ଭୁବନେଶ୍ୱର, ୩୦/୧୦: ଓଡ଼ିଶାରୁ ବିଦାୟ ନେଇଛି ବାତ୍ୟା ଅର୍ଣ୍ଣବ। ସିଧାସଳଖ ସ୍ଥଳଭାଗରେ ମାଡ଼ ହୋଇନଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା କରାଇ ବିଦାୟ ନେଇଛି ଏହି ବାତ୍ୟା। ଏହାର ପ୍ରଭାବରେ ଗଞ୍ଜାମ ଓ ଗଜପତି ସମେତ ଅନେକ ଜିଲ୍ଲାରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଏପଟେ ରାଜ୍ୟବାସୀଙ୍କ ପିଛା ଛାଡ଼ୁନି ବର୍ଷା। ଦକ୍ଷିଣ ଆଣ୍ଡାମାନ ସାଗରରେ ନୂଆ ଲଘୁଚାପ ସୃଷ୍ଟି ହୋଇଥିବାରୁ ଆଗକୁ ପୁଣି ବର୍ଷା ବଢ଼ିବା ଆଶଙ୍କା ରହିଛି।
ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହି ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅକ୍ଟୋବର ୩୧ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ-ନିକୋବର ଅଞ୍ଚଳରେ ଅବପାତର ରୂପ ନେଇପାରେ। ପରବର୍ତ୍ତୀ ସମୟରେ ଏହା ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା ରହିଛି। ସେହିପରି ନଭେମ୍ବର ୫ ପରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ମଧ୍ୟ ଆକଳନ କରାଯାଉଛି।
ବର୍ତ୍ତମାନ ଆଇଏମଡି କେବଳ ଅବପାତ ସୃଷ୍ଟି ହେବାର ପୂର୍ବାନୁମାନ କରିଛି। ତେବେ କିଛି ବିଦେଶୀ ପାଣିପାଗ ମଡେଲ୍ ଏହା ଅଧିକ ଘନୀଭୂତ ହୋଇପାରେ ବୋଲି ଆକଳନ କରୁଛନ୍ତି। ଏହାର ପ୍ରଭାବରେ ଓଡ଼ିଶାରେ ଆଗାମୀ କିଛି ଦିନ ବର୍ଷା ଲାଗି ରହିବା ସମ୍ଭାବନା ଅଛି।
ନଭେମ୍ବର ୧ରୁ ବଢ଼ିବ ବର୍ଷା
ଅକ୍ଟୋବର ୩୦ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ଏବଂ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହୋଇପାରେ। ୩୧ ତାରିଖରେ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନ ଓ ଉତ୍ତର ଉପକୂଳରେ କାଁ ଭାଁ ବର୍ଷା ସମ୍ଭାବନା ରହିଛି।
ନଭେମ୍ବର ୧ ତାରିଖରୁ ବର୍ଷାର ପରିମାଣ ବଢ଼ିପାରେ। ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ଏବଂ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ହେବ। ବିଶେଷ କରି ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ରହିବା ଆଶଙ୍କା ରହିଛି।
ନଭେମ୍ବର ୨ ତାରିଖରେ ବର୍ଷାର ପ୍ରଭାବ ଅଧିକ ଜିଲ୍ଲାକୁ ବ୍ୟାପିପାରେ। ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ ଓ ଗଜପତିର ଅନେକ ସ୍ଥାନରେ ବର୍ଷା ହୋଇପାରେ। ଏହାସହ ବାଲେଶ୍ୱରଠାରୁ ପୁରୀ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ହାଲୁକାରୁ ମଧ୍ୟମ ବର୍ଷା ଆଶଙ୍କା ରହିଛି।
ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ରାୟଗଡ଼ା, ଗଞ୍ଜାମ, କୋରାପୁଟ ଓ ଗଜପତି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି। ନଭେମ୍ବର ୩ ତାରିଖରେ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ହୋଇପାରେ।
ଅର୍ଣ୍ଣବ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା
ବାତ୍ୟା ଅର୍ଣ୍ଣବର ପ୍ରଭାବରେ ବୁଧବାରଠାରୁ ଗୁରୁବାର ସକାଳ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହୋଇଛି। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବର୍ଷାର ପ୍ରକୋପ ସବୁଠାରୁ ଅଧିକ ରହିଥିଲା। ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ୨୪ ଘଣ୍ଟା ମଧ୍ୟରେ ୫୪୬ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା ଫଳରେ ଅଞ୍ଚଳରେ ସ୍ଥିତି ସାଂଘାତିକ ହୋଇପଡ଼ିଛି।
ସେହିପରି କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ୪୬୨.୪ ମିଲିମିଟର, ରାଇକିଆରେ ୩୮୪.୮ ମିଲିମିଟର, ଗଞ୍ଜାମର ସାନଖେମୁଣ୍ଡିରେ ୩୮୮ ମିଲିମିଟର, ସୋରଡ଼ାରେ ୩୭୫ ମିଲିମିଟର ଏବଂ ଚିକିଟିରେ ୩୦୯.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି।
ଏଭଳି ସ୍ଥିତିରେ ଆଗାମୀ ଦିନରେ ନୂଆ ଲଘୁଚାପର ପ୍ରଭାବରେ ପୁଣି ବର୍ଷା ବଢ଼ିବା ଆଶଙ୍କା ଥିବାରୁ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ ଜିଲ୍ଲାଗୁଡ଼ିକର ପାଣିପାଗ ଉପରେ ନଜର ରହିଛି।

