ଅକ୍ଟୋବର ୨୮ ରାତି ନହେଲେ ୨୯ ସକାଳ : ଓଡ଼ିଶାରେ ମାଡ଼ ହେବ ଆଉ ଏକ ମହାବାତ୍ୟା !

ଭୁବନେଶ୍ୱର: ଅକ୍ଟୋବର ଶେଷ ସପ୍ତାହରେ ବାତ୍ୟା ଆଶଙ୍କାକୁ ନେଇ ଚର୍ଚ୍ଚା ବଢ଼ିଛି। ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର କିମ୍ବା ଆଣ୍ଡାମାନ ସାଗର ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବା ସହ ବାତ୍ୟାରେ ପରିଣତ ହେବାର ସମ୍ଭାବନା ନେଇ କିଛି ଅନ୍ତର୍ଜାତୀୟ ପାଣିପାଗ ମଡେଲ ଆକଳନ କରୁଛନ୍ତି।

୨୮ ଓ ୨୯ରେ ବଢ଼ିପାରେ ବାତ୍ୟା ଆଶଙ୍କା

ପାଣିପାଗ ମଡେଲର ଆକଳନ ଅନୁଯାୟୀ, ଅକ୍ଟୋବର ୨୫ କିମ୍ବା ୨୬ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହେଲେ ୨୮ କିମ୍ବା ୨୯ ତାରିଖ ଆଡ଼କୁ ବାତ୍ୟାର ରୂପ ନେଇପାରେ। ଏହା ଓଡ଼ିଶା କିମ୍ବା ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା ମଧ୍ୟ ଆକଳନ କରାଯାଉଛି।

ତେବେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ କେତେ ଶକ୍ତିଶାଳୀ ହେବ ଏବଂ ଏହାର ଗତିପଥ କେଉଁ ଦିଗରେ ରହିବ, ତାହା ଏବେଠାରୁ ସ୍ପଷ୍ଟ ହୋଇନାହିଁ।

କୁମାର ପୂର୍ଣ୍ଣିମାରେ ରହିବ ଶୁଖିଲା ପାଗ!

ପ୍ରାରମ୍ଭିକ ଆକଳନ ଅନୁସାରେ, ଲଘୁଚାପ ସୃଷ୍ଟି ହେବା ସମୟରେ ଏହା ଓଡ଼ିଶାଠାରୁ ଦୂରରେ ରହିପାରେ। ତେଣୁ କୁମାର ପୂର୍ଣ୍ଣିମାରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି।

ଅକ୍ଟୋବର ମାସରେ ଓଡ଼ିଶା ଉପକୂଳକୁ ବାତ୍ୟା ମାଡ଼ି ଆସିବାର ପୂର୍ବ ଇତିହାସ ରହିଛି। ୧୯୯୯ର ମହାବାତ୍ୟା, ୨୦୧୩ର ଫାଇଲିନ୍, ୨୦୧୪ର ହୁଡ୍‌ହୁଡ୍‌ ଏବଂ ୨୦୨୪ର ଦାନା ଏହାର ଉଦାହରଣ।

ତେବେ ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପୂର୍ବାନୁମାନ ଜାରି ହୋଇନାହିଁ। ତେଣୁ ବାତ୍ୟା ଆସିବା ନେଇ ଏବେଠାରୁ ନିଶ୍ଚିତ ହେବା ଠିକ୍‌ ନୁହେଁ। ଆଗାମୀ ଦିନରେ ପାଣିପାଗ ବିଭାଗର ନୂଆ ଆକଳନ ଉପରେ ସମସ୍ତଙ୍କ ନଜର ରହିବ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ