ହାଇଦ୍ରାବାଦ, ୦୪/୧୦ : ହାଇଦ୍ରାବାଦରେ ସେନା କେନ୍ଦ୍ରରୁ ଅସ୍ତ୍ରଶସ୍ତ୍ର ଚୋରି ଘଟଣାରେ ପୁଲିସ ଆଉ ୭ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସେନାରେ କାର୍ଯ୍ୟରତ ୩ ଜଣ ଯବାନ ରହିଛନ୍ତି। ମଜ୍ଜାଜଗିରି ପୁଲିସ କମିଶନର ବି. ସୁମତି ଶନିବାର ଏନେଇ ସୂଚନା ଦେଇଛନ୍ତି।
ପୁଲିସର ସୂଚନା ଅନୁସାରେ, ନାଗରକୁର୍ନୁଲ ଜିଲ୍ଲାର ପୂର୍ବତନ ହାବିଲଦାର ଉପୁଥୁଲା ମଲ୍ଲେଶ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ। ତାଙ୍କୁ ଗତ ସେପ୍ଟେମ୍ବର ୧୧ ତାରିଖରେ ଗିରଫ କରାଯାଇଥିଲା। ଅଗଷ୍ଟ ୩୦-୩୧ ରାତିରେ ବେଲାରମସ୍ଥିତ ସେନା କେନ୍ଦ୍ରରୁ ଏକେ-୨୦୩ ଆସଲ୍ଟ ରାଇଫଲ ସହ ଗୁଳି ଚୋରି କରିଥିବା ମଲ୍ଲେଶଙ୍କ ବିରୋଧରେ ଅଭିଯୋଗ ରହିଛି।
ଏହି ଚୋରି ଘଟଣାରେ ମଲ୍ଲେଶଙ୍କୁ ତାଙ୍କ ରେଜିମେଣ୍ଟରେ କାର୍ଯ୍ୟରତ ୩ ଜଣ ଯବାନ, ପଶ୍ଚିମବଙ୍ଗର ୨ ଜଣ ବ୍ୟକ୍ତି, ଜଣେ ସମ୍ପର୍କୀୟ ଭାଇ ଏବଂ ଜଣେ ବନ୍ଧୁ ସହଯୋଗ କରିଥିବା ପୁଲିସ କହିଛି। ଚୋରି ପରେ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ନାଗରକୁର୍ନୁଲ ଜିଲ୍ଲାର ଅଚାମପେଟସ୍ଥିତ ନିଜ ଘରେ ଲୁଚାଇ ରଖିଥିଲେ। ପୁଲିସ ସମସ୍ତ ଚୋରି ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛି।
ପୁଲିସ କମିଶନର ବି. ସୁମତିଙ୍କ କହିବା ଅନୁସାରେ, ଚୋରି ହୋଇଥିବା ଅସ୍ତ୍ରକୁ ବ୍ୟବହାର କରି ମଲ୍ଲେଶ ଓ ତାଙ୍କ ସହଯୋଗୀମାନେ ବଡ଼ଧରଣର ଚୋରି ଓ ଲୁଟ୍ କରିବାକୁ ଯୋଜନା କରିଥିଲେ। ଜୁଏଲାରୀ ଦୋକାନ, ବ୍ୟାଙ୍କ ଏବଂ ଧନୀ ବ୍ୟକ୍ତିଙ୍କ ଘରକୁ ଟାର୍ଗେଟ୍ କରି ଅଧିକ ଟଙ୍କା ରୋଜଗାର କରିବା ଯୋଜନା ଥିଲା।
ତେବେ ମଲ୍ଲେଶ କିମ୍ବା ତାଙ୍କ ସହଯୋଗୀଙ୍କର କୌଣସି ଆତଙ୍କବାଦୀ ବା ଉଗ୍ରବାଦୀ ସଂଗଠନ ସହ ସମ୍ପର୍କ ମିଳିନଥିବା ପୁଲିସ ସ୍ପଷ୍ଟ କରିଛି।
ମଲ୍ଲେଶ ମାଡ୍ରାସ ରେଜିମେଣ୍ଟର ୨୦ ବାଟାଲିଅନ୍ରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ଅନୁଶାସନହୀନତା ଓ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଚଳିତବର୍ଷ ଜୁନ୍ରେ ତାଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଅବସର ଦିଆଯାଇଥିଲା। ଏହାପୂର୍ବରୁ ମଧ୍ୟ ସେ କିଛି ଚୋରି ଘଟଣାରେ ସମ୍ପୃକ୍ତ ଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।

