ବ୍ରହ୍ମପୁର, ୧।୧୧: ସମ୍ଭାବ୍ୟ ବାତ୍ୟାକୁ ନେଇ ବଢ଼ିଲା ଚିନ୍ତା। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାବାସୀଙ୍କୁ ସତର୍କ କରିଛି ଜିଲ୍ଲା ପ୍ରଶାସନ। ନଭେମ୍ବର ୨, ୩ ଓ ୪ ତାରିଖରେ ସମ୍ଭାବ୍ୟ ବାତ୍ୟା ସହ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ଓ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ଆଗୁଆ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
ବିଶେଷକରି ନଦୀକୂଳ, ତଳିଆ ଅଞ୍ଚଳ ଏବଂ ବିପଦପୂର୍ଣ୍ଣ ସ୍ଥାନରେ ବସବାସ କରୁଥିବା ଲୋକେ ଅଧିକ ସଚେତନ ରହିବାକୁ କୁହାଯାଇଛି। ଆବଶ୍ୟକ ପଡ଼ିଲେ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ଅନ୍ୟ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ରହିଛି।
ସେହିପରି ଗର୍ଭବତୀ ମହିଳା, ଛୋଟ ପିଲା, ବୟସ୍କ ଏବଂ ଅସୁସ୍ଥ ବ୍ୟକ୍ତିଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପରାମର୍ଶ ଦିଆଯାଇଛି। ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନଯିବାକୁ କଡ଼ା ନିର୍ଦ୍ଦେଶ ଜାରି ହୋଇଛି।
ବର୍ଷା ସମୟରେ ପ୍ରବାହିତ ନଦୀ, ନାଳ ଓ ଜଳମଗ୍ନ ରାସ୍ତା ପାର ନହେବାକୁ କୁହାଯାଇଛି। ଏଥିସହ ବିଦ୍ୟୁତ୍ ଖୁଣ୍ଟ, ବିଦ୍ୟୁତ୍ ତାର ଏବଂ ବଡ଼ ଗଛଠାରୁ ଦୂରରେ ରହିବାକୁ ଲୋକଙ୍କୁ ସତର୍କ କରାଯାଇଛି।
ସମ୍ଭାବ୍ୟ ବିପଦକୁ ମୁକାବିଲା କରିବା ପାଇଁ ଘରେ ଶୁଖିଲା ଖାଦ୍ୟ, ପିଇବା ପାଣି, ଆବଶ୍ୟକ ଔଷଧ ଓ ଅନ୍ୟ ଜରୁରୀ ସାମଗ୍ରୀ ଆଗୁଆ ରଖିବାକୁ ପ୍ରଶାସନ ପରାମର୍ଶ ଦେଇଛି। ପାନୀୟ ଜଳକୁ ଫୁଟାଇ ବ୍ୟବହାର କରିବା ସହ ଗୃହପାଳିତ ପଶୁଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି।
ଅନ୍ୟପଟେ ବାତ୍ୟାକୁ ନେଇ କୌଣସି ଗୁଜବରେ ବିଶ୍ୱାସ ନକରି କେବଳ ଜିଲ୍ଲା ପ୍ରଶାସନ ଓ ପାଣିପାଗ ବିଭାଗର ସରକାରୀ ସୂଚନା ଉପରେ ଭରସା କରିବାକୁ ଅପିଲ୍ କରାଯାଇଛି। ଲୋକଙ୍କ ଜୀବନ ଓ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ସମସ୍ତେ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।

