ବ୍ରହ୍ମପୁର: ଜେଲ୍ରେ ଥିବା ସମୟରେ ପୀତବାସ ପଣ୍ଡା ହତ୍ୟାକାଣ୍ଡର ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗ ଘଟଣାରେ ପୁଲିସ ନିକଟରେ ହାଜର ହୋଇଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା। ଗୋଷାଣୀ ନୂଆଗାଁ ଥାନାରେ ହାଜର ହୋଇ ସେ ପୁଲିସ ନିକଟରେ ନିଜ ପକ୍ଷ ରଖିଛନ୍ତି।
ପୁଲିସ ପକ୍ଷରୁ ପ୍ରାୟ ୩ ଘଣ୍ଟା ୪୫ ମିନିଟ୍ ଧରି ବିକ୍ରମଙ୍କୁ ପଚରାଉଚରା କରାଯାଇଥିଲା। ସକାଳ ପ୍ରାୟ ୧୧ଟାରେ ଥାନାରେ ପହଞ୍ଚିଥିବା ବିକ୍ରମ ପଣ୍ଡା ଦିନ ୨ଟା ୪୫ ମିନିଟ୍ରେ ଥାନାରୁ ବାହାରି ଘରକୁ ଯାଇଥିଲେ।
ପୁଲିସର ପଚରାଉଚରା ପରେ ବିକ୍ରମ ପଣ୍ଡା କହିଛନ୍ତି ଯେ, ପୁଲିସ ଯାହା ପଚାରିଥିଲା, ସେ ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି। ତଦନ୍ତରେ ସେ ପୁଲିସକୁ ସହଯୋଗ କରୁଥିବା ତାଙ୍କ ଓକିଲ ଦୀପକ ପଟ୍ଟନାୟକ ମଧ୍ୟ କହିଛନ୍ତି।
ସୂଚନା ଅନୁସାରେ, ପୀତବାସ ପଣ୍ଡା ହତ୍ୟାକାଣ୍ଡର ସାକ୍ଷୀ ଲଳିତ ମୋହନ ମଙ୍ଗରାଜଙ୍କୁ ଜେଲ୍ରେ ଥିବା ସମୟରେ ବିକ୍ରମ ପଣ୍ଡା ଧମକ ଦେଇଥିବା ନେଇ ଗୋଷାଣୀ ନୂଆଗାଁ ଥାନାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଜାରି ରଖିଛି।
ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ବିକ୍ରମ ପଣ୍ଡାଙ୍କ ସହ ବିଜେଡି ନେତା ମଦନ ଦଳେଇ ଓ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ନାମ ମଧ୍ୟ ଅଭିଯୋଗରେ ରହିଛି। ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ମୋବାଇଲ୍ ବ୍ୟବହାର କରି ବିକ୍ରମ ସାକ୍ଷୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ, ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ଆଜି ବର୍ଷେ ପୂରିଛି। ଘଟଣାକୁ ବର୍ଷେ ବିତିଥିଲେ ମଧ୍ୟ ଏହାକୁ ନେଇ ବ୍ରହ୍ମପୁର ସହରରେ ଚର୍ଚ୍ଚା ଜାରି ରହିଛି। ତଦନ୍ତର ଆବଶ୍ୟକତା ଅନୁସାରେ ଆଗକୁ ଅନ୍ୟମାନଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ବ୍ରହ୍ମପୁର ଏସ୍ପି କହିଛନ୍ତି।
ବିକ୍ରମ ପଣ୍ଡାଙ୍କ ଓକିଲ ଦୀପକ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ଆସନ୍ତା ୧୬ ତାରିଖରେ ବିକ୍ରମ ପଣ୍ଡା ପୁଣିଥରେ ଥାନାରେ ହାଜର ହେବେ। ତଦନ୍ତରେ ବିକ୍ରମ ପୁଲିସକୁ ସମ୍ପୂର୍ଣ୍ଣ ସହଯୋଗ କରୁଥିବା ଆଇନଜୀବୀ କହିଛନ୍ତି।

