ଲକ୍ଷ୍ନୌ, ୧୮/୧୦: ଉତ୍ତର ପ୍ରଦେଶରେ ପୁଣି କ୍ଷମତାକୁ ଫେରିବ କି ବିଜେପି ନେତୃତ୍ୱାଧୀନ ଏନ୍ଡିଏ? ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଥିବା ଏକ ଓପିନିୟନ୍ ପୋଲ୍ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ାଇଛି। ନ୍ୟୁଜ୍୧୮ର ମେଗା ଓପିନିୟନ୍ ପୋଲ୍ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ପଦ ପାଇଁ ଯୋଗୀ ଆଦିତ୍ୟନାଥ ଲୋକଙ୍କ ପ୍ରଥମ ପସନ୍ଦ ହୋଇଥିବା ବେଳେ ମେଣ୍ଟଗୁଡ଼ିକ ମଧ୍ୟରେ ଏନ୍ଡିଏ ଆଗରେ ରହିଛି।
ମୁଖ୍ୟମନ୍ତ୍ରୀ ଦୌଡ଼ରେ ଯୋଗୀ ଆଗରେ
ସର୍ଭେରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଯୋଗୀ ଆଦିତ୍ୟନାଥଙ୍କୁ ୬୬.୨ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି। ଅନ୍ୟପଟେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କୁ ୨୪.୪ ପ୍ରତିଶତ ଉତ୍ତରଦାତା ସମର୍ଥନ ଜଣାଇଛନ୍ତି। ଏହି ତଥ୍ୟ ଅନୁଯାୟୀ, ଲୋକପ୍ରିୟତା କ୍ଷେତ୍ରରେ ଯୋଗୀ ଅଖିଳେଶଙ୍କଠାରୁ ଆଗରେ ଅଛନ୍ତି।
ଏନ୍ଡିଏକୁ ୬୬.୬ ପ୍ରତିଶତ ସମର୍ଥନ
ଯଦି ଏବେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହୁଏ, ତେବେ କେଉଁ ମେଣ୍ଟକୁ ଭୋଟ୍ ଦେବେ ବୋଲି ସର୍ଭେରେ ଲୋକଙ୍କୁ ପଚରାଯାଇଥିଲା। ଏଥିରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏକୁ ୬୬.୬ ପ୍ରତିଶତ ସମର୍ଥନ ମିଳିଥିବା ଦର୍ଶାଯାଇଛି। ସେହିପରି ଏସ୍ପି-କଂଗ୍ରେସ ମେଣ୍ଟକୁ ୨୬.୪ ପ୍ରତିଶତ ଏବଂ ବହୁଜନ ସମାଜ ପାର୍ଟି (ବିଏସ୍ପି)କୁ ୫.୪ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି।
ଯୋଗୀ ସରକାରଙ୍କ କାର୍ଯ୍ୟରେ କେତେ ସନ୍ତୁଷ୍ଟ?
ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ନେଇ ମଧ୍ୟ ସର୍ଭେରେ ଲୋକଙ୍କ ମତାମତ ନିଆଯାଇଥିଲା। ରିପୋର୍ଟ ଅନୁସାରେ, ୭୭.୧ ପ୍ରତିଶତ ଉତ୍ତରଦାତା ଯୋଗୀ ସରକାରଙ୍କ କାର୍ଯ୍ୟରେ ସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ୧୩.୫ ପ୍ରତିଶତ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ତେବେ ଆଇନଶୃଙ୍ଖଳା ସହ ନିଯୁକ୍ତି ଏବଂ ମହଙ୍ଗା ମାଡ଼ ଭଳି ପ୍ରସଙ୍ଗ ମଧ୍ୟ ଭୋଟରଙ୍କ ପାଇଁ ଗୁରୁତ୍ୱ ବହନ କରୁଛି।
କେଉଁ ଅଞ୍ଚଳରେ ଏନ୍ଡିଏର ସ୍ଥିତି ମଜଭୁତ?
ଅଞ୍ଚଳଭିତ୍ତିକ ତଥ୍ୟରେ ରୁହେଲଖଣ୍ଡରେ ଏନ୍ଡିଏକୁ ୭୩.୨ ପ୍ରତିଶତ ସମର୍ଥନ ମିଳିଛି। ଦୋଆବରେ ୭୦.୪ ପ୍ରତିଶତ ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ୭୦.୧ ପ୍ରତିଶତ ସମର୍ଥନ ଥିବା ଦର୍ଶାଯାଇଛି। ସେହିପରି ଉତ୍ତର-ପୂର୍ବ ଉତ୍ତର ପ୍ରଦେଶରେ ୬୦.୬ ପ୍ରତିଶତ ଏବଂ ବୁନ୍ଦେଲଖଣ୍ଡରେ ୫୬ ପ୍ରତିଶତ ସମର୍ଥନ ମିଳିଥିବା ରିପୋର୍ଟରେ କୁହାଯାଇଛି।
୩୦ ହଜାରରୁ ଅଧିକ ଲୋକଙ୍କ ମତାମତ
ସୂଚନା ଅନୁସାରେ, ୨୦୨୬ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ମଧ୍ୟରେ ଉତ୍ତର ପ୍ରଦେଶର ୭୫ଟି ଜିଲ୍ଲାରେ ଏହି ସର୍ଭେ କରାଯାଇଥିଲା। ସହରାଞ୍ଚଳ ଓ ଗ୍ରାମାଞ୍ଚଳର ୧୮ ବର୍ଷରୁ ଅଧିକ ବୟସର ମୋଟ ୩୦,୯୨୫ ଜଣ ଏଥିରେ ଭାଗ ନେଇଥିଲେ।

