ନୂଆଦିଲ୍ଲୀ: ୨୦୨୬ ବର୍ଷ ଆରମ୍ଭରୁ ବିଶ୍ୱର ବିଭିନ୍ନ ଅଞ୍ଚଳ ଅନେକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଛି। ବର୍ଷ ଶେଷ ହେବାକୁ ଆଉ ପ୍ରାୟ ୩ ମାସ ବାକି ଥିବାବେଳେ ଆଗାମୀ ସମୟକୁ ନେଇ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ଆକଳନ। ୨୦୨୬ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଉତ୍ତର ଭାରତ ମହାସାଗରରେ ପ୍ରାୟ ୩ଟି ଟ୍ରପିକାଲ ସାଇକ୍ଲୋନ୍ ସୃଷ୍ଟି ହୋଇପାରେ ବୋଲି ଇସ୍ରୋର ଅଧ୍ୟୟନରୁ ଆକଳନ କରାଯାଇଛି।
୩ଟି ବାତ୍ୟାର ସମ୍ଭାବନା
ଆକଳନ ଅନୁଯାୟୀ, ମୌସୁମୀ ପରବର୍ତ୍ତୀ ଋତୁରେ ଉତ୍ତର ଭାରତୀୟ ମହାସାଗରରେ ବାତ୍ୟା ସକ୍ରିୟତା ବଢ଼ିପାରେ। ଏହି ସମ୍ଭାବ୍ୟ ବାତ୍ୟାଗୁଡ଼ିକର ମୋଟ ପାୱାର ଡିସିପେସନ୍ ଇଣ୍ଡେକ୍ସ (PDI) ପ୍ରାୟ ୧.୩୦ କୋଟି ରହିପାରେ। ଏହା ୧୯୮୨ରୁ ୨୦୨୫ ମଧ୍ୟରେ ରେକର୍ଡ ହୋଇଥିବା ହାରାହାରି PDI ୭୧ ଲକ୍ଷ ତୁଳନାରେ ପ୍ରାୟ ୮୩ ପ୍ରତିଶତ ଅଧିକ।
PDI ମାଧ୍ୟମରେ ବାତ୍ୟାର ପବନର ବେଗ ଏବଂ କେତେ ସମୟ ପର୍ଯ୍ୟନ୍ତ ଏହା ଶକ୍ତିଶାଳୀ ରହୁଛି, ତାହାକୁ ବିଚାର କରାଯାଏ। ତେଣୁ PDI ଅଧିକ ରହିଲେ ବାତ୍ୟା ସକ୍ରିୟତା ଅଧିକ ରହିବାର ସଙ୍କେତ ମିଳେ।
୪୦ ବର୍ଷର ତଥ୍ୟରୁ ଆକଳନ
ଏହି ପୂର୍ବାନୁମାନ ପାଇଁ ପ୍ରାୟ ୪୦ ବର୍ଷର ସମୁଦ୍ର ଓ ବାୟୁମଣ୍ଡଳୀୟ ତଥ୍ୟ ବିଶ୍ଳେଷଣ କରାଯାଇଛି। ଜାନୁଆରୀରୁ ଅଗଷ୍ଟ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଆଧାରରେ ଅକ୍ଟୋବର-ଡିସେମ୍ବର ସମୟର ବାତ୍ୟା ସକ୍ରିୟତା ଆକଳନ କରାଯାଇଛି।
ତେବେ ଏହା କୌଣସି ନିର୍ଦ୍ଦିଷ୍ଟ ବାତ୍ୟାର ତାରିଖ, ଗତିପଥ କିମ୍ବା ସ୍ଥଳଭାଗ ଛୁଇଁବାର ସ୍ଥାନର ପୂର୍ବାନୁମାନ ନୁହେଁ। ଏହା କେବଳ ଆଗାମୀ ମୌସୁମୀ-ପରବର୍ତ୍ତୀ ଋତୁରେ ବାତ୍ୟା ସକ୍ରିୟତାର ସମ୍ଭାବ୍ୟ ଚିତ୍ର ଦର୍ଶାଉଛି।

