ଭୁବନେଶ୍ୱର, ୨୯।୧୦: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ହେବା ପରେ ବନ୍ୟା ଆଶଙ୍କା ବଢ଼ିଛି। ବିଶେଷକରି ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବଂଶଧାରା ଓ ଋଷିକୁଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ନଦୀଗୁଡ଼ିକର ଜଳସ୍ତର ଉପରେ ଜଳସମ୍ପଦ ବିଭାଗ ନଜର ରଖିଥିବା ବେଳେ ଆଗାମୀ ସମୟରେ ସ୍ଥିତି ସୁଧୁରିବା ନେଇ ଆଶା ରହିଛି।
ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତଙ୍କ ସୂଚନା ଅନୁଯାୟୀ, ଋଷିକୁଲ୍ୟା ନଦୀ ଅବବାହିକାରେ ପ୍ରାୟ ୨୦୦ ମିଲିମିଟର ଓ ବଂଶଧାରା ଅବବାହିକାରେ ୧୨୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏଥିସହ ରାଜ୍ୟର ୪୭ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି।
ବିପଦ ସଙ୍କେତ ଟପିଲା ଋଷିକୁଲ୍ୟା
ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରରେ ଋଷିକୁଲ୍ୟା ନଦୀର ଜଳସ୍ତର ୧୯ ମିଟରରେ ପହଞ୍ଚିଛି। ଏଠାରେ ବିପଦ ସଙ୍କେତ ୧୭ ମିଟର ଥିବାରୁ ନଦୀର ଜଳସ୍ତର ବିପଦ ସଙ୍କେତଠାରୁ ପ୍ରାୟ ୨ ମିଟର ଉପରେ ପ୍ରବାହିତ ହେଉଛି। ସେହିପରି ବାଉନ୍ଦା ନଦୀରେ ମଧ୍ୟ ବନ୍ୟା ସ୍ଥିତି ଦେଖାଦେଇଛି।
ଜଳସମ୍ପଦ ବିଭାଗର ଆକଳନ ଅନୁଯାୟୀ, ଗୁରୁବାର ଅପରାହ୍ନ ୪ଟା ପରେ ବନ୍ୟା ସ୍ଥିତିରେ ସୁଧାର ଆସିପାରେ। ଶୁକ୍ରବାର ସକାଳ ସୁଦ୍ଧା ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବାର ସମ୍ଭାବନା ରହିଛି। ତେବେ ବାଉନ୍ଦା ନଦୀର ଜଳସ୍ତର କମିବାକୁ ଆହୁରି ୬ରୁ ୮ ଘଣ୍ଟା ସମୟ ଲାଗିପାରେ। ବନ୍ୟା ସ୍ଥିତି ଯୋଗୁଁ ଟ୍ରେନ୍ ଚଳାଚଳ ଉପରେ ମଧ୍ୟ ପ୍ରଭାବ ଜାରି ରହିବା ଆଶଙ୍କା ରହିଛି।
ବାଘଲତି ଜଳଭଣ୍ଡାରର ୪ଟି ଗେଟ୍ ଖୋଲା
ବାଘଲତି ଜଳଭଣ୍ଡାରର ୪ଟି ଗେଟ୍ ଖୋଲା ରଖାଯାଇଛି। ଅନ୍ୟପଟେ ଜଳଭଣ୍ଡାରକୁ ଜଳ ପ୍ରବେଶର ପରିମାଣ ହ୍ରାସ ପାଇଛି। ଆଗାମୀ ଦିନରେ ହେବାକୁ ଥିବା ବର୍ଷାରୁ ଅଧିକ ଜଳ ଆସିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଜଳ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଉଛି।
ବର୍ତ୍ତମାନ ମହାନଦୀର ଜଳସ୍ତର ୬୨୭ ଫୁଟ ରହିଛି। ଆବଶ୍ୟକ ପଡ଼ିଲେ ଅକ୍ଟୋବର ୩୦ ତାରିଖରେ ଜଳଭଣ୍ଡାରର ଗେଟ୍ ଖୋଲାଯାଇପାରେ। ତେବେ ବର୍ତ୍ତମାନ ମହାନଦୀରେ ବନ୍ୟା ଆଶଙ୍କା ନଥିବା ସ୍ପଷ୍ଟ କରିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ।
ସମଗ୍ର ରାଜ୍ୟରେ ବର୍ଷା ଓ ନଦୀଗୁଡ଼ିକର ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଇଛି। ସ୍ଥିତିର ସମୀକ୍ଷା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।

