ନିଜ ଲୋକଙ୍କୁ ବୋକା ବନାଉଛି ପାକିସ୍ତାନ : ମିଛ ଭିଡିଓ ପୋଷ୍ଟ କରି ନେଉଛି ବାହାଦୂରୀ

ନୂଆଦିଲ୍ଲୀ: ପାକିସ୍ତାନ ବାୟୁସେନାର ଏକ ନୂଆ ଭିଡିଓକୁ ନେଇ ଏବେ ଅନ୍ତର୍ଜାତୀୟ ମହଲରେ ଚର୍ଚ୍ଚା ଜୋର ଧରିଛି। ସେପ୍ଟେମ୍ବର ୭ରେ ପାକିସ୍ତାନର ବାୟୁସେନା ଦିବସ ଅବସରରେ ‘ଫିଜାଓଁ କେ ପାସବାଁ’ ନାମରେ ଏକ ଆନିମେଟେଡ୍ ଭିଡିଓ ପ୍ରକାଶ କରାଯାଇଛି। ଏଥିରେ ଏଆଇ ଓ କମ୍ପ୍ୟୁଟର ଗ୍ରାଫିକ୍ସ ମାଧ୍ୟମରେ ‘ଅପରେସନ୍ ସିନ୍ଦୂର’ ସମୟରେ ଭାରତ ଉପରେ ପାକିସ୍ତାନର ବଡ଼ ବିଜୟ ହୋଇଥିବା ଭଳି ଚିତ୍ରଣ କରାଯାଇଛି।

ପ୍ରକାଶିତ ଭିଡିଓରେ ଦାବି କରାଯାଇଛି ଯେ ପାକିସ୍ତାନୀ ମିସାଇଲ୍ ଓ ଡ୍ରୋନ୍ ଭାରତୀୟ ଅଞ୍ଚଳରେ ପ୍ରବେଶ କରି ଭାରତୀୟ ବାୟୁସେନାର ୩୨ଟି ଘାଟିକୁ ଟାର୍ଗେଟ୍ କରିଥିଲେ। ଏହାବ୍ୟତୀତ ଭାରତର S-400 ଏୟାର ଡିଫେନ୍ସ ସିଷ୍ଟମ୍, ବିଭିନ୍ନ ଯୁଦ୍ଧବିମାନ, ଡ୍ରୋନ୍‌, ଭାରତୀୟ ସଂସଦ, କାଣ୍ଡଲା ବନ୍ଦର ଏବଂ INS ବିକ୍ରାନ୍ତ ଭଳି ପ୍ରମୁଖ ସାମରିକ ଓ ରଣନୈତିକ ସ୍ଥାନକୁ ଆକ୍ରମଣ କରାଯାଇଥିବା ଦୃଶ୍ୟ ଦେଖାଯାଇଛି।

ତେବେ ଏହି ଦାବିଗୁଡ଼ିକର ସମର୍ଥନରେ ଭିଡିଓରେ କୌଣସି ପ୍ରକୃତ ଯୁଦ୍ଧ ଦୃଶ୍ୟ, ସାଟେଲାଇଟ୍ ଫଟୋ କିମ୍ବା କ୍ଷୟକ୍ଷତିର ବାସ୍ତବ ପ୍ରମାଣ ଦେଖାଯାଇନାହିଁ। ଭିଡିଓଟି ମୁଖ୍ୟତଃ ଡିଜିଟାଲ୍ ଆନିମେସନ୍ ଓ କମ୍ପ୍ୟୁଟର ଗ୍ରାଫିକ୍ସରେ ତିଆରି ହୋଇଥିବା ଦେଖାଯାଇଛି।

ବିଶେଷ କରି ଭାରତର S-400 ସିଷ୍ଟମ୍ ଧ୍ୱଂସ ହୋଇଥିବା ନେଇ ପାକିସ୍ତାନର ପୂର୍ବ ଦାବିକୁ ଭାରତୀୟ ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (PIB) ଖଣ୍ଡନ କରିଥିଲା। ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦମପୁର ବାୟୁସେନା ଷ୍ଟେସନ୍ ଗସ୍ତ କରି ସେଠାରେ ଥିବା S-400 ସିଷ୍ଟମ୍ ସହ ଫଟୋ ଉଠାଇଥିବା ଘଟଣା ଏହି ଦାବିକୁ ନେଇ ଚର୍ଚ୍ଚାକୁ ଆହୁରି ତୀବ୍ର କରିଥିଲା।

ଅନ୍ୟପକ୍ଷରେ, ଭାରତ ପକ୍ଷରୁ ‘ଡିକ୍ଲାସିଫାଇଡ୍: ଅପରେସନ୍ ସିନ୍ଦୂର’ ନାମରେ ପ୍ରକାଶିତ ଡକ୍ୟୁମେଣ୍ଟାରୀରେ ପାକିସ୍ତାନର ବିଭିନ୍ନ ସାମରିକ ଘାଟିର କ୍ଷୟକ୍ଷତି ସମ୍ପର୍କିତ ସାଟେଲାଇଟ୍ ଚିତ୍ର ଓ ଅନ୍ୟାନ୍ୟ ତଥ୍ୟ ଦେଖାଯାଇଥିବା ଦାବି କରାଯାଇଥିଲା। ଏଥିରେ ନୂର ଖାନ୍‌, ଭୋଲାରୀ, ଶାହବାଜ୍‌ ଓ ମୁଶାଫ୍‌ ଭଳି ବାୟୁସେନା ଘାଟିର ଚିତ୍ର ରହିଥିବା କୁହାଯାଇଛି।

ଏହି ପରିପ୍ରେକ୍ଷୀରେ ପାକିସ୍ତାନ ବାୟୁସେନା ପକ୍ଷରୁ କେବଳ ଏଆଇ ଆଧାରିତ ଭିଜୁଆଲ୍ ମାଧ୍ୟମରେ ନିଜର ବିଜୟର ଚିତ୍ର ଦେଖାଇବାକୁ ନେଇ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ଭିଡିଓରେ ଦେଖାଯାଇଥିବା ଦୃଶ୍ୟକୁ ପ୍ରକୃତ ଯୁଦ୍ଧ କ୍ଷୟକ୍ଷତିର ପ୍ରମାଣ ଭାବେ ଗ୍ରହଣ କରିବା ପୂର୍ବରୁ ତାହାର ସ୍ୱତନ୍ତ୍ର ଯାଞ୍ଚ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ