ଛାତ୍ର ସଂସଦ ନିର୍ବାଚନ: ଏବିଭିପି ଆଗରେ, ବିସିଜେଡିର ବି ଦମ୍‌ଦାର ପ୍ରଦର୍ଶନ

ଭୁବନେଶ୍ୱର, ୧୬/୧୦: ଦୀର୍ଘ ୮ ବର୍ଷ ପରେ ରାଜ୍ୟରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସଠାରୁ ରାଜନୈତିକ ମହଲ ପର୍ଯ୍ୟନ୍ତ ଉତ୍ସାହ ଓ ଉତ୍ତେଜନା ଦେଖିବାକୁ ମିଳିଛି। ଗାଳିଗୁଲଜ, ଗୋଷ୍ଠୀ ସଂଘର୍ଷ, ରାସ୍ତାରୋକ ଓ ପୁଲିସ ମୁତୟନ ମଧ୍ୟରେ ନିର୍ବାଚନୀ ଲଢ଼େଇ ଶେଷ ହୋଇଛି। ଏଥର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଓ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ମଧ୍ୟରେ କଡ଼ା ଟକ୍କର ହୋଇଛି।

ଉପଲବ୍ଧ ତଥ୍ୟ ଓ ଛାତ୍ର ସଂଗଠନଗୁଡ଼ିକର ଦାବି ଅନୁସାରେ, ୨୮୫ଟି କଲେଜ ଓ ବିଶ୍ୱବିଦ୍ୟାଳୟର ସଭାପତି ଆସନ ମଧ୍ୟରୁ ଏବିଭିପି ୧୪୨ଟି ଏବଂ ବିସିଜେଡି ୧୨୧ଟି ଆସନ ଦଖଲ କରିଛି। ଅନ୍ୟପଟେ ଏନ୍‌ଏସ୍‌ୟୁଆଇ ୫ଟି କଲେଜରେ ବିଜୟୀ ହୋଇଥିବା ଦାବି କରିଛି।

୬ଟି ବିଶ୍ୱବିଦ୍ୟାଳୟରେ ଏବିଭିପିର ବିଜୟ ଦାବି

ବିଶ୍ୱବିଦ୍ୟାଳୟ ସ୍ତରରେ ଏବିଭିପି ଉତ୍କଳ, ବିକ୍ରମଦେବ, ବ୍ରହ୍ମପୁର, ଖଲ୍ଲିକୋଟ, ସମ୍ବଲପୁର ଓ ଧରଣୀଧର ବିଶ୍ୱବିଦ୍ୟାଳୟରେ ସଭାପତି ପଦ ଜିତିଥିବା ଦାବି କରିଛି। ସେହିପରି ରେଭେନ୍ସା, ରମାଦେବୀ, ମଧୁସୂଦନ ଆଇନ, ଫକୀରମୋହନ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିସିଜେଡି ବିଜୟୀ ହୋଇଥିବା ଦାବି କରିଛି।

ବିଧାୟକଙ୍କ ଗଡ଼ରେ ଶକ୍ତି ପରୀକ୍ଷା

ଛାତ୍ର ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକର ପ୍ରଭାବ ମଧ୍ୟ ସ୍ପଷ୍ଟ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଏବିଭିପି ୧୫ଟି ସଭାପତି ଆସନ ଜିତିଥିବା ବେଳେ ବିସିଜେଡି ୩ଟି ଆସନ ପାଇଥିବା ଦାବି କରାଯାଇଛି। ଗଞ୍ଜାମରେ ମଧ୍ୟ ଏବିଭିପିର ପ୍ରଦର୍ଶନ ଭଲ ରହିଛି। ଅନ୍ୟପଟେ କେନ୍ଦ୍ରାପଡ଼ା ଓ କଟକରେ ବିସିଜେଡି ନିଜର ଦବଦବା ଦେଖାଇଛି।

ମୋଟାମୋଟି ଭାବେ, ଛାତ୍ର ସଂସଦ ନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। କ୍ୟାମ୍ପସରେ କାହାର ପ୍ରଭାବ ଅଧିକ, ତାହାକୁ ନେଇ ଏବେ ରାଜନୈତିକ ମହଲରେ ଆଲୋଚନା ଜୋର ଧରିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ