ରାଜ୍ୟରେ ପ୍ରବଳ ବର୍ଷା : ମାଡ଼ି ଆସିଲା ଘୂର୍ଣ୍ଣିବଳୟ

ଭୁବନେଶ୍ୱର, ୦୯/୦୯: ଓଡ଼ିଶାରେ ପୁଣି ସକ୍ରିୟ ହେବାକୁ ଯାଉଛି ବର୍ଷା। ଉତ୍ତର ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧୀରେଧୀରେ ଶକ୍ତିଶାଳୀ ହେଉଛି। ଏହାର ପ୍ରଭାବରେ ସେପ୍ଟେମ୍ବର ୧୧ ସୁଦ୍ଧା ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ଗଠନ ହେବାର ସମ୍ଭାବନା ରହିଛି। ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏହି ଲଘୁଚାପ ଗଠନ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ବିଶେଷକରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଭାରି ବର୍ଷା ହେବାର ଆଶଙ୍କା ରହିଛି।

ବୁଧବାର ବାଲେଶ୍ଵର, କେନ୍ଦୁଝର ଓ ମୟୂରଭଞ୍ଜରେ ବର୍ଷାର ପ୍ରଭାବ ଅଧିକ ରହିପାରେ। ଏହାସହ ଉତ୍ତର ଏବଂ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବିକ୍ଷିପ୍ତ ବର୍ଷା ହୋଇପାରେ।

୧୦ ତାରିଖରେ ବଢ଼ିବ ବର୍ଷାର ତୀବ୍ରତା। କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷାର ପୂର୍ବାନୁମାନ ଥିବାରୁ ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୋଳ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟ ଭାରି ବର୍ଷା ହୋଇପାରେ।

୧୧ ତାରିଖରେ ଦକ୍ଷିଣ ଓଡ଼ିଶାକୁ ନେଇ ସତର୍କତା ଜାରି ହୋଇଛି। କୋରାପୁଟରେ କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହା ବ୍ୟତୀତ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ଭାରି ବର୍ଷାର ସମ୍ଭାବନା ରହିଛି।

୧୨ ତାରିଖରେ କୋରାପୁଟ ଓ ମାଲକାନଗିରି ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିପାରେ। ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ମଧ୍ୟ ବର୍ଷା ହେବାର ଆକଳନ କରାଯାଇଛି।

ଅନ୍ୟପଟେ ବର୍ଷାର ପୂର୍ବାନୁମାନ ମଧ୍ୟରେ ମଧ୍ୟ ରାଜ୍ୟରେ ତାତିରୁ ମୁକ୍ତି ମିଳିନାହିଁ। ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିବା ସହ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି। ଗୋପାଳପୁରରେ ସର୍ବାଧିକ ୩୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ବାଲେଶ୍ଵରରେ ୩୬.୫, ପୁରୀ ଓ ପାରଳାଖେମୁଣ୍ଡିରେ ୩୬.୪ ଏବଂ ଭୁବନେଶ୍ଵରରେ ୩୫.୮ ଡିଗ୍ରୀ ରହିଥିଲା। ଚାନ୍ଦବାଲିରେ ମଧ୍ୟ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଛି।

ଅଧିକ ଆର୍ଦ୍ରତା ଯୋଗୁ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁରରେ ୩୪.୨ ମିମି, ମାଲକାନଗିରିରେ ୨୬.୬ ମିମି, ପାରଳାଖେମୁଣ୍ଡିରେ ୧୩.୨ ମିମି ଏବଂ ବାଲେଶ୍ଵରରେ ୧୭.୮ ମିମି ବର୍ଷା ରେକର୍ଡ ହୋଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ