ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼ ଘଟଣା: ୧୬ ଘଣ୍ଟା ମଧ୍ୟରେ ୪ ଅଭିଯୁକ୍ତ ଗିରଫ

ମୁମ୍ବାଇ, ୧୯/୧୦: ବଲିଉଡ୍ ଅଭିନେତା ଟାଇଗର ଶ୍ରଫଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ଚାରି ଜଣଙ୍କୁ ଗିରଫ କରାଯାଇଛି। ରାଜସ୍ଥାନର କୋଟା ଏବଂ ମହାରାଷ୍ଟ୍ର-ଗୁଜରାଟ ସୀମା ନିକଟରୁ ସେମାନଙ୍କୁ ଧରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, କୋଟାର ରେଳବାଇ କଲୋନୀ ଥାନା ନିକଟରୁ ତିନି ଜଣ ଅଭିଯୁକ୍ତ ଧରାପଡ଼ିଥିବା ବେଳେ ଅନ୍ୟ ଜଣଙ୍କୁ ମହାରାଷ୍ଟ୍ରରୁ ଗିରଫ କରାଯାଇଛି। ମାତ୍ର ଏହି ଗିରଫଦାରୀ ସମ୍ପର୍କରେ କୋଟା ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଘଟଣାର ମାତ୍ର ୧୬ ଘଣ୍ଟା ମଧ୍ୟରେ ଚାରି ଜଣଙ୍କୁ ଧରାଯାଇଥିବା ବେଳେ ତଦନ୍ତ ଜାରି ରହିଛି।

ପ୍ରାଥମିକ ସୂଚନା ଅନୁସାରେ, ଗୁଳିମାଡ଼ ପରେ ଅଭିଯୁକ୍ତମାନେ ଟ୍ରେନ୍‌ରେ ରାଜସ୍ଥାନ ଚାଲିଯାଇଥିଲେ। ସେମାନେ ପୁଣେ-ମୁମ୍ବାଇ ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ବିହାରର ରିତିକ୍ କୁମାର ଥିବାବେଳେ ଅନ୍ୟ ଦୁଇ ଜଣଙ୍କ ନାମ ଫୁଲ୍ ସିଂ ଓ ରେହାନ ବୋଲି ଜଣାପଡ଼ିଛି। ତେବେ ଚତୁର୍ଥ ଅଭିଯୁକ୍ତଙ୍କ ପରିଚୟ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ।

କେମିତି ହୋଇଥିଲା ଗୁଳିମାଡ଼?

ସୂଚନା ମୁତାବକ, ରବିବାର ସନ୍ଧ୍ୟାରେ ଟାଇଗର ଶ୍ରଫ୍ ମୁମ୍ବାଇର ଏକ ଫୁଟବଲ୍ ଗ୍ରାଉଣ୍ଡରୁ କାର୍‌ରେ ଘରକୁ ଫେରୁଥିଲେ। ଏହି ସମୟରେ ବାଇକ୍‌ରେ ଆସିଥିବା ତିନି ଜଣ ବନ୍ଧୁକଧାରୀ ଦୁର୍ବୃତ୍ତ ତାଙ୍କ କାର୍‌କୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ।

ଗୁଳିମାଡ଼ରେ କାର୍‌ଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗାଡ଼ିର ଡ୍ରାଇଭର ଆହତ ହୋଇଥିଲେ। ତେବେ ଏହି ଆକ୍ରମଣରୁ ଅଭିନେତା ଟାଇଗର ଶ୍ରଫ୍ ଅଳ୍ପକେ ବର୍ତ୍ତିଯାଇଥିଲେ।

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ନାଁରେ ଦାବି

ଘଟଣା ପରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ପ୍ରସାରିତ ହୋଇଥିଲା। ଭିଡିଓରେ ଜଣେ ବ୍ୟକ୍ତି ନିଜକୁ ଅନିଲ ପଣ୍ଡିତ ବୋଲି ପରିଚୟ ଦେବା ସହ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ଦାବି କରିଥିଲେ।

ତେବେ ଏହି ଭିଡିଓର ସତ୍ୟତା ଏବଂ ଗୁଳିମାଡ଼ ଘଟଣା ସହ ଏହାର ସମ୍ପର୍କ ତଦନ୍ତର ବିଷୟ। ଆକ୍ରମଣ ପଛର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ