ପରଲୋକରେ CID ମୁଖ୍ୟ ! କାନ୍ଦିଲେ ସମସ୍ତେ, ଖେଳିଗଲା ଶୋକର ଛାୟା

ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ କ୍ରାଇମ୍ ଶୋ’ CID ଓ ଆହଟ୍‌ର ନିର୍ମାତା ବି.ପି. ସିଂହଙ୍କ ବିୟୋଗରେ ମନୋରଞ୍ଜନ ଜଗତ ସ୍ତବ୍ଧ। ଅକ୍ଟୋବର ୨୭ ତାରିଖରେ ୭୭ ବର୍ଷ ବୟସରେ ବ୍ରଜେନ୍ଦ୍ର ପାଲ ସିଂହଙ୍କ ପରଲୋକ ହୋଇଛି। ତାଙ୍କ ମୃତ୍ୟୁରେ CID ଟିମ୍‌ ସମେତ ଅନେକ କଳାକାର ଗଭୀର ଶୋକ ପ୍ରକାଶ କରିଛନ୍ତି।

ବି.ପି. ସିଂହଙ୍କ ବିୟୋଗରେ ସବୁଠୁ ଅଧିକ ଭାବବିହ୍ୱଳ ହୋଇପଡ଼ିଛନ୍ତି CIDରେ ଏସ୍‌ସିପି ପ୍ରଦ୍ୟୁମ୍ନ ଭୂମିକାରେ ଘରେ ଘରେ ପରିଚିତ ଅଭିନେତା ଶିବାଜୀ ସାଟମ୍। ତାଙ୍କ ପାଇଁ ବି.ପି. ସିଂହ କେବଳ ଜଣେ ପ୍ରଯୋଜକ ନଥିଲେ, ବରଂ ଜଣେ ଭଲ ବନ୍ଧୁ ଓ ଗୁରୁ ଥିଲେ। ଏକ ସାକ୍ଷାତକାରରେ ସେ ନିଜର ଅନୁଭୂତି ବଖାଣିବା ସହ ବି.ପି. ସିଂହଙ୍କୁ ପଦ୍ମଶ୍ରୀ ସମ୍ମାନ ଦେବାକୁ ଦାବି କରିଛନ୍ତି।

ଶିବାଜୀ କହିଛନ୍ତି, ବି.ପି. ସିଂହଙ୍କ ସହ ତାଙ୍କର ସମ୍ପର୍କ ବହୁତ ପୁରୁଣା। ତାଙ୍କ ଜୀବନର ଏକ ବଡ଼ ଅଧ୍ୟାୟ ଆଜି ସବୁଦିନ ପାଇଁ ଶେଷ ହୋଇଗଲା। ଅଭିନୟ ଜୀବନରେ ସେ ଯାହା କିଛି ଶିଖିଛନ୍ତି, ସେଥିରେ ବି.ପି. ସିଂହଙ୍କ ଅବଦାନ ଅତୁଳନୀୟ। ଥିଏଟରରୁ ଅଭିନୟ ଆରମ୍ଭ କରିଥିବା ଶିବାଜୀଙ୍କୁ କ୍ୟାମେରା ସାମ୍ନାରେ କିପରି ଅଭିନୟ କରିବାକୁ ହୁଏ, ତାହା ସେ ଶିଖାଇଥିଲେ।

କାମ ପାଇଁ ଭୁଲିଯାଉଥିଲେ ସବୁ କଷ୍ଟ

ବି.ପି. ସିଂହଙ୍କ କାମ ପ୍ରତି ଥିବା ଅସାଧାରଣ ଆଗ୍ରହକୁ ମନେ ପକାଇ ଶିବାଜୀ ଏକ ଘଟଣା ସମ୍ପର୍କରେ କହିଛନ୍ତି। ହୃଦ୍‌ରୋଗ ଅସ୍ତ୍ରୋପଚାରର ମାତ୍ର ତିନି ମାସ ପରେ ସେ ପୁଣି ସୁଟିଂକୁ ଫେରିଥିଲେ। ଜଙ୍ଗଲ ଭିତରେ କ୍ୟାମେରା ଧରି ଚେଜ୍‌ ସିକ୍ୱେନ୍ସର ସୁଟିଂ ପାଇଁ ଦୌଡ଼ାଦୌଡ଼ି କରୁଥିଲେ। ଏପରିକି ଦୁଇଟି ଅସ୍ତ୍ରୋପଚାର ପରେ ମଧ୍ୟ CID ପାଇଁ ୧୧୧ ମିନିଟ୍‌ର ଏକ ଚ୍ୟାଲେଞ୍ଜିଂ ଏପିସୋଡ୍‌କୁ ଗୋଟିଏ ଲଗାତାର ସଟ୍‌ରେ ସୁଟ୍‌ କରିଥିଲେ। ଏହା ଭାରତୀୟ ଟେଲିଭିଜନ ଜଗତର ଏକ ବିରଳ ଘଟଣା ଥିଲା।

ବି.ପି. ସିଂହଙ୍କୁ ମିଳୁ ପଦ୍ମଶ୍ରୀ

ବି.ପି. ସିଂହଙ୍କ ଅବଦାନକୁ ସ୍ୱୀକୃତି ଦେଇ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବା ଉଚିତ୍ ବୋଲି ଶିବାଜୀ ମତ ରଖିଛନ୍ତି। ତାଙ୍କ ମତରେ, ଭାରତୀୟ ଟେଲିଭିଜନ ଜଗତକୁ ବି.ପି. ସିଂହଙ୍କ ଅବଦାନ ଅତୁଳନୀୟ। ଯଦିଓ ସେ କେବେ ପୁରସ୍କାର କିମ୍ବା ସମ୍ମାନ ପଛରେ ଦୌଡ଼ୁନଥିଲେ, ତଥାପି ତାଙ୍କ ଭଳି ପ୍ରତିଭାବାନ ବ୍ୟକ୍ତିଙ୍କୁ ଦେଶର ଏହି ସମ୍ମାନ ମିଳିବା ଆବଶ୍ୟକ।

CID ଓ ଆହଟ୍‌ ଭଳି ଲୋକପ୍ରିୟ ଧାରାବାହିକ ଜରିଆରେ ବି.ପି. ସିଂହ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ତାଙ୍କ ବିୟୋଗ ଟେଲିଭିଜନ ଜଗତ ପାଇଁ ଏକ ବଡ଼ କ୍ଷତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ