ମୁମ୍ବାଇ, ୧୮/୧୦: ବଲିଉଡ୍ଠାରୁ ଆରମ୍ଭ କରି ଦକ୍ଷିଣ ଭାରତୀୟ ଫିଲ୍ମ ଜଗତ ପର୍ଯ୍ୟନ୍ତ ଏବେ ଏକ ଚର୍ଚ୍ଚିତ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଏବଂ ସନରାଇଜର୍ସ ହାଇଦ୍ରାବାଦର ମାଲିକାଣୀ କାବ୍ୟା ମାରନଙ୍କ ବିବାହକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଏହି ଯୋଡ଼ିଙ୍କ ବିବାହ ଗ୍ରୀସ୍ରେ ଆୟୋଜିତ ହେବାକୁ ଯାଉଛି।
ଗ୍ରୀସ୍ରେ ହେବ ଗ୍ରାଣ୍ଡ ୱେଡିଂ
ସୂଚନା ଅନୁଯାୟୀ, କାବ୍ୟା ମାରନ ଓ ଅନିରୁଦ୍ଧ ରବିଚନ୍ଦରଙ୍କ ବିବାହ ଉତ୍ସବକୁ ସ୍ୱତନ୍ତ୍ର ଏବଂ ସ୍ମରଣୀୟ କରିବା ପାଇଁ ଯୋଜନା କରାଯାଉଛି। ଗ୍ରୀସ୍ର ମନୋରମ ପରିବେଶରେ ଏହି ବିବାହ ଉତ୍ସବ ଆୟୋଜନ ହେବ ବୋଲି ରିପୋର୍ଟରେ ଦାବି କରାଯାଇଛି।
ଏହି ଉତ୍ସବରେ ଉଭୟ ପରିବାରର ସଦସ୍ୟଙ୍କ ସହ କେବଳ କିଛି ଘନିଷ୍ଠ ବନ୍ଧୁ ଓ ସମ୍ପର୍କୀୟ ଯୋଗଦେବେ। ବିବାହର ସମସ୍ତ ପ୍ରସ୍ତୁତି ମାରନ ପରିବାରର ତତ୍ତ୍ୱାବଧାନରେ ଚାଲିଥିବା ଖବର ମିଳିଛି।
ନଭେମ୍ବର ୧୦ ଓ ୧୧ରେ ବିବାହ ଉତ୍ସବ!
ରିପୋର୍ଟ ମୁତାବକ, ନଭେମ୍ବର ୧୦ ଓ ୧୧ ତାରିଖରେ ଦୁଇ ଦିନ ଧରି ବିବାହ ସମ୍ପର୍କିତ ଉତ୍ସବ ଚାଲିବ। ଏଥିରେ ପରିବାରର ଘନିଷ୍ଠ ସଦସ୍ୟ ଏବଂ ମନୋନୀତ ବନ୍ଧୁମାନେ ସାମିଲ ହେବେ। ତେବେ ବିବାହକୁ ନେଇ ଏପର୍ଯ୍ୟନ୍ତ ଉଭୟ ପରିବାର ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇଥିବା ସୂଚନା ନାହିଁ।
ସାଣ୍ଟୋରିନିରେ ହେବନି ବିବାହ!
ବିବାହର ସ୍ଥାନକୁ ନେଇ ପୂର୍ବରୁ ଅନେକ ଆଲୋଚନା ହେଉଥିଲା। ବିଶେଷକରି ଗ୍ରୀସ୍ର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସାଣ୍ଟୋରିନିରେ ବିବାହ ହୋଇପାରେ ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ରିପୋର୍ଟ ଅନୁସାରେ, ବିବାହ ଏଠାରେ ହେବ ନାହିଁ।
ତେବେ ପ୍ରକୃତରେ ଗ୍ରୀସ୍ର କେଉଁ ସ୍ଥାନରେ ଏହି ବିବାହ ଉତ୍ସବ ଆୟୋଜିତ ହେବ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆନୁଷ୍ଠାନିକ ଘୋଷଣାକୁ ନେଇ ଏବେ ଉଭୟଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

