଆଫଗାନିସ୍ତାନ ।
ଆଫଗାନିସ୍ତାନର ମହାଭାରତ ସହ ସିଧାସଳଖ ସମ୍ପର୍କ । ହଜାର ହଜାର ବର୍ଷ ତଳେ ଆଫଗାନିସ୍ତାନର ପ୍ରାଚୀନ ନାଁ ଥିଲା ଗାନ୍ଧାର । ଧୂତରାଷ୍ଟ୍ରଙ୍କୁ ବାହା ହୋଇଥିଲେ ଗାନ୍ଧାର ରାଜକୁମାରୀ ଗାନ୍ଧାରୀ । କୁରୁ ବଂଶର ହୋଇଥିଲା ଆରମ୍ଭ । ଆଉ ଗାନ୍ଧାରର ଶାସନ ଡୋରି ଧରିଥିଲେ ଗାନ୍ଧାରୀଙ୍କ ଭାଇ ସକୁନି ।
ମହାଭାରତ ଯୁଦ୍ଧ ପାଇଁ ସକୁନି ଥିଲେ ଦାୟୀ । ତାଙ୍କ କୁଚକ୍ରି କଥା ଆଉ ପଶା ଖେଳରେ ମୁହାଁମୁହିଁ ହୋଇଥିଲେ କୌରବ ଏବଂ ପାଣ୍ଡବ । ଶେଷରେ ପାଣ୍ଡଵଙ୍କର ହୋଇଥିଲା ବିଜୟ । ଯୁଦ୍ଧରେ ମରିଥିଲେ ଦୁର୍ଯ୍ୟୋଧନ, ଦୁଃଶାସନଙ୍କ ଭଳି ଗାନ୍ଧାରୀଙ୍କ ଶହେ ପୁଅ । କେତେକେତେ ରାଜା ବୀରଗତି ପ୍ରାପ୍ତ କରିଥିଲେ । ଭୟଙ୍କର ସଂଗ୍ରାମ ଦେଖିଥିଲା ସେତେବେଳର ପୃଥିବୀ । ଏହି ସବୁ କଥା ଗାନ୍ଧାରୀଙ୍କୁ ଖୁବ୍ କଷ୍ଟ ଦେଇଥିଲା । ସେ ଅସହ୍ୟ ହୋଇ ପଡିଥିଲେ । କାରଣ ସବୁ ପରିଜନଙ୍କୁ ହରାଇ ସାରିଥିଲେ ସେ । ଏବଂ କ୍ରୋଧରେ ଭାଇ ସକୁନିଙ୍କ ଦେଇଥିଲେ ଭୟଙ୍କର ଅଭିଶାପ ।
ଗାନ୍ଧାରୀ କହିଥିଲେ, ସକୁନିଙ୍କ ପାଇଁ ସେ ହରାଇଛନ୍ତି ଶହେ ପୁଅ । ଗୋଟିଏ ପରେ ଗୋଟିଏ ସମସ୍ତ ପ୍ରିୟ ପୁତ୍ର ଯୁଦ୍ଧଭୂମିରୁ ଫେରିନାହାଁନ୍ତି । ଏଥିପାଇଁ କେବଳ ସକୁନି ହିଁ ଦାୟୀ । ସକୁନିଙ୍କ କୁଟିଳ ବୁଦ୍ଧି ପାଇଁ ବୁଡ଼ିଯାଇଛି କୁରୁକୂଳ । ତେଣୁ କେବେବି ସକୁନିଙ୍କ ରାଜ୍ୟରେ ରହିବନି ଶାନ୍ତି । ସଦାବେଳେ ରହିବ ଅଶାନ୍ତିର ମାହୋଲ । କଥା କଥାରେ ନିଆଁ ଜଳିବ । ଖୁବ୍ କଷ୍ଟ ଆଇ ଯନ୍ତ୍ରଣାରେ ଛଟପଟ ହେବେ ରାଜ୍ୟବାସୀ ।
ଯାହା ଆଜି ସତ ହୋଇଛି ବୋଲି କୁହନ୍ତି ଅନେକ । କାରଣ ପୁରା ବିଶ୍ୱ ଦେଖୁଛି ଆଫଗାନିସ୍ତାନର ଅବସ୍ଥା । ଆଫଗାନିସ୍ତାନର ଅଶାନ୍ତି ପାଇଁ ଗାନ୍ଧାରୀଙ୍କ ଅଭିଶାପକୁ ଦାୟୀ କରନ୍ତି ସମସ୍ତେ । ଆଉ କେହି କେହି କରନ୍ତି ଅବିଶ୍ୱାସ ।

