ଭୁବନେଶ୍ୱର, ୧୫।୧୦: ରାଜଧାନୀ ଭୁବନେଶ୍ୱରର ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଚାଲିଥିବା ବେଳେ ଦେଖାଦେଇଛି ଉତ୍ତେଜନା। ନିର୍ବାଚନ ମତଦାନ ଜାରି ରହିଥିବା ସମୟରେ ବିସିଜେଡିକୁ ଲାଗିଛି ଝଟ୍କା। ସଂଗଠନର ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ପୋଲିସ ଉଠାଇ ନେଇଥିବା ସୂଚନା ମିଳିଛି। ତାଙ୍କ ନାଁରେ ପୂର୍ବରୁ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।
କଡ଼ା ସୁରକ୍ଷା ବଳୟରେ ମତଦାନ
ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି। ମତଦାନ କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବା ସହ ପୋଲିସ ମୁତୟନ କରାଯାଇଛି। ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।
କ୍ୟାମ୍ପସ୍ରେ ଶୃଙ୍ଖଳା ବଜାୟ ରଖିବା ସହ ନିର୍ବାଚନ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ
ଅନ୍ୟପଟେ, କ୍ୟାମ୍ପସ୍ ବାହାରେ ଭୋଟରଙ୍କୁ ନିଜ ପକ୍ଷକୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀଙ୍କ ସମର୍ଥକମାନେ ଉଦ୍ୟମ କରୁଥିବା ଦେଖାଯାଇଛି। ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ନିକଟରେ ଶ୍ରୀମନ୍ଦିର ମହାପ୍ରସାଦ ରଖାଯାଇଥିବା ବେଳେ ଭୋଟ୍ ଦେବାକୁ ଆସୁଥିବା ଛାତ୍ରୀମାନଙ୍କୁ ମହାପ୍ରସାଦ ଓ ଗୋଲାପ ଫୁଲ ଦିଆଯାଉଥିବା ଦେଖିବାକୁ ମିଳିଛି।
କ୍ୟାମ୍ପସ୍ ଭିତରକୁ ମୋବାଇଲ୍ ମନା
ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାମ୍ପସ୍ ଭିତରକୁ ମୋବାଇଲ୍ ଫୋନ୍ ନେବା ଉପରେ କଟକଣା ଲଗାଯାଇଛି। ନିର୍ଦ୍ଧାରିତ ଡ୍ରେସ୍ ଓ ପରିଚୟପତ୍ର ନଥିଲେ ପ୍ରବେଶ ଅନୁମତି ମିଳୁନାହିଁ। କଲେଜର ବିଭିନ୍ନ କରିଡରରେ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି।
ତେବେ ନିର୍ବାଚନ ମଧ୍ୟରେ ବିସିଜେଡି ସଭାନେତ୍ରୀଙ୍କୁ ପୋଲିସ ଉଠାଇ ନେବା ଘଟଣା କ୍ୟାମ୍ପସ୍ର ରାଜନୈତିକ ମାହୋଲକୁ ଆହୁରି ସରଗରମ କରିଛି।

