ଭୁବନେଶ୍ୱର, ୧୬/୦୯: ଓଡ଼ିଶାରେ ଆସୁଛି ଝଡ଼ ବର୍ଷା। ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ। ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ଏବଂ କେତେକ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ବିଭିନ୍ନ ପାଣିପାଗ ମଡେଲ୍ ସଙ୍କେତ ଦେଉଛି।
ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ନିକଟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ୨୦ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପର ରୂପ ନେଇପାରେ। ପରବର୍ତ୍ତୀ ସମୟରେ ଏହା ଅବପାତରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଓଡ଼ିଶା ଉପକୂଳ ଆଡ଼କୁ ଆସିପାରେ।
ଆକଳନ ଅନୁସାରେ, ୨୪ ତାରିଖ ବେଳକୁ ସମ୍ଭାବ୍ୟ ସିଷ୍ଟମ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିପାରେ। ପୁରୀରୁ ଜଗତସିଂହପୁର ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ନେଇ ମଧ୍ୟ ଆକଳନ ରହିଛି। ତେବେ ଏହାର ତୀବ୍ରତା, ଗତିପଥ ଓ ସ୍ଥଳଭାଗ ଛୁଇଁବା ସ୍ଥାନ ଏବେ ମଧ୍ୟ ଅନିଶ୍ଚିତ। ବାତ୍ୟା ସମ୍ଭାବନାକୁ ସମ୍ପୂର୍ଣ୍ଣ ଏଡ଼ାଇ ହେବନି, କିନ୍ତୁ ଏବେଠାରୁ ଏନେଇ ନିଶ୍ଚିତ ଭାବେ କିଛି କୁହାଯାଇପାରିବ ନାହିଁ।
୨୩ରୁ ୨୬ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶା ସମେତ କଟକ, ଖୋର୍ଦ୍ଧା, ନୟାଗଡ଼, ଅନୁଗୁଳ, ଯାଜପୁର ଆଦି ଅଞ୍ଚଳରେ ଭାରୀ ବର୍ଷା ହୋଇପାରେ। ଏବେ ଭୟଭୀତ ନହୋଇ ସତର୍କ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।
ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ଘୂର୍ଣ୍ଣିବଳୟ ରହିଛି। ବୁଧବାର ବାଲେଶ୍ୱର, କେନ୍ଦୁଝର, ଯାଜପୁର ଓ ମୟୂରଭଞ୍ଜର କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହୋଇପାରେ।

