ସକାଳ ହେଲେ ବାପା ବାହାରି ପଡୁଥିଲା ରିକ୍ସା ଧରି । ଏ ଛକରୁ ସେ ଛକ ବୁଲି ବସାଉଥିଲା ଯାତ୍ରୀ । ଯାହା 10-15 ଟଙ୍କା ଆୟ ହେଉଥିଲା ସେଥିରେ ମେଣ୍ଟାଉଥିଲା ଗୁଜୁରାଣ । ଦୁଃଖ କଷ୍ଟ ସହି ପିଲାକୁ ପଢାଇଲା ପାଠ । ଆଉ ଦେଖିଲା ପୁଅକୁ ହାକିମ କରିବାର ସ୍ୱପ୍ନ । ଶେଷରେ ବାପର ଝାଳବୁହା ପରିଶ୍ରମକୁ ସାକାର କଲା ପୁଅ । ପାଇଲା ଆଇଏଏସ । ରଖିଲା ବାପାର ଟେକ । ଏମିତି କିଛି ଘଟିଛି ଉତତ୍ର ପ୍ରଦେଶରେ ଗୋବିନ୍ଦ ଜୟସ୍ୱାଲଙ୍କ ଜୀବନରେ । ସେ ୟୁପିଏସସି କ୍ରାକ୍ କରିବା ପରେ ରଖିଛନ୍ତି ରିକ୍ସା ଟାଣୁଥିବା ବାପାର ମହତ ।
ଇଣ୍ଡିଆନ୍ ସିଭିଲ୍ ସର୍ଭିସ ବା ଆଇଏଏସ ପରୀକ୍ଷା । ଦେଶର କଠିନରୁ କଠିନତମ ପରୀକ୍ଷା । ଯେଉଁଥିରେ ରାଙ୍କ୍ ହାସଲ କରିବା ସହଜ ନୁହେଁ । ଏଥିରେ ସଫଳତା କରିବାକୁ ହେଲେ ଦରକାର ପରିଶ୍ରମ, ତ୍ୟାଗ ଓ ସଙ୍ଘର୍ଷ । ଏହାପରେ ମଧ୍ୟ କ୍ୱଚିତ୍ ପ୍ରାର୍ଥୀ ପାଆନ୍ତି ସଫଳତା । ଆଉ ଥରେ ଆଇଏଏସ ପାଇଲେ ଦୂର ହୁଏ ସବୁ ଦୁଃଖ ଏବଂ କଷ୍ଟ । ସଫଳତାର ଯାତ୍ରାରେ କରିଥିବା ସଙ୍ଘର୍ଷ ଓ ପରିଶ୍ରମକୁ ମିଳିଥାଏ ସ୍ୱିକୃତି । କେବଳ ନିଜେ ନୁହେଁ, ପରିବାର ଲୋକେ ମଧ୍ୟ ଅନେକ ସମୟରେ ସନ୍ତାନଙ୍କ ଯାତ୍ରାରେ ପାଲଟିଥାନ୍ତି ସାରଥୀ । ଏବଂ ଯେତେବେଳେ ପୁଅ କିମ୍ବା ଝିଅ ସଫଳତା ପାଆନ୍ତି ସେତେବେଳେ ବାପା-ମାଆ କରନ୍ତି ଗର୍ବ । ସେମାନଙ୍କ ଆଖିରୁ ଝରିପଡେ ଖୁସିର ଲୁହ । ସେମିତି ଏହି କାହାଣୀ ହେଉଚି ଗୋବିନ୍ଦଙ୍କର । ତାଙ୍କୁ ମଣିଷ ଭାବେ ଗଢି ତୋଳିଛନ୍ତି ରିକ୍ସା ଚଲାଇ ବଡ କରିଥିବା ବାପା ।
ଉତ୍ତର ପ୍ରଦେଶର ବାରଣାସୀରେ ଜନ୍ମ ହୋଇଥିଲେ ଗୋବିନ୍ଦ । ତିନି ଭଉଣୀରେ ସେ ଥିଲେ ଏକ ମାତ୍ର ପୁଅ । ବାପାଙ୍କ ପାଖରେ ଥିଲା 35 ରିକ୍ସା । ହସଖୁସିରେ ଚାଲିଥିଲା ପରିବାର । କିନ୍ତୁ ହଠାତ ମାଡି ଆସିଲା ଝଡ । ବ୍ରେନ୍ ହାମରେଜର ଶିକାର ହେଲେ ଗୋବିନ୍ଦଙ୍କ ମାଆ । ପାଣି ଭଳି ଖର୍ଚ୍ଚ ହେଲା ଟଙ୍କା । ବାଧ୍ୟ ହୋଇ ସବୁ ରିକ୍ସା ବିକିଦେଲେ ପିତା । ଶେଷରେ ଆଖିବୁଜିଲେ ମାଆ । ରିକ୍ସା ବିକ୍ରି ସରିଥିବାରୁ ଆର୍ଥିକ ଦୁସ୍ଥିତିର ସାମ୍ନା କରୁଥିଲା ଗୋବିନ୍ଦଙ୍କ ପରିବାର । ଅନେକ ସମୟରେ କେବଳ ଶୁଖିଲା ରୁଟି ଖାଇ ଭୋକ ମେଣ୍ଟାଉଥିଲେ ପାଞ୍ଚ ପ୍ରାଣୀ କୁଟୁମ୍ବ ।
ଗରିବ ହୋଇଯାଇଥିବା ପୁରା ପରିବାର । ପରେ ଅନ୍ୟର ରିକ୍ସା ଚଲାଇ ଅଳ୍ପ କିଛି ଆୟ କରୁଥିଲେ ଗୋବିନ୍ଦଙ୍କ ପିତା । ହେଲେ ସନ୍ତାନଙ୍କ ପାଠପଢାରେ ସେ ଆସିବାକୁ ଦେଇନଥିଲେ ଆଞ୍ଚ । ତିନି ଝିଅଙ୍କୁ କରିଥିଲେ ଗ୍ରାଜୁଏଟ୍ । ଝିଅଙ୍କ ବାହାଘର ମଧ୍ୟ କଷ୍ଟେମଷ୍ଟେ କରୁଥିଲେ । ସେପଟେ ଚାଲିଥିଲା ଗୋବିନ୍ଦଙ୍କ ପାଠପଢା । ସରାକାରୀ ସ୍କୁଲରୁ ଦଶମ ପାସ୍ ପରେ ଯୁକ୍ତ ଦୁଇରେ ନାମ ଲେଖାଇଥିଲେ । ଏହାପରେ ହରିଶ୍ଚନ୍ଦ୍ର ୟୁନିଭର୍ସିଟିରୁ ହାସଲ କରିଥିଲେ ଗ୍ରାଜୁଏସନ୍ ଡିଗ୍ରୀ । ଏହି ସମୟରେ ତାଙ୍କ ମୁଣ୍ଡରେ ପଶିଥିଲା ୟୁପିଏସସି ପରୀକ୍ଷା । କଲେକ୍ଟର ହେବାର ସ୍ୱପ୍ନ ଦେଖଥିଲେ ସେ । ସ୍ୱପ୍ନକୁ ପୂରଣ କରିବା ପାଇଁ ଚାଲିଆସିଥିଲେ ଦିଲ୍ଲୀ ।
କଷ୍ଟ ହେଲେ ବି ପୁଅକୁ ପକେଟ୍ ମନି ପଠାଉଥିଲେ ବାପା । ପୁଅ ଗୋବିନ୍ଦ ମଧ୍ୟ ବାପାଙ୍କ ଉପରେ ବୋଝ ହେବାକୁ ଚାହୁଁନଥିଲେ । ଦିଲ୍ଲୀରେ ସେ ଆରମ୍ଭ କରିଦେଇଥିଲେ ଟ୍ୟୁସନ୍ । ଟ୍ୟୁସନରୁ ଯାହା ଆୟ ହେଉଥିଲା ତାକୁ ସେ କୋଚିଂ ଫି ଆକାରରେ ଦେଉଥିଲେ । ଏମିତି ପ୍ରାୟ ବର୍ଷେ ଚାଲିଲା ସଙ୍ଘର୍ଷ । ଦିନେଦିନେ କିଛି ନଖାଇ ଓପାସ ଶୋଇଯାଉଥିଲେ ଗୋବିନ୍ଦ । କିନ୍ତୁ ମାନିନଥିଲେ ହାର୍ । ଦେଇଥିଲେ ସିଭିଲ ସର୍ଭିସ ପରୀକ୍ଷା । ତେବେ ପ୍ରଥମ ପ୍ରୟାସରେ ସେ ହାସଲ କରିଥିଲେ 48 ରାଙ୍କ୍ । ରାଙ୍କ୍ ପାଇ ଗାଁକୁ ଆସିଥିଲେ । ବାପାଙ୍କୁ ଦେଇଥିଲେ ନିଜ ସଫଳତାର କ୍ରେଡିଟ୍ । ବାପାବି ପୁଅ ଆଇଏଏସ ହେବା ଶୁଣିବା ପରେ ଖୁସିରେ କାନ୍ଦି ପକାଇଥିଲେ । ଆଉ ଲୋକେ କହିଥିଲେ ଆଇଏଏସ ପାଇଲା ରିକ୍ସାବାଲାର ପୁଅ ।

