ପୁଅ ପିଉଛି କୁକୁର କ୍ଷୀର । ବୁଲା କୁକୁରଙ୍କ କ୍ଷୀର ପିଇ ବଡ ହେଉଛି ପୁଅ । ଗାଈ କ୍ଷୀର ପ୍ରତି ତାର ଲୋଭ ନାହିଁ । ହେଲେ କୁକୁରଙ୍କୁ ଦେଖିଲେ ଖୁସି ହୋଇଯାଏ ସେ । ସିଧା ପିଇଚାଲେ କ୍ଷୀର । ହଁ ଆଜ୍ଞା । ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏମିତି କିଛି ଘଟୁଛି 10 ବର୍।ର ମୋହିତ କୁମାରଙ୍କଠାରେ । ଯାହା ଏବେ ସାରା ଦେଶରେ ପାଲଟିଛି ଚର୍ଚ୍ଚାର ବିଷୟ ।
କୁହାଯାଏ ଏକ ସୁଷମ ଖାଦ୍ୟ ହେଉଛି କ୍ଷୀର । ଏଥିରେ ଅଛି ଭିଟାମିନ୍ ମିନେରାଲ୍, କ୍ୟାଲସିୟମ, ମ୍ୟାଗ୍ନେସିୟମ ଭଳି ଅନେକ ଦରକାରୀ ଦ୍ରବ୍ୟ । ଯାହା ଆମ ଶରୀର ଗଠନ ପାଇଁ ନିତ୍ୟାନ୍ତ ଆବଶ୍ୟକ । ପ୍ରତିଦିନ କ୍ଷୀର ପିଇଲେ ଶକ୍ତିଶାଳୀ ହୁଏ ମଣିଷ । ଉଭୟ ଶାରୀରକ ଆଉ ମାନସିକ ସ୍ତରରେ ଶକ୍ତିଶାଳୀ ହୁଏ ଶିଶୁ । ସେଥିପାଇଁ ଡାକ୍ତରମାନେ ନବଜାତକ ଶିଶୁକୁ ମା କ୍ଷୀର ଦେବାକୁ ପରାମର୍ଶ ଦେଇଥାନ୍ତି । ଆଉ ବଡ ହେଲା ପରେ ଅନେକ ଗାଈ କ୍ଷୀର ପିଇବାକୁ କରନ୍ତି ପସନ୍ଦ । ହେଲେ ମୋହିତଙ୍କ କ୍ଷେତ୍ରରେ ଦେଖାଦେଇଛି ସମ୍ପୂର୍ଣ୍ଣ ବ୍ୟତିକ୍ରମ ।
ଧାନବାଦରେ ରୁହନ୍ତି 10 ବର୍ଷର ମୋହିତ । ମାତ୍ର ଚାରି ବର୍ଷର ହୋଇଥିବା ବେଳେ ସେ ପ୍ରଥମେ ପିଇଥିଲେ କୁକୁର କ୍ଷୀର । ବୁଲା କୁକୁରଙ୍କ କ୍ଷୀର ଥିଲା ତାଙ୍କ ପାଇଁ ଅମୃତ । ଆଉ ସେବେଠୁ ଏହା ହୋଇଯାଇଛି ନିତିଦିନିଆ ଘଟଣା । ଏବେ ବି 6 ବର୍ଷ ପରେ ସେ ସବୁଦିନ ପିଉଛନ୍ତି କୁକୁର କ୍ଷୀର । ହେଲେ ଘଟୁନି କିଛି କ୍ଷତି । ଅନ୍ୟ ସାଧାରଣ ପିଲା ଭଳି ସେ ମଧ୍ୟ ଅଛନ୍ତି ଫିଟ୍ ।
ଗରିବ ପରିବାରରେ ଜନ୍ମ ହୋଇଥିଲେ ମୋହିତ । ବାପା ସୁବେଦାର ସିଂ ବଜାରରେ ବିକ୍ରି କରନ୍ତି ଫଳରସ । ସେଥିରୁ ଯାହା ଆୟ ହୁଏ ସେଥିରେ ଚଳେ ଗୁଜୁରାଣ । ପିଲାଦିନୁ ମୋହିତ କୁକୁରଙ୍କୁ ଭଲ ପାଉଥିଲେ । ଦୁଇ ବର୍ଷର ହେଲା ଦିନଠୁ ବୁଲା କୁକୁର ଥିଲେ ତାଙ୍କ ଖାସ୍ ସାଙ୍ଗ । ଥରେ ଏକ ମାଇ କୁକୁରଠୁ କ୍ଷୀର ପିଉଦେଇଥିଲେ ସେ । କୁକୁରଟି ମଧ୍ୟ ମୋହିତଙ୍କର ଘଟାଇନଥିଲା କ୍ଷତି । ପ୍ରଥମେ ଜାଣି ପାରିନଥିଲେ ତାଙ୍କ ବାପା ଓ ମାଆ । ପଡୋଶୀ ଲୋକ ଅଭିଯୋଗ କଲା ପରେ ସାମ୍ନାକୁ ଆସିଥିଲା ସତ । ସେବେଠୁ କୁକୁର କ୍ଷୀର ପିଉଛନ୍ତି ମୋହିତ ।
ତେବେ ମୋହିତଙ୍କ ଏହି ଅଭ୍ୟାସ ବଢାଇଛି ପିତା ମାତାଙ୍କ ଚିନ୍ତା । କାରଣ ଏହି ଗୁଣ ପାଇଁ ସ୍କୁଲ ଯାଉ ନାହାଁନ୍ତି ମୋହିତ । ପୁଅର ଏପରି ଅଭ୍ୟାସ ସେମାନଙ୍କୁ ଅଡୁଆରେ ପକାଉଛି । ଲୋକେ ଟାହି ଟାପରା ମଧ୍ୟ କରୁଛନ୍ତି । ଏସବୁ ସତ୍ତ୍ନେ କାହା କଥାରେ ଧ୍ୟାନ ଦେଉନାହାନ୍ତି ମୋହିତ । ବେଧଡକ ପିଇ ଚାଲୁଛନ୍ତି କୁକୁର କ୍ଷୀର । ସେପଟେ ମୋହିତଙ୍କୁ ଡାକ୍ତରଙ୍କୁ ଦେଖାଇ ପାରୁନାହାନ୍ତି ପିତା ସୁବେଦାର । କାରଣ ପରିବାର ଉପରେ ରହିଛି ଆର୍ଥିକ ବୋଝ । କିନ୍ତୁ ଥରେ କୁକୁରଠୁ କ୍ଷୀର ପିଉଥିବା ବେଳେ କାମୁଡି ଦେଇଥିଲା ଆଉ ଏକ କୁକୁର । ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ । ଚିକିତ୍ସା ପରେ ଭଲ ହୋଇଥିଲେ ମୋହିତ । ତଥାପି ବଦଳି ନଥିଲା ଏମିତି କ୍ଷୀର ପିଇବାର ଅଭ୍ୟାସ ।

