ଆସିଗଲେ ନବୀନ : BJPଓ ମୋଦିଙ୍କୁ ଧୋଇଦେଲେ, ଏବେ ଅସଲ ଲଢେଇ

ଭୁବନେଶ୍ୱର: ରାଜ୍ୟର ବିଜେପି ସରକାରକୁ ନେଇ ବର୍ଷିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଡବଲ ଇଞ୍ଜିନ ସରକାରର କାର୍ଯ୍ୟଶୈଳୀକୁ ସମାଲୋଚନା କରିବା ସହ ଗତ ଅଢ଼େଇ ବର୍ଷ ମଧ୍ୟରେ ଓଡ଼ିଶାର ଛବି ମଳିନ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରେ ବିଜେଡି ପକ୍ଷରୁ ଆୟୋଜିତ ଜନସମ୍ପର୍କ ପଦଯାତ୍ରାରେ ଯୋଗଦେଇ ନବୀନ ଏଭଳି ମତ ରଖିଛନ୍ତି।

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକ ବିଜେଡିର ନୀତି ଓ ଆଦର୍ଶ ସମ୍ପର୍କରେ କହିଥିଲେ। ତାଙ୍କ କହିବା ଅନୁସାରେ, ବିଜୁ ଜନତା ଦଳ ସବୁବେଳେ ସେବା ଓ ବିକାଶକୁ ଗୁରୁତ୍ୱ ଦେଇଆସିଛି।

ବିଜେଡି ସରକାରର ବିକାଶ କାର୍ଯ୍ୟକୁ ମନେ ପକାଇଲେ ନବୀନ

ନବୀନ କହିଥିଲେ ଯେ, ବିଜେଡି ସରକାର ଅମଳରେ ଦ୍ରୁତ ବିକାଶ ଯୋଗୁଁ ଓଡ଼ିଶା ସାରା ଦେଶରେ ଏକ ମଡେଲ ରାଜ୍ୟ ଭାବେ ପରିଚିତ ହୋଇଥିଲା। କିନ୍ତୁ ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ଅଢ଼େଇ ବର୍ଷ ମଧ୍ୟରେ ରାଜ୍ୟର ଛବିକୁ ମଳିନ କରିଦେଇଥିବା ସେ ଅଭିଯୋଗ ଆଣିଥିଲେ।

ଏହା ସହ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ପଦଯାତ୍ରା ମାଧ୍ୟମରେ ଘରକୁ ଘର ଯାଇ ସରକାରଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ନବୀନ ପରାମର୍ଶ ଦେଇଥିଲେ।

ଗୋପବନ୍ଧୁ ଦାସ ଓ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି

କାର୍ଯ୍ୟକ୍ରମ ଆରମ୍ଭରେ ନବୀନ ପଟ୍ଟନାୟକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଏହି ଅବସରରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ ଏବଂ ମନ୍ମଥ ରାଉତରାୟ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ସେମାନେ ମଧ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିକୁ ସମାଲୋଚନା କରିଥିଲେ। ଏଥିରେ ସ୍ଥାନୀୟ କର୍ପୋରେଟରଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।

ନଭେମ୍ବର ୨ ଯାଏଁ ଚାଲିବ ଜନସମ୍ପର୍କ ପଦଯାତ୍ରା

ସୂଚନା ଅନୁସାରେ, ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ବିଜେଡିର ଏହି ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ଏହା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଦଳ ପକ୍ଷରୁ ଆୟୋଜିତ ଏହି ସମାବେଶରେ ୧୦ ହଜାରରୁ ଅଧିକ ଲୋକ ଯୋଗଦେଇଥିବା ସୂଚନା ଦିଆଯାଇଛି।

ଏହି ପଦଯାତ୍ରା ମାଧ୍ୟମରେ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ସହ ରାଜ୍ୟ ସରକାରଙ୍କ ବିରୋଧରେ ଦଳର ଆଭିମୁଖ୍ୟକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାକୁ ବିଜେଡି ଲକ୍ଷ୍ୟ ରଖିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ