ନୂଆଦିଲ୍ଲୀ: UPI ବ୍ୟବହାରକାରୀଙ୍କ ପାଇଁ ଆସିଛି ବଡ଼ ଆଶ୍ୱସ୍ତିର ଖବର। ₹୨,୦୦୦ ପର୍ଯ୍ୟନ୍ତ UPI ମାଧ୍ୟମରେ କରାଯାଉଥିବା ପେମେଣ୍ଟ ଉପରେ ଗ୍ରାହକଙ୍କୁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ। ଏହା ସହିତ RuPay ଡେବିଟ୍ କାର୍ଡ ମାଧ୍ୟମରେ ₹୨,୦୦୦ ପର୍ଯ୍ୟନ୍ତ ପେମେଣ୍ଟ ମଧ୍ୟ ଶୁଳ୍କମୁକ୍ତ ରହିବ।
କେନ୍ଦ୍ର ସରକାର ଏନେଇ ସ୍ପଷ୍ଟ କରିଛନ୍ତି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ଗଜେଟ୍ ବିଜ୍ଞପ୍ତିରେ RuPay ଡେବିଟ୍ କାର୍ଡ ଏବଂ ₹୨,୦୦୦ ପର୍ଯ୍ୟନ୍ତ UPI ନେଣଦେଣକୁ ଇଲେକ୍ଟ୍ରୋନିକ୍ ପେମେଣ୍ଟ ମାଧ୍ୟମ ଭାବେ ଅଧିସୂଚିତ କରାଯାଇଛି।
ଗ୍ରାହକଙ୍କଠାରୁ ନିଆଯିବନି ଶୁଳ୍କ
ସରକାରଙ୍କ ବିଜ୍ଞପ୍ତି ଅନୁସାରେ, ଏହି ମାଧ୍ୟମରେ ପେମେଣ୍ଟ କରୁଥିବା କିମ୍ବା ପେମେଣ୍ଟ ଗ୍ରହଣ କରୁଥିବା ବ୍ୟକ୍ତିଙ୍କଠାରୁ ବ୍ୟାଙ୍କ କିମ୍ବା ପେମେଣ୍ଟ ସିଷ୍ଟମ୍ ଅପରେଟର୍ ସିଧାସଳଖ କିମ୍ବା ପରୋକ୍ଷ ଭାବେ କୌଣସି ଶୁଳ୍କ ଆଦାୟ କରିପାରିବେ ନାହିଁ।
ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ ସିଷ୍ଟମ୍ସ ଆକ୍ଟ, ୨୦୦୭ ଅଧୀନରେ ଥିବା ଅଧିକାର ବ୍ୟବହାର କରି ସରକାର ଏହି ବ୍ୟବସ୍ଥା କରିଛନ୍ତି।
UPI ଚାର୍ଜକୁ ନେଇ ଦୂର ହେଲା ଦ୍ୱନ୍ଦ୍ୱ
ନିକଟରେ ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ ସିଷ୍ଟମ୍ସ ଆକ୍ଟରେ ପରିବର୍ତ୍ତନ ପରେ UPI ନେଣଦେଣ ଉପରେ ଚାର୍ଜ ଲାଗିବ କି ନାହିଁ, ତାକୁ ନେଇ ଆଶଙ୍କା ଦେଖାଦେଇଥିଲା। ତେବେ ଏବେ ସରକାରଙ୍କ ସ୍ପଷ୍ଟୀକରଣ ପରେ ଏହି ଦ୍ୱନ୍ଦ୍ୱ ଦୂର ହୋଇଛି।
ସାଧାରଣ ଲୋକଙ୍କ ମଧ୍ୟରେ ହେଉଥିବା ବ୍ୟକ୍ତିରୁ ବ୍ୟକ୍ତି ବା P2P UPI ପେମେଣ୍ଟ ମଧ୍ୟ ମାଗଣା ରହିବ ବୋଲି ସରକାର ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି।
ବ୍ୟବସାୟୀଙ୍କ ପାଇଁ କ’ଣ ନିୟମ?
UPI ନେଣଦେଣରେ Merchant Discount Rate ବା MDRକୁ ନେଇ ମଧ୍ୟ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସବୁ ବ୍ୟବସାୟୀଙ୍କ ଉପରେ ବ୍ୟାପକ ଭାବେ MDR ଲାଗୁ କରାଯିବ ନାହିଁ।
ଭବିଷ୍ୟତରେ ଯଦି ନିର୍ଦ୍ଦିଷ୍ଟ କିଛି ଶ୍ରେଣୀର ବ୍ୟବସାୟୀଙ୍କ ପାଇଁ MDR ବ୍ୟବସ୍ଥା ଲାଗୁ ହୁଏ, ତେବେ ତାହା ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ମୂଲ୍ୟର ପେମେଣ୍ଟରେ ଏବଂ ଅତ୍ୟନ୍ତ କମ୍ ହାରରେ ଲାଗୁ ହେବ ବୋଲି ସରକାର କହିଛନ୍ତି।
ଫଳରେ ସାଧାରଣ ଗ୍ରାହକଙ୍କ ପାଇଁ ₹୨,୦୦୦ ଯାଏଁ UPI ପେମେଣ୍ଟ ଏବଂ RuPay ଡେବିଟ୍ କାର୍ଡ ପେମେଣ୍ଟ ଉପରେ ଚାର୍ଜକୁ ନେଇ ଆଉ କୌଣସି ଦ୍ୱନ୍ଦ୍ୱ ରହିନାହିଁ।

