ଭୁବନେଶ୍ୱର, ୧୭/୦୯: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗରେ ବଡ଼ ପରିବର୍ତ୍ତନର ସଙ୍କେତ ମିଳିଛି। ଉତ୍ତର ଥାଇଲାଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାବେଳେ ଏହା ଧୀରେଧୀରେ ଆଣ୍ଡାମାନ ସାଗର ଆଡ଼କୁ ଗତି କରିବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ଘୂର୍ଣ୍ଣିବଳୟଟି ଆଣ୍ଡାମାନ ସାଗରରେ ପହଞ୍ଚିପାରେ। ପରେ ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ୩ରୁ ୪ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇପାରେ।
ପାଣିପାଗ ବୈଜ୍ଞାନିକଙ୍କ ଆକଳନ ଅନୁସାରେ, ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ। ବିଶେଷକରି ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୨୩ ତାରିଖରୁ ବର୍ଷାର ପ୍ରକୋପ ବଢ଼ି ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିପାରେ।
ବର୍ତ୍ତମାନର ମଡେଲ୍ ଆକଳନ ଅନୁଯାୟୀ, ଲଘୁଚାପଟି ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇପାରେ। ୨୪ରୁ ୨୬ ତାରିଖ ମଧ୍ୟରେ ଏହା ଉତ୍ତର ଆନ୍ଧ୍ର, ଓଡ଼ିଶା ଉପକୂଳ କିମ୍ବା ପଶ୍ଚିମବଙ୍ଗର ଦୀଘା ନିକଟରେ ସ୍ଥଳଭାଗ ଛୁଇଁପାରେ। ତେବେ ୨୦ ତାରିଖ ପରେ ଏହାର ଗତିପଥ ଓ ପ୍ରଭାବ ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିବ।
ଅନ୍ୟପକ୍ଷରେ, କେତେକ ବିଦେଶୀ ପାଣିପାଗ ମଡେଲ୍ ବାତ୍ୟାର ସମ୍ଭାବନା ଦେଖାଉଥିଲେ ମଧ୍ୟ ଆଇଏମଡି ପକ୍ଷରୁ ଏନେଇ କୌଣସି ଆକଳନ କରାଯାଇନାହିଁ। ବର୍ତ୍ତମାନ ରାଜ୍ୟର ଅଧିକାଂଶ ସ୍ଥାନରେ ଗରମ ଓ ଶୁଖିଲା ପାଗ ରହିଥିବାବେଳେ ତାପମାତ୍ରା ୩୪ରୁ ୩୬ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହୁଛି। ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜର କେତେକ ସ୍ଥାନରେ ଆଜି ପ୍ରବଳ ବର୍ଷା ସହ ଘଡ଼ଘଡ଼ିର ସମ୍ଭାବନା ରହିଛି।

