ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ସରକାରୀ ଚାକିରି ପାଇଁ ଚରିତ୍ର ଯାଞ୍ଚ ନିୟମକୁ ଅଧିକ କଠୋର କରିଛନ୍ତି ଯୋଗୀ ଆଦିତ୍ୟନାଥ ସରକାର। ଏଣିକି ହିଂସାତ୍ମକ ଉପାୟରେ ବ୍ୟବସ୍ଥା ପରିବର୍ତ୍ତନ କରିବା ଉଦ୍ଦେଶ୍ୟରେ କାର୍ଯ୍ୟକଳାପରେ ସାମିଲ ଥିବା ଆଶାୟୀଙ୍କ ପାଇଁ ସରକାରୀ ଚାକିରି ପାଇବା କଷ୍ଟକର ହେବ। ତେବେ କେବଳ ରାଜନୈତିକ ବିଚାରଧାରା କିମ୍ବା ଏଫଆଇଆର୍ ରୁଜୁ ହୋଇଥିବା ଆଧାରରେ କୌଣସି ପ୍ରାର୍ଥୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବ ନାହିଁ।
ଏହି ଅପରାଧରେ ଜଡ଼ିତ ବ୍ୟକ୍ତିଙ୍କ ଉପରେ ନଜର
ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ହତ୍ୟା, ଡକାୟତି, ଦୁଷ୍କର୍ମ, ଦୁର୍ନୀତି, ଆତଙ୍କବାଦୀ କାର୍ଯ୍ୟକଳାପ, ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଏବଂ ସଲଭର୍ ଗ୍ୟାଙ୍ଗ ସହ ଜଡ଼ିତ ମାମଲାଗୁଡ଼ିକୁ ଚରିତ୍ର ଯାଞ୍ଚ ସମୟରେ ଗୁରୁତ୍ୱର ସହ ବିଚାର କରାଯିବ। ହିଂସା ମାଧ୍ୟମରେ ବ୍ୟବସ୍ଥା ପରିବର୍ତ୍ତନ ଲକ୍ଷ୍ୟ ରଖିଥିବା ସଂଗଠନ ସହ ସମ୍ପୃକ୍ତି ମଧ୍ୟ ଯାଞ୍ଚ ପରିସରକୁ ଆସିବ।
୩୦ ଦିନ ମଧ୍ୟରେ ଯାଞ୍ଚ ରିପୋର୍ଟ
ନିଯୁକ୍ତି ବିଭାଗର ପ୍ରମୁଖ ସଚିବ ଏମ୍. ଦେବରାଜ ଏନେଇ ନିର୍ଦ୍ଦେଶନାମା ଜାରି କରିଥିବା ସୂଚନା ମିଳିଛି। ପ୍ରାର୍ଥୀଙ୍କ ଚରିତ୍ର ଯାଞ୍ଚ କରି ୩୦ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ପୋଲିସକୁ କୁହାଯାଇଛି। ଏହି ନିୟମ ଉତ୍ତର ପ୍ରଦେଶ ସରକାରଙ୍କ ସମସ୍ତ ବିଭାଗ, କମିଶନ ଏବଂ ନିଯୁକ୍ତି ବୋର୍ଡ ପାଇଁ ଲାଗୁ ହେବ। ପୂର୍ବରୁ ସରକାରୀ ଚାକିରିରେ ଥିବା କର୍ମଚାରୀମାନେ ଏହି ଯାଞ୍ଚ ପରିସରଭୁକ୍ତ ହେବେ ନାହିଁ।
ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ମିଳିବ ସୁରକ୍ଷା
ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଶାନ୍ତିପୂର୍ଣ୍ଣ ରାଜନୈତିକ ପ୍ରତିବାଦ କିମ୍ବା କେବଳ ବିଚାରଧାରା ଆଧାରରେ କାହାକୁ ଚାକିରିରୁ ବଞ୍ଚିତ କରାଯିବ ନାହିଁ। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସରକାରୀ ନିଯୁକ୍ତିରେ ଚରିତ୍ର ଯାଞ୍ଚ ପ୍ରକ୍ରିୟାକୁ ଅଧିକ ସ୍ପଷ୍ଟ ଓ କଠୋର କରିବା।

