ଆନ୍ଧ୍ର ଏବଂ ଓଡ଼ିଶାରେ ବାତ୍ୟାର ପ୍ରକୋପ : ସବୁ ଭାଙ୍ଗିଦେଲା, ଆଜି ବି ପ୍ରବଳ ବର୍ଷା

ଭୁବନେଶ୍ୱର, ୨୯/୧୦: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଜନଜୀବନ ପ୍ରଭାବିତ ହୋଇଛି। ଆନ୍ଧ୍ରପ୍ରଦେଶ ଉପକୂଳରେ ବାତ୍ୟାର ସ୍ଥଳଭାଗ ପ୍ରବେଶ ପ୍ରକ୍ରିୟା ଶେଷ ହେବାକୁ ପ୍ରାୟ ସାଢ଼େ ୬ ଘଣ୍ଟା ଲାଗିଥିଲା। ଓଡ଼ିଶା ଉପରେ ବାତ୍ୟାର ସିଧାସଳଖ ମାଡ଼ ହୋଇନଥିଲେ ମଧ୍ୟ ଲଗାଣ ବର୍ଷା ଓ ପବନ ଯୋଗୁଁ ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି।

ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ପୁରୀ ଜିଲ୍ଲାରେ ବାତ୍ୟାର ପ୍ରଭାବ ଅଧିକ ଅନୁଭୂତ ହୋଇଛି। ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ କେତେକ ଅଞ୍ଚଳରେ ଭୂସ୍ଖଳନ ଘଟିଛି। ନଦୀଗୁଡ଼ିକର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ଦକ୍ଷିଣ ଓଡ଼ିଶାରେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୮୪ କିଲୋମିଟର ଛୁଇଁଥିବାବେଳେ ଅନେକ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି। ବିଦ୍ୟୁତ୍‌ ସରବରାହ ମଧ୍ୟ ବାଧାପ୍ରାପ୍ତ ହୋଇଛି।

ଦୁର୍ବଳ ହେଉଛି ବାତ୍ୟା, ଜାରି ରହିବ ବର୍ଷା

ସ୍ଥଳଭାଗ ଛୁଇଁବା ସମୟରେ ବାତ୍ୟାର ସ୍ଥାୟୀ ପବନ ବେଗ ଘଣ୍ଟାପ୍ରତି ୧୨୫ରୁ ୧୩୫ କିଲୋମିଟର ରହିଥିବାବେଳେ ଝଟକା ପବନର ବେଗ ୧୫୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିଥିଲା। ପରବର୍ତ୍ତୀ ସମୟରେ ଏହାର ତୀବ୍ରତା ଧୀରେ ଧୀରେ ହ୍ରାସ ପାଇଥିଲା। ସନ୍ଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଥିଲା। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ରହିଥିବାବେଳେ ଝଟକା ପବନର ବେଗ ୧୦୦ କିଲୋମିଟର ଛୁଇଁଥିଲା।

ଆଗାମୀ କିଛି ଘଣ୍ଟା ମଧ୍ୟରେ ବାତ୍ୟାଟି ଗଭୀର ଅବପାତରେ ପରିଣତ ହେବା ସହ ଗୁରୁବାର ସକାଳ ସୁଦ୍ଧା ଅବପାତର ରୂପ ନେଇପାରେ। ପରେ ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି।

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା

ବୁଧବାର ବିଳମ୍ବିତ ରାତିରୁ ଗୁରୁବାର ସକାଳ ମଧ୍ୟରେ ମାଲକାନଗିରି ସମେତ ଛତିଶଗଡ଼ ସଂଲଗ୍ନ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହି ଅଞ୍ଚଳରେ ପବନର ପ୍ରଭାବ ମଧ୍ୟ ଅନୁଭୂତ ହୋଇପାରେ।

ବାତ୍ୟା ଦୁର୍ବଳ ହେବା ପରେ ଗୁରୁବାର ଛତିଶଗଡ଼ ସୀମାକୁ ଲାଗିଥିବା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷାର ପ୍ରକୋପ ବଢ଼ିପାରେ।

ଭାରତୀୟ ପାଣିପାଗ ବିଭାଗ (IMD)ର ଆକଳନ ଅନୁଯାୟୀ, ଗୁରୁବାର ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ଝଟକା ପବନର ବେଗ ୬୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ।

ସେହିପରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗୀର ଓ ଦେବଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ଝଟକା ପବନର ବେଗ ୫୦ କିଲୋମିଟର ଛୁଇଁବା ଆଶଙ୍କା ରହିଛି। ତେବେ ଅକ୍ଟୋବର ୩୦ ତାରିଖରୁ ବର୍ଷାର ପ୍ରଭାବ ଧୀରେ ଧୀରେ କମିବା ସମ୍ଭାବନା ରହିଛି।

ଗଜପତିରେ ଭୂସ୍ଖଳନ, ରାସ୍ତାରେ ଜମିଲା ପାଣି

ବାତ୍ୟାର ସ୍ଥଳଭାଗ ପ୍ରବେଶ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷା ଓ ପବନର ତୀବ୍ରତା ବଢ଼ିଥିଲା। ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ଅନ୍ତର୍ଗତ ରେଗେଡିସିଂ ପାହାଡ଼ରୁ ମାଟି ଅତଡ଼ା ଖସି ଗାଁ ଭିତରକୁ ମାଡ଼ି ଆସିଥିଲା। ଏହାଦ୍ୱାରା ଗାଁର ମୁଖ୍ୟ ରାସ୍ତା ଅବରୋଧ ହୋଇଯାଇଛି।

ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ପଡ଼ିଥିବାରୁ ଯୋଗାଯୋଗ ଏବଂ ବିଦ୍ୟୁତ୍‌ ସେବା ପ୍ରଭାବିତ ହୋଇଛି। ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମହେନ୍ଦ୍ରଗିରିକୁ ଯିବା ରାସ୍ତାର କଇଁପୁର-ବୁରୁଖୁତ ମୁଖ୍ୟ ସଡ଼କରେ ଆଣ୍ଠୁଏ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି।

କଇଁପୁର ପଞ୍ଚାୟତର ଓଡ଼ାଲିଙ୍ଗ ଗ୍ରାମର ତଳସାହିରେ ଗଛ ପଡ଼ି ବିଦ୍ୟୁତ୍‌ ତାର ଛିଣ୍ଡିଯାଇଛି। ସେହିପରି ଗଣ୍ଡାହାତୀ ପଞ୍ଚାୟତ କାର୍ଯ୍ୟାଳୟ କୋଠା ଉପରେ ଏକ ବଡ଼ ଗଛ ଭାଙ୍ଗି ପଡ଼ିଛି।

ବାତ୍ୟାର ପ୍ରଭାବ କ୍ରମଶଃ କମୁଥିବା ସତ୍ତ୍ୱେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ଓ ପବନକୁ ନେଇ ଆଶଙ୍କା ଜାରି ରହିଛି। ଏଭଳି ସ୍ଥିତିରେ ପ୍ରଭାବିତ ଅଞ୍ଚଳରେ ରାସ୍ତାଘାଟ ସଫା କରିବା, ବିଦ୍ୟୁତ୍‌ ସେବା ପୁନରୁଦ୍ଧାର କରିବା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ