ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ଦ୍ରୁତଗତିରେ ବଢ଼ୁଛି । ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରିରେ ବନ୍ୟା ପରିସ୍ଥିତି ଚିନ୍ତା ବଢ଼ାଇଥିବା ବେଳେ ଉତ୍ତର ଓଡ଼ିଶାର ଅନେକ ନଦୀ ମଧ୍ୟ ଫୁଲିବାରେ ଲାଗିଛି ।
ଉତ୍ତର ଓଡ଼ିଶା ସମେତ ଝାଡ଼ଖଣ୍ଡରେ ଲଗାତାର ବର୍ଷା ହେଉଥିବାରୁ ବ୍ରାହ୍ମଣୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବଢ଼ିଛି । ଅନ୍ୟପଟେ ଗଭୀର ଅବପାତ ଛତିଶଗଡ଼ ଆଡ଼କୁ ଗତି କରିବାରୁ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି । ଏହାର ପ୍ରଭାବରେ ମହାନଦୀରେ ଆଗକୁ ଜଳପ୍ରବାହ ବଢ଼ିବାର ଆଶଙ୍କା ରହିଛି ।
ମହାନଦୀର ଉପନଦୀ ତେଲ ଓ ହାତୀ ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି । ସ୍ଥିତିକୁ ନଜରରେ ରଖି ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ୍ ଖୋଲାଯାଇଛି । ତେବେ ମହାନଦୀକୁ ଏବେ ଜଳପ୍ରବାହ ଅଧିକ ନଥିବାରୁ ବର୍ତ୍ତମାନ ସମୟରେ ବଡ଼ ଧରଣର ବନ୍ୟା ଆଶଙ୍କା ନଥିବା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।
ଦକ୍ଷିଣ ଓଡ଼ିଶାରେ ବଢ଼ୁଛି ବନ୍ୟା ଚିନ୍ତା
କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରିରେ ଗତ କିଛି ଦିନ ଧରି ବର୍ଷା ଲାଗି ରହିଛି । ଫଳରେ ଇନ୍ଦ୍ରାବତୀ, ବଂଶଧାରା, ଋଷିକୁଲ୍ୟା ଓ ପୋଟେରୁ ନଦୀର ପାଣି ବିଭିନ୍ନ ଗାଁ ଭିତରକୁ ପଶିଛି । ଜଳଭଣ୍ଡାରରେ ଜଳସ୍ତର ବଢ଼ିବା ପରେ ଇନ୍ଦ୍ରାବତୀର ୩ଟି ଗେଟ୍ ମଧ୍ୟ ଖୋଲାଯାଇଛି ।
ରାଜ୍ୟର ଚାଲୁଥିବା ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ୨୪ ଘଣ୍ଟାକୁ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।
ଅବପାତ ଅତିକ୍ରମ କଲା, ତଥାପି ବର୍ଷା ଜାରି
ଅବପାତ ଓଡ଼ିଶା ଅତିକ୍ରମ କରିଥିଲେ ମଧ୍ୟ ଏହାର ପ୍ରଭାବ ସମ୍ପୂର୍ଣ୍ଣ କମିନାହିଁ । ରାଜ୍ୟର ଅନେକ ସ୍ଥାନରେ ବର୍ଷା ସହ ପବନ ଜାରି ରହିଛି । ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଗଞ୍ଜାମ ଭଳି ଉପକୂଳ ଜିଲ୍ଲାରେ ବାରମ୍ବାର ବର୍ଷା ସହ ପବନ ହେବାରୁ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ଜଣାପଡ଼ିଛି ।
ଏହି ସମୟରେ ଅବପାତ ଦକ୍ଷିଣ ଛତିଶଗଡ଼ ଏବଂ ଏହାର ସଂଲଗ୍ନ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଅଞ୍ଚଳ ଉପରେ ରହିଥିଲା ।
୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ପାଣିପାଗ ବିଭାଗର ଆକଳନ ଅନୁସାରେ, ଶନିବାର ପୂର୍ବାହ୍ଣ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା ଓ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହା ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବାର ଆଶଙ୍କା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ଏହାବ୍ୟତୀତ ଉପକୂଳ ଓଡ଼ିଶା ଓ ଏହାର ସଂଲଗ୍ନ ଅଞ୍ଚଳରେ ମଧ୍ୟ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ସହ ପ୍ରବଳ ବର୍ଷା ହୋଇପାରେ ।
ନବରଙ୍ଗପୁରରେ ୩୯୫ ମିମି ବର୍ଷା
ବର୍ଷାର ପରିମାଣ ଦୃଷ୍ଟିରୁ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ସ୍ଥିତି ଗମ୍ଭୀର ରହିଛି । ଗତକାଲି ସକାଳରୁ ଆଜି ସକାଳ ମଧ୍ୟରେ ନବରଙ୍ଗପୁରର ତେନ୍ତୁଳିଖୁଣ୍ଟିରେ ସର୍ବାଧିକ ୩୯୫ ମିମି ବର୍ଷା ରେକର୍ଡ ହୋଇଛି । ନନ୍ଦାହାଣ୍ଡିରେ ୩୪୪ ମିମି ବର୍ଷା ହୋଇଥିବା ବେଳେ କୋରାପୁଟର ବୋରିଗୁମ୍ମାରେ ୩୦୭.୮ ମିମି, କୋଟପାଡ଼ରେ ୨୭୨ ମିମି, ସେମିଳିଗୁଡ଼ାରେ ୨୬୭ ମିମି ଓ ଜୟପୁରରେ ୨୫୮.୨ ମିମି ବର୍ଷା ହୋଇଛି ।
ସେହିପରି ନବରଙ୍ଗପୁରର ଝରିଗାଁରେ ୨୪୦.୨ ମିମି, କୋଷାଗୁମୁଡ଼ାରେ ୨୪୦ ମିମି, ଚନ୍ଦାହାଣ୍ଡିରେ ୨୨୯.୬ ମିମି ଏବଂ କେନ୍ଦ୍ରାପଡ଼ାରେ ୨୧୪ ମିମି ବର୍ଷା ରେକର୍ଡ କରାଯାଇଛି ।
ବର୍ତ୍ତମାନ ନଦୀଗୁଡ଼ିକର ଜଳସ୍ତର ଓ ଆଗାମୀ ବର୍ଷା ଉପରେ ପ୍ରଶାସନ ନଜର ରଖିଥିବା ବେଳେ ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର ନଦୀ ଅବବାହିକାରେ ମଧ୍ୟ ସତର୍କତା ବଢ଼ାଯାଇଛି ।

