ଛାଡ଼ଖାଇରେ ରାଜଧାନୀରେ ଆମିଷ ବଜାର ଚଳଚଞ୍ଚଳ, ଗୋଟିଏ ଦିନରେ କୋଟି କୋଟି ଟଙ୍କାର କାରବାର

ଭୁବନେଶ୍ୱର: ମାସେ ଧରି ଚାଲିଥିବା ହବିଷ ବ୍ରତର ଅନ୍ତ ପରେ ଛାଡ଼ଖାଇକୁ ନେଇ ଆମିଷପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ବୁଧବାର ସକାଳୁ ରାଜଧାନୀର ବିଭିନ୍ନ ଆମିଷ ବଜାରରେ ଗ୍ରାହକଙ୍କ ଭିଡ଼ ଜମିଥିବା ବେଳେ ମାଛ, ମାଂସ ଓ ସାମୁଦ୍ରିକ ଖାଦ୍ୟ କିଣିବାକୁ ଲୋକଙ୍କ ମଧ୍ୟରେ ଦେଖାଦେଇଥିଲା ଆଗ୍ରହ। ଛାଡ଼ଖାଇ ସହ ବୁଧବାର ଆମିଷ ବାର ପଡ଼ିଥିବାରୁ ବଜାରରେ ବ୍ୟବସାୟ ମଧ୍ୟ ବେଶ୍ ଜମିଥିଲା।

ରାଜଧାନୀର ୪ ନମ୍ବର ମାଛ ମାର୍କେଟ, ଡମଣା, ସୁନ୍ଦରପଦା, ଆଇଗିଣିଆ, ସହିଦନଗର ଓ ବଡ଼ଗଡ଼ ସମେତ ଅନ୍ୟାନ୍ୟ ଅଞ୍ଚଳର ଆମିଷ ବଜାରରେ ଗ୍ରାହକଙ୍କ ଭିଡ଼ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଥିଲା। ଚାହିଦା ଅନୁଯାୟୀ ବିଭିନ୍ନ ପ୍ରକାର ମାଛ ଓ ମାଂସର ଦର ମଧ୍ୟ ଭିନ୍ନ ଭିନ୍ନ ରହିଥିଲା। ବଜାରରେ ଖାସି ମାଂସ କିଲୋ ପିଛା ୯୦୦ରୁ ୧୦୦୦ ଟଙ୍କା ଏବଂ ଚିକେନ୍ ୨୩୦ରୁ ୨୫୦ ଟଙ୍କା ମଧ୍ୟରେ ବିକ୍ରି ହୋଇଥିଲା।

ମାଛ ବଜାରରେ ମଧ୍ୟ ଗ୍ରାହକଙ୍କ ପସନ୍ଦ ଅନୁଯାୟୀ ଅନେକ ପ୍ରକାରର ମାଛ ଉପଲବ୍ଧ ଥିଲା। ଇଲିସିର ଦାମ୍ ଆକାର ଅନୁସାରେ ୧୦୦୦ରୁ ୨୫୦୦ ଟଙ୍କା ରହିଥିବା ବେଳେ ଭାକୁର କିଲୋ ୨୬୦ ଟଙ୍କା ଓ ରୋହି ୨୨୦ ଟଙ୍କାରେ ବିକ୍ରି ହୋଇଥିଲା। ସେହିପରି ଭେକଟିର ମୂଲ୍ୟ ୬୦୦ରୁ ୧୫୦୦ ଟଙ୍କା ଏବଂ କଙ୍କଡ଼ାର ଦର ଆକାର ଅନୁଯାୟୀ ୫୦୦ରୁ ୨୫୦୦ ଟଙ୍କା ରହିଥିଲା।

ଚିଙ୍ଗୁଡ଼ିର ବିଭିନ୍ନ ପ୍ରଜାତି ପ୍ରତି ମଧ୍ୟ ଗ୍ରାହକଙ୍କ ଚାହିଦା ଅଧିକ ରହିଥିଲା। ଟାଇଗର ଚିଙ୍ଗୁଡ଼ି କିଲୋ ୧୨୦୦ ଟଙ୍କା, ଚିଲିକା ବାଗଦା ଚିଙ୍ଗୁଡ଼ି ୧୦୦୦ ଟଙ୍କା ଏବଂ ଲବଷ୍ଟର ୨୫୦୦ ଟଙ୍କାରେ ବିକ୍ରି ହୋଇଥିଲା। କଣ୍ଟାଳି ଚିଙ୍ଗୁଡ଼ିର ଦାମ୍ ୭୦୦ରୁ ୧୨୦୦ ଟଙ୍କା ମଧ୍ୟରେ ରହିଥିଲା। ଏହାବ୍ୟତୀତ ମିଠା ନଈ ଚିଙ୍ଗୁଡ଼ିର ମଧ୍ୟ ଭଲ ଚାହିଦା ଦେଖିବାକୁ ମିଳିଥିଲା।

ଦେଶୀ ମାଛ ମଧ୍ୟରେ ମିରିକାଳି, ପୋହଳା, ତୋଡ଼ି, ଶେଉଳ, ବାଳିଆ, ଜଳଙ୍ଗ, ଆଳି, କେରାଣ୍ଡି, କଉ ଓ ମହୁରାଳି ଆଦି କିଣିବାକୁ ଗ୍ରାହକଙ୍କ ଭିଡ଼ ଲାଗିଥିଲା। ଅନ୍ୟପଟେ ସମୁଦ୍ରରୁ ଆସିଥିବା ଇଲିସି, ପାମ୍ପଲେଟ୍, କଣି, ପାଣିଆଖିଆ ଓ ଖଣ୍ଡାବାଳିଆ ଭଳି ମାଛର ଚାହିଦା ମଧ୍ୟ ଅଧିକ ରହିଥିଲା।

ଛାଡ଼ଖାଇକୁ କେନ୍ଦ୍ର କରି ଭୁବନେଶ୍ୱରରେ ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ବ୍ୟବସାୟରେ ପ୍ରାୟ ୧୦ କୋଟି ଟଙ୍କାରୁ ଅଧିକ କାରବାର ହୋଇଥିବା ଆକଳନ କରାଯାଇଛି। ଆମିଷପ୍ରେମୀଙ୍କ ମଧ୍ୟରେ ଦେଶୀ ଖାସି ମାଂସର ଚାହିଦା ସବୁଠାରୁ ଅଧିକ ରହିଥିଲା। ତେବେ ଓଡ଼ିଶାରେ ଖାସି ଛେଳି ଉତ୍ପାଦନ ଆବଶ୍ୟକତା ତୁଳନାରେ କମ୍ ଥିବା ନେଇ ଚିନ୍ତା ପ୍ରକାଶ କରିଛି ଓଡ଼ିଶା ନନ୍‌ଭେଜ୍ ଟ୍ରେଡର୍ସ ଫେଡେରେସନ୍।

ସଂଗଠନର କହିବା ଅନୁଯାୟୀ, ରାଜ୍ୟରେ ମଟନ୍ ଚାହିଦାର ମାତ୍ର ୨୦ ପ୍ରତିଶତ ଖାସି ଛେଳି ଓଡ଼ିଶାରେ ଉତ୍ପାଦନ ହେଉଛି। ବାକି ୮୦ ପ୍ରତିଶତ ପାଇଁ ପଶ୍ଚିମବଙ୍ଗ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏହି ନିର୍ଭରଶୀଳତା ହ୍ରାସ କରିବା ସହ ରାଜ୍ୟରେ ଛେଳି ପାଳନ ଓ ଫାର୍ମିଂକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ଫେଡେରେସନ୍ ଦାବି କରିଛି।

ସେପଟେ ସାମୁଦ୍ରିକ ମାଛ ଯୋଗାଣ ହ୍ରାସ ମଧ୍ୟ ବଜାର ଦରକୁ ପ୍ରଭାବିତ କରିଥିବା କହିଛି ଜୟ ଜବାନ ମତ୍ସ୍ୟ ବ୍ୟବସାୟୀ ସଂଘ। ଚଳିତ ବର୍ଷ ସାମୁଦ୍ରିକ ବାତ୍ୟା ‘ଅକଭାନ’ ଯୋଗୁଁ ମାଛ ଧରା କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ନିର୍ବାଚନଜନିତ ପରିସ୍ଥିତି ମଧ୍ୟ ମାଛ ଯୋଗାଣରେ ସମସ୍ୟା ସୃଷ୍ଟି କରିଥିଲା। ଫଳରେ ବଜାରରେ ମାଛର ଦର ଉପରେ ଏହାର ପ୍ରଭାବ ପଡ଼ିଥିବା ସଂଘ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଦେଶୀ କୁକୁଡ଼ାର ଚାହିଦା ମଧ୍ୟ ଛାଡ଼ଖାଇରେ ବେଶ୍ ଅଧିକ ରହିଥିଲା। ପରଲଗା ଦେଶୀ କୁକୁଡ଼ା କିଲୋ ପିଛା ପ୍ରାୟ ୫୦୦ ଟଙ୍କା ଦରରେ ବିକ୍ରି ହୋଇଥିଲା। ମୟୂରଭଞ୍ଜ ଓ କେନ୍ଦୁଝରରୁ ଆସିଥିବା ଦେଶୀ କୁକୁଡ଼ା ଏବଂ ଖାସି ମାଂସକୁ ରାଜଧାନୀବାସୀ ବିଶେଷ ପସନ୍ଦ କରିଥିଲେ। ଦୈନନ୍ଦିନ ଦିନ ତୁଳନାରେ ଛାଡ଼ଖାଇରେ ବିକ୍ରି ଢେର୍ ଅଧିକ ହୋଇଥିବାରୁ ବ୍ୟବସାୟୀମାନେ ମଧ୍ୟ ଭଲ ବ୍ୟବସାୟକୁ ନେଇ ଖୁସି ପ୍ରକାଶ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ