ନୂଆଦିଲ୍ଲୀ, ୧୫/୦୯: ପାକିସ୍ତାନର ବାଲୁଚିସ୍ତାନକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ବାଲୁଚ୍ ଲିବରେସନ୍ ଆର୍ମି (BLA) ପାକିସ୍ତାନୀ ସେନା ବିରୋଧରେ ବଡ଼ ସଫଳତା ମିଳିଥିବା ଦାବି କରିଛି। ଗତ ତିନି ମାସ ମଧ୍ୟରେ ପାକିସ୍ତାନୀ ସେନାର ୧୪ରୁ ଅଧିକ ପୋଷ୍ଟ ଉପରେ ନିୟନ୍ତ୍ରଣ ନେଇଥିବା ସଙ୍ଗଠନ ପକ୍ଷରୁ କୁହାଯାଇଛି।
BLAର ଦାବି ଅନୁସାରେ, ଦଖଲ କରାଯାଇଥିବା ପୋଷ୍ଟଗୁଡ଼ିକୁ ପରେ ଧ୍ୱଂସ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ସମୟରେ ପାକିସ୍ତାନୀ ସେନାର କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଥିବା ସଙ୍ଗଠନ ଦାବି କରିଛି। ତେବେ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ରର ପରିମାଣ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ।
ଭିଡିଓ ଜାରି କଲା BLA
ନିଜ ଦାବିକୁ ନେଇ BLA ପକ୍ଷରୁ କିଛି ଭିଡିଓ ଫୁଟେଜ୍ ମଧ୍ୟ ଜାରି କରାଯାଇଛି। ଏଥିରେ ସଙ୍ଗଠନର ସଦସ୍ୟମାନେ ସେନା ପୋଷ୍ଟ ଦଖଲ କରୁଥିବା ଏବଂ ପରେ ସେଗୁଡ଼ିକୁ ନଷ୍ଟ କରାଯାଉଥିବା ଦୃଶ୍ୟ ଥିବା ଦାବି କରାଯାଇଛି।
BLA କହିଛି ଯେ, ବାଲୁଚିସ୍ତାନର ବିଭିନ୍ନ ଅଞ୍ଚଳରେ ଗତ ତିନି ମାସ ଧରି ଏହି ଅଭିଯାନ ଚାଲିଥିଲା। କ୍ୱେଟା ଓ ତଫତାନ୍ ସମେତ ଅନେକ ସ୍ଥାନରେ ପାକିସ୍ତାନୀ ସେନାର ପୋଷ୍ଟକୁ ଟାର୍ଗେଟ୍ କରାଯାଇଥିବା ସଙ୍ଗଠନ ଦାବି କରିଛି।
କିଛି ଫୁଟେଜରେ ପାକିସ୍ତାନୀ ସୈନିକମାନେ ସ୍ଥାନ ଛାଡ଼ି ଯାଉଥିବା ଏବଂ ଅନ୍ୟ କିଛି ଦୃଶ୍ୟରେ ସେନା ପୋଷ୍ଟ ନଷ୍ଟ ହୋଇଥିବା ଦେଖାଯାଉଥିବା BLA ପକ୍ଷରୁ କୁହାଯାଇଛି।
ତେବେ BLAର ଏହି ଦାବିକୁ ସ୍ୱାଧୀନ ଭାବେ ସତ୍ୟାପନ କରାଯାଇଥିବା ସୂଚନା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ।

