୫ ଦିନ ଯାଏଁ ବନ୍ଦ ରହିବ ବ୍ୟାଙ୍କ୍ : ଆଜି ବି ଖୋଲିବନି, ଜାଣନ୍ତୁ କେବେ ଖୋଲିବ ?

ଭୁବନେଶ୍ବର/ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର। ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ଲାଗୁ କରିବାରେ ବିଳମ୍ବ, ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ ଯୋଜନାକୁ ନେଇ ମତଭେଦ ସମେତ ବିଭିନ୍ନ ଦାବି ପୂରଣ ହୋଇନଥିବାରୁ ବ୍ୟାଙ୍କ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆସନ୍ତାକାଲି ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ୍‌ ପକ୍ଷରୁ ଦେଶବ୍ୟାପୀ ଦିନିକିଆ ଧର୍ମଘଟ ଡାକରା ଦିଆଯାଇଛି।

ଧର୍ମଘଟ ସହ ଲଗାତାର ଛୁଟି ଥିବାରୁ ବ୍ୟାଙ୍କ ସେବା ପ୍ରାୟ ୪ ଦିନ ପ୍ରଭାବିତ ହେବାର ଆଶଙ୍କା ରହିଛି। ଶୁକ୍ରବାର ଧର୍ମଘଟ, ଏହାପରେ ମାସର ଦ୍ୱିତୀୟ ଶନିବାର, ରବିବାର ଏବଂ ଗଣେଶ ପୂଜା ପାଇଁ ସୋମବାର ଛୁଟି ରହିବ। ଫଳରେ ବିଶେଷକରି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଦୈନନ୍ଦିନ କାର୍ଯ୍ୟ ପ୍ରଭାବିତ ହୋଇପାରେ।

ଓଡ଼ିଶାରେ ମଧ୍ୟ ଧର୍ମଘଟର ପ୍ରଭାବ ପଡ଼ିବ। ୟୁଏଫ୍‌ବିୟୁ ଓଡ଼ିଶାର ସଭାପତି ବୈଲୋଚନ ସାହୁଙ୍କ ସୂଚନା ଅନୁସାରେ, ରାଜ୍ୟରୁ ପ୍ରାୟ ୭୦ ହଜାର ବ୍ୟାଙ୍କ କର୍ମଚାରୀ ଧର୍ମଘଟରେ ସାମିଲ ହେବେ।

ତେବେ ଗ୍ରାହକଙ୍କ ଉପରେ ଯେପରି ଅଧିକ ପ୍ରଭାବ ନପଡ଼େ, ସେଥିପାଇଁ ଆବଶ୍ୟକ ପ୍ରସ୍ତୁତି କରାଯାଇଥିବା ୟୁଏଫ୍‌ବିୟୁ ପକ୍ଷରୁ କୁହାଯାଇଛି। ଆରମ୍ଭର ଦୁଇ ଦିନ ବିଶେଷ ସମସ୍ୟା ହେବନାହିଁ, କିନ୍ତୁ ପରବର୍ତ୍ତୀ ସମୟରେ ବ୍ୟାଙ୍କିଂ ସେବାରେ ଅସୁବିଧା ଦେଖାଦେଇପାରେ।

କେବଳ ଦିନିକିଆ ଧର୍ମଘଟରେ ଆନ୍ଦୋଳନ ସୀମିତ ରହିବ ନାହିଁ। ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ୟୁଏଫ୍‌ବିୟୁ ପକ୍ଷରୁ ଦୀର୍ଘକାଳୀନ ଯୋଜନା କରାଯାଇଛି। ଚଳିତ ମାସ ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ପୁଣି ଧର୍ମଘଟ କରାଯିବାର ଚେତାବନୀ ଦିଆଯାଇଛି। ଏହାପରେ ମଧ୍ୟ ଦାବି ପୂରଣ ନହେଲେ ଅକ୍ଟୋବର ୨୬ ପରଠାରୁ ଆମରଣ ଅନଶନ କରାଯିବ ବୋଲି କୁହାଯାଇଛି।

ପାଞ୍ଚଦିନିଆ କାର୍ଯ୍ୟ ସପ୍ତାହ ଲାଗୁ କରିବା ଦାବି ଦୀର୍ଘଦିନର। ୨୦୨୪ରେ ଏନେଇ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ଲାଗୁ ହୋଇନଥିବା ଅଭିଯୋଗ କରିଛନ୍ତି ବ୍ୟାଙ୍କ କର୍ମଚାରୀ ସଂଗଠନଗୁଡ଼ିକ। ପ୍ରସ୍ତାବ ଅନୁସାରେ, ସବୁ ଶନିବାର ଛୁଟି ରହିବ ଏବଂ ଏହା ବଦଳରେ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ କର୍ମଚାରୀମାନେ ପ୍ରତିଦିନ ଅତିରିକ୍ତ ୪୦ ମିନିଟ୍‌ କାମ କରିବେ।

ଏହି ନିଷ୍ପତ୍ତି ଲାଗୁ କରିବା ସହ ଅନ୍ୟାନ୍ୟ ଦାବି ଉପରେ ସମାଧାନ ନହେବାରୁ ଏବେ ଧର୍ମଘଟର ରାସ୍ତା ଆପଣାଇଛନ୍ତି ବ୍ୟାଙ୍କ କର୍ମଚାରୀମାନେ। ଫଳରେ ଆଗାମୀ କିଛି ଦିନ ବ୍ୟାଙ୍କ ସେବାକୁ ନେଇ ଗ୍ରାହକଙ୍କୁ ସତର୍କ ରହିବାକୁ ପଡ଼ିପାରେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ