ଭୁବନେଶ୍ୱର, ୨୨/୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏକ ଶକ୍ତିଶାଳୀ ବାତ୍ୟା। ଅକ୍ଟୋବର ଶେଷ ସପ୍ତାହରେ ସମ୍ଭାବ୍ୟ ବାତ୍ୟାକୁ ନେଇ ବଢ଼ିଛି ଚିନ୍ତା। ବର୍ତ୍ତମାନର ପାଣିପାଗ ମଡେଲ୍ର ଆକଳନ ଅନୁଯାୟୀ, ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବା ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରଭାବ ପକାଇପାରେ। ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ସମ୍ପର୍କରେ ଏବେଠାରୁ ନିଶ୍ଚିତ ଭାବେ କିଛି କହିବା ସମ୍ଭବ ନୁହେଁ।
ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଅକ୍ଟୋବର ୨୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଅଧିକ ସଂଗଠିତ ଲଘୁଚାପ ଏବଂ ୨୫ ତାରିଖ ଅପରାହ୍ନ ସୁଦ୍ଧା ଅବପାତର ରୂପ ନେଇପାରେ।
ଏହାପରେ ଅବପାତଟି ଅଧିକ ଶକ୍ତିଶାଳୀ ହୋଇ ୨୭ ତାରିଖ ବେଳକୁ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି। ୨୮ ତାରିଖ ପାଖାପାଖି ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟରେ ଏହା ସ୍ଥଳଭାଗ ଛୁଇଁପାରେ ବୋଲି କେତେକ ପାଣିପାଗ ମଡେଲ୍ରେ ଆକଳନ କରାଯାଇଛି।
ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା
ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଓଡ଼ିଶାର ଅନେକ ଅଞ୍ଚଳରେ ବର୍ଷା ହୋଇପାରେ। ଅକ୍ଟୋବର ୨୬ ତାରିଖ ଅପରାହ୍ନରୁ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୧୦୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ ବୋଲି ପ୍ରାରମ୍ଭିକ ଆକଳନ କରାଯାଇଛି।
ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର ଓ କଟକ ଜିଲ୍ଲାରେ ଏହାର ପ୍ରଭାବ ଅନୁଭୂତ ହୋଇପାରେ। ଏହାସହ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ପବନ ଓ ବର୍ଷାର ପ୍ରଭାବ ବଢ଼ିବାର ଆଶଙ୍କା ରହିଛି।
ଆଭ୍ୟନ୍ତରୀଣ ଓଡ଼ିଶାରେ ବଢ଼ିପାରେ ବର୍ଷା
ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।
ଲଗାତାର ବର୍ଷା ହେଲେ ତଳିଆ ଅଞ୍ଚଳରେ ଜଳବନ୍ଦୀ ଓ ସ୍ଥାନୀୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ସମ୍ଭାବ୍ୟ ପାଣିପାଗ ପରିବର୍ତ୍ତନ ଉପରେ ନଜର ରଖିବା ଜରୁରୀ।
ତେବେ ଏହି ସମସ୍ତ ଆକଳନ ବର୍ତ୍ତମାନର ପାଣିପାଗ ମଡେଲ୍ ଉପରେ ଆଧାରିତ। ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ, ତୀବ୍ରତା ଓ ସ୍ଥଳଭାଗ ଛୁଇଁବା ସ୍ଥାନ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିପାରିବ। ତେଣୁ ଲୋକେ ଭୟଭୀତ ନହୋଇ ପାଣିପାଗ ବିଭାଗର ଆଧିକାରିକ ସୂଚନା ଓ ସତର୍କତା ଉପରେ ନଜର ରଖିବା ଆବଶ୍ୟକ।

